କଟକ : ବାରଙ୍ଗ ଗୋପାଳ ନାୟକ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୁଲିସ। ଗୋପାଳକୁ ତା’ର ପତ୍ନୀ ଓ ପତ୍ନୀର ପ୍ରେମିକ ପଥରରେ ଛେଚି ହତ୍ୟା କରିଥିବା ପ୍ରମାଣ ମିଳିଛି। ପୁଲିସ ଉଭୟଙ୍କୁ ଗିରଫ କରିବା ସହିତ ବିଭିନ୍ନ ତଥ୍ୟ ପ୍ରମାଣ ସଂଗ୍ରହ କରିଛି। ଦୁଇ ଅଭିଯୁକ୍ତଙ୍କୁ ନେଇ ଆଜି ପୁଲିସ୍‌ କ୍ରାଇମ୍ ସିନ୍‌-ରିକ୍ରିଏସନ୍ ବି କରିଛି।

Advertisment

ଶନିବାର ଦିନ ଏ ସଂପର୍କରେ ଏଡିସିପି ପ୍ରମୋଦ ରଥ ଦେଇଥିବା ‌ସୂଚନା ଅନୁଯାୟୀ, ଖୋର୍ଧା ଜଟଣୀର ଗୋବିନ୍ଦ ନାୟକ, ଗତ ୨୨ ତାରିଖରେ ତାଙ୍କ ଭାଇ ଗୋପାଳ ନିଖୋଜ ଥିବା ସଂକ୍ରାନ୍ତରେ ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ। ଗୋଟିଏ ପଟେ ବାରଙ୍ଗ ଥାନା ପୁଲିସ ଗୋପାଳଙ୍କୁ ଖୋଜାଖୋଜି ଆରମ୍ଭ କରିଥିବା ବେଳେ ପୂର୍ବ ଦିନ ଅର୍ଥାତ ୨୧ ତାରିଖରେ ନରାଜ-ବାଙ୍କୀ ରାସ୍ତାରେ ଶ୍ରୀଶ୍ରୀବିଶ୍ବବିଦ୍ୟାଳୟ ନିକଟ ଓମଫେଡ୍ କମ୍ପାନି ନିକଟରୁ ଏକ ସ୍କୁଟି ଗୋଡ଼ିସାହି ଫାଣ୍ଡି ପୁଲିସ ଜବତ କରିଥିଲା। ଏହି ସ୍କୁଟି(ଓଡି ୦୫ ବିଡି ୯୫୪୧) ନମ୍ବରକୁ ଯାଞ୍ଚ କଲା ପରେ ତାହା ଗୋପାଳଙ୍କର ବୋଲି ଜଣାପଡ଼ିଥିଲା। ପୁଲିସ ଗୋପାଳଙ୍କ ପରିବାରଲୋକଙ୍କୁ ଯୋଗାଯୋଗ କଲା ପରେ ପରିବାରଲୋକେ ପହଞ୍ଚି ଓମଫେଡ୍ କମ୍ପାନି ଆଖପାଖରେ ତାଙ୍କୁ ଖୋଜାଖୋଜି କରିଥିଲେ। କମ୍ପାନି ପଛପଟ କାଜୁ ଜଙ୍ଗଲରେ ଗୋପାଳର ମୃତଦେହ ମିଳିଥିଲା।

ପୁଲିସ ଗୋପାଳର ଶବ ବଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ କରିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା। ବାରଙ୍ଗ ଥାନା ଆଇଆଇସି ଆକାଶ ଚନ୍ଦ୍ର ରଣା ଘଟଣାର ତଦନ୍ତଭାର ନେଇଥିଲେ। ଘଟଣାସ୍ଥଳରୁ ଜଣେ ମହିଳାଙ୍କ ଚପଲ ଓ ଦୁଇଟି ରକ୍ତଲଗା ପଥର ପୁଲିସ ହାତରେ ଲାଗିଥିଲା। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା ସହ ଜଣେ ମହିଳା ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବାରୁ ପୁଲିସ ପ୍ରଥମେ ମୃତ ଗୋପାଳଙ୍କ ପତ୍ନୀ ଝୁମୁରିକୁ ତଦନ୍ତ ପରିସରଭୁକ୍ତ କରିଥିଲା। ପରେ ଉଭୟ ଝୁମୁରି ଓ ଜଗନ୍ନାଥ ଜେନା ନିଜ ଦୋଷ ପୁଲିସ ସାମ୍ନାରେ ସ୍ବୀକାର କରିଥିଲେ।

ଝୁମୁରିର ବୟାନ ଅନୁଯାୟୀ, ତାକୁ ସ୍ବାମୀ ଗୋପାଳ ବାରମ୍ବାର ନିର୍ଯାତନା ଦେଇ ଆସୁଥିଲା। ଏଭଳି ସ୍ଥିତିରେ ତା’ର ଜଗନ୍ନାଥ ସହିତ ସଂପର୍କ ଗଢ଼ି ଉଠିଥିଲା। ଶ୍ରୀଶ୍ରୀବିଶ୍ବବିଦ୍ୟାଳୟ ନିକଟ କାଜୁ ଜଙ୍ଗଲରେ ନିଶାସକ୍ତ ଅବସ୍ଥାରେ ଗୋପାଳ ତା ସହିତ ଶାରୀରିକ ସମ୍ପର୍କ ରଖିବା ପରେ ଜଗନ୍ନାଥକୁ ବି ସଂପର୍କ ରଖିବାକୁ ବାଧ୍ୟ କରିଥିଲା। ଏଭଳି ବିକୃତ ମାନସିକତାକୁ ନେଇ ଜଙ୍ଗଲରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଏବଂ ଶେଷରେ ସେମ‌ାନେ ଗୋପାଳକୁ ପଥରରେ ଛେଚି ଛେଚି ହତ୍ୟା କରିଥିଲେ। ପୁଲିସ ଉଭୟ ଜଗନ୍ନାଥ ଓ ଝୁମୁରିଙ୍କୁ କୋର୍ଟ ଚାଲାଣ କରିଛି।