‌ଗୋପବନ୍ଧୁ ଓ ଜାତୀୟବାଦୀ ସାହିତ୍ୟ ଉନ୍ମେଷ ସଂପାନ

ଚନ୍ଦ୍ରଶେଖରପୁର: କେନ୍ଦ୍ର ସାହିତ୍ୟ ଅକାଦେମି ଓ କିସ୍‍ ବିଶ୍ୱବିଦ୍ୟାଳୟ ଗୋପବନ୍ଧୁ ଗବେଷଣା ଚେୟାର୍‌ ଆନୁକୂଲ୍ୟରେ ଗୋପବନ୍ଧୁ ଓ ଜାତୀୟବାଦୀ ସାହିତ୍ୟର ଉନ୍ମେଷ ଶୀର୍ଷକ ଆଲେଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ସଭାପତି ନିରଞ୍ଜନ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଗୋପବନ୍ଧୁ ଅତ୍ୟନ୍ତ ସରଳ ଓ ଅହଂକାରଶୂନ୍ୟ ଥିଲେ। ବ୍ରିଟିସ୍‌ ଶାସନ ସମୟରେ ଓଡ଼ିଶାରେ ଗୁଣାତ୍ମକ ଶିକ୍ଷାର ବିକାଶ ଲକ୍ଷ୍ୟ ରଖି ବହୁ କଷ୍ଟ ଓ ପ୍ରତିକୂଳ ପରିସ୍ଥିତିରେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିପାରିଥିଲେ। ମୂଳଭାଷଣ ପ୍ରଦାନ କରି ଶାସ୍ତ୍ରୀୟ ଓଡ଼ିଆ ଭାଷା ଉତ୍କର୍ଷ କେନ୍ଦ୍ର ନିର୍ଦ୍ଦେଶକ ବସନ୍ତ କୁମାର ପଣ୍ଡା କହିଲେ, ଗୋପବନ୍ଧୁଙ୍କ ଗଦ୍ୟ ରଚନା ସମ୍ପର୍କରେ ଖୁବ୍‍ କମ୍‍ ଲୋକ ଜାଣିଛନ୍ତି। ଗୋପବନ୍ଧୁ ବାସ୍ତବରେ ଭାରତର ଅନ୍ୟତମ ଶିକ୍ଷା ଚିନ୍ତକ ଥିଲେ। ଶିକ୍ଷା, ସାହିତ୍ୟ, ରାଜନୀତି ସହ ସମାଜସେବା ଓ ସାମ୍ବାଦିକତା ଆଦି ବହୁମୁଖୀ ପ୍ରତିଭାଦୀପ୍ତ ଥିଲେ ଗୋପବନ୍ଧୁ।

ସାହିତ୍ୟ ଅକାଦେମିର କାର୍ଯ୍ୟକ୍ରମ ଅଧିକାରୀ ମିହିର ସାହୁ, ଅକାଦେମିର ଆବାହକ ବିଜୟାନନ୍ଦ ସିଂହ, କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍‌ ଦୀପକ ବେହେରା, କୁଳସଚିବ ଡ. ପ୍ରଶାନ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ରହି ଗୋପବନ୍ଧୁ ଶୀର୍ଷକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ବୈଷୟିକ ଅଧିବେଶନରେ ଅର୍ଚ୍ଚନା ନାୟକଙ୍କ ସଭାପତିତ୍ୱରେ ଗୋପବନ୍ଧୁଙ୍କ ଉପରେ ପ୍ରବନ୍ଧ ପାଠ କରିଥିଲେ ପବିତ୍ର ମୋହନ ଦାଶ ଓ ସଂଗ୍ରାମ ଜେନା। ଦ୍ୱିତୀୟ ଅଧିବେଶନରେ ଗୌରାଙ୍ଗ ପରିଡ଼ାଙ୍କ ସଭାପତିତ୍ୱରେ ଅରବିନ୍ଦ ରାୟ, ଲଲାଟେନ୍ଦୁ ଦାସମହାପାତ୍ର ଓ ପ୍ରସନ୍ନ ସ୍ୱାଇଁଙ୍କ ଦ୍ୱାରା ପ୍ରବନ୍ଧ ପାଠ କରାଯାଇଥିଲା।

ସମ୍ବନ୍ଧିତ ଖବର