ଭୁବନେଶ୍ୱର: ଜ୍ଞାନପୀଠ ପୁରସ୍କାର ବିଜେତା ପ୍ରଖ୍ୟାତ ଔପନ୍ୟାସିକ ଡକ୍ଟର ଗୋପୀନାଥ ମହାନ୍ତିଙ୍କ ୧୦୮ତମ ଜନ୍ମତିଥିରେ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ଗୋପୀନାଥ ମହାନ୍ତି ଟ୍ରଷ୍ଟ ସହଯୋଗରେ ୩୧ତମ ଗୋପୀନାଥ ମହାନ୍ତି ସ୍ମାରକୀ ବକ୍ତୃତା ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଗୋପୀନାଥ ମହାନ୍ତିଙ୍କ ପ୍ରତି ଓଡ଼ିଆ ଜାତିର କୃତଜ୍ଞତା ନିବେଦନ ପୂର୍ବକ ତାଙ୍କ ଅମ୍ଳାନ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ଉଦ୍ଦେଶ୍ୟରେ ଗୋପୀନାଥ ମହାନ୍ତି ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ ଓଡ଼ିଶା ସାହିତ୍ୟ ଏକାଡେମି ଆୟୋଜନ କରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ଅଙ୍ଗିକାରବଦ୍ଧତାକୁ ପ୍ରତିପାଦନ କରୁଛି ବୋଲି ମତବ୍ୟକ୍ତ କରିଥିଲେ।
ଗୋପୀନାଥ ମହାନ୍ତି ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଫେସର ଓମ୍କାର ନାଥ ମହାନ୍ତି ‘ମୁଁ ଗୋପୀନାଥଙ୍କୁ ଯେମିତି ଜାଣେ’ ଅଭିବ୍ୟକ୍ତି ଉପସ୍ଥାପନ କରିଥିଲେ। ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଚିନ୍ତାନାୟକ ଡକ୍ଟର ଜ୍ୟାଁ ଡ୍ରେଜ୍ ‘ଦ ଆଦିବାସୀ ୱେ ଅଫ୍ ଲାଇଫ୍’ ବିଷୟରେ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ। ଏକାଡେମିର ସଭାପତି ବିଶିଷ୍ଟ କବି ଡ. ହୃଷୀକେଶ ମଲ୍ଲିକ ପୌରୋହିତ୍ୟ କରିଥିବା ବେଳେ ଉପସଭାପତି ଡ. ସଂଗ୍ରାମ ଜେନା ଧନ୍ୟବାଦ ଦେଇଥିଲେ। ଏକାଡେମିର ସଚିବ ପ୍ରବୋଧ କୁମାର ରାଉତ ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଗୋପୀନାଥ ମହାନ୍ତି ଫାଉଣ୍ଡେସନ୍ ଟ୍ରଷ୍ଟର ସମ୍ପାଦକ ଅମୃତ ନାଥ ମହାନ୍ତି ଅତିଥିଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ଗୋପୀନାଥ ମହାନ୍ତିଙ୍କ ଲିଖିତ ଆଦିତ୍ୟ ନାୟକଙ୍କ ଦ୍ବାରା ଅନୂଦିତ ପୁସ୍ତକ ଉନ୍ମୋଚିତ ହୋଇଥିଲା।