‌‌‌‘‌ଗୋପବନ୍ଧୁ: ଜୀବନ ଓ ଦର୍ଶନ’ ଆଲୋଚନାଚକ୍ର: ଓଡ଼ିଶାରେ ଜାତୀୟ ଆନ୍ଦୋଳନର ଜନକ ଗୋପବନ୍ଧୁ

ଭୁବନେଶ୍ବର : ଉତ୍କଳମଣି ଗୋପବନ୍ଧୁ ଥିଲେ ଜାତୀୟ ଭାବଚେତନାର ବାହକ। ବିଶ୍ୱ ଐକ୍ୟ ଓ ମାନବିକ ସଂହତି ଥିଲା ତାଙ୍କ ଜୀବନର ଆଦର୍ଶ। ମଣିଷକୁ ଦୁଃଖ, ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ସେ ନିରନ୍ତର ସାଧନା ଅବ୍ୟାହତ ରଖିଥିଲେ। ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ପ୍ରମୁଖ ଭୂମିକା ନେବା ସହ ଶିକ୍ଷା, ସାହିତ୍ୟ ଓ ସଂସ୍କୃତିର ବିକାଶରେ ସେ ଦିଗ ନିର୍ଦ୍ଦେଶ କରିଯାଇଛନ୍ତି। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୩ତମ ଶ୍ରାଦ୍ଧୋତ୍ସବ ଅବସରରେ କିସ୍ ବିଶ୍ୱବିଦ୍ୟାଳୟ, ଗୋପବନ୍ଧୁ ଦାସ ରିସର୍ଚ୍ଚ ଚେୟାର ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଏଭଳି ମତ ପ୍ରକାଶ ପାଇଛି।

‘ଗୋପବନ୍ଧୁ: ଜୀବନ ଓ ଦର୍ଶନ’ ଶୀର୍ଷକ ଏହି ଆଲୋଚନାଚକ୍ରକୁ ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ବିଶ୍ୱରଂଜନ ଉଦ୍‌ଘାଟନ କରି କହିଲେ ଯେ ଗୋପବନ୍ଧୁ ଥିଲେ, ତ୍ୟାଗ ଓ ତିତିକ୍ଷାର ଜ୍ବଳନ୍ତ ଉଦାହରଣ। ତାଙ୍କ ମାନବିକ ସମ୍ବେଦନ ଓ ଉତ୍ସର୍ଗୀକୃତ ଜୀବନ ଇତିହାସରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଓଡ଼ିଶାରେ ଜାତୀୟ ଅନ୍ଦୋଳନର ସେ ଥିଲେ ଜନକ। ଉତ୍ସବରେ କିସ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରା ସଭାପତିତ୍ୱ କରି କହିଲେ ଯେ ଗୋପବନ୍ଧୁ କର୍ମ ଓ ଅଧିକାରକୁ ଜୀବନର ମୂଳମନ୍ତ୍ର କରିଥିଲେ। ସାଧାରଣ ଭାବରେ ଜୀବନ ବଞ୍ଚି ଅସାଧାରଣ ନେତୃତ୍ୱ ପ୍ରଦାନ କରି ସେ ମଣିଷ ସମାଜ ପାଇଁ ପଥପ୍ରଦର୍ଶକ ହୋଇଛନ୍ତି। ଉପକୁଳପତି ପ୍ରଫେସର୍‌ ପୀତବାସ ସାହୁ ପ୍ରାରମ୍ଭିକ ବକ୍ତବ୍ୟ ଦେଇଥିଲେ ଓ କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଫେସର ଯୁଗଳ କିଶୋର ମିଶ୍ର ଓ ପ୍ରଫେସର୍‌ ହରୀଶ ଚନ୍ଦ୍ର ସାହୁ ଉତ୍କଳମଣିଙ୍କ ସ୍ମୃତିଚାରଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଉପାଧ୍ୟକ୍ଷ ତ୍ରିପୁରା ମିଶ୍ରଙ୍କ ନିର୍ଦ୍ଦେଶନାରେ ଗୋପବନ୍ଧୁ ଦାସଙ୍କ ରଚିତ ପ୍ରାର୍ଥନା ପରିବେଷଣ କରାଯାଇଥିଲା। ଗୋପବନ୍ଧୁ ରିସର୍ଚ୍ଚ ଚେୟାର ପ୍ରଫେସର୍‌ ବିଜୟାନନ୍ଦ ସିଂହ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର