ଗୋପୀନାଥ ମହାନ୍ତିଙ୍କ ଲିଖିତ ୧୭୬ ଚିଠିକୁ ନେଇ ଛପାଯିବ ବହି

ଆଜି ବି ତାଙ୍କ ସାହିତ୍ୟକୃତିର ବିଶ୍ବବ୍ୟାପୀ ପ୍ରାସଙ୍ଗିକତା ରହିଛି

ଭୁବନେଶ୍ବର: ପ୍ରକୃତି ଓ ପ୍ରକୃତି କୋଳରେ ବଞ୍ଚୁଥିବା ମଣିଷମାନେ ଥିଲେ କାଳଜୟୀ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ସାରସ୍ବତ ରଚନାର କଥାବସ୍ତୁ। ତାଙ୍କ ବର୍ଣ୍ଣନାରେ ଧରିତ୍ରୀକୁ ସେ ମା’ର ରୂପ ଦେଇଥିଲେ। ଜନଜାତିର ଦର୍ଶନ ପ୍ରତି ତାଙ୍କର ଗଭୀର ସହାନୁଭୂତି ରହିଥିଲା। ମାତ୍ର ପ୍ରକୃତି ଓ ସଂସ୍କୃତି ମଧ୍ୟରେ ସଂପ୍ରତି ଦୂରତ୍ବ ବଢ଼ି ଯାଇଛି। ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ବ୍ୟାପକ ବିଭାଜନ ସୃଷ୍ଟି ହୋଇଛି। ସୃଷ୍ଟି ହୋଇଥିବା ଏହି ଫାଟ ମଧ୍ୟରେ ଗୋପୀନାଥ ମହାନ୍ତି ନିଜ ଲେଖନୀ ଜରିଆରେ ସେତୁ ବାନ୍ଧିବାକୁ ଚେଷ୍ଟା କରିଛନ୍ତି। ତେଣୁ ବର୍ତମାନ ଯୁଗରେ ମଧ୍ୟ ଗୋପୀନାଥ ମହାନ୍ତିଙ୍କ କାଳଜୟୀ ସୃଷ୍ଟିର ବିଶ୍ବବ୍ୟାପୀ ପ୍ରାସଙ୍ଗିକତା ରହିଛି ବୋଲି କହିଛନ୍ତି ପୂର୍ବତନ ପ୍ରଶାସକ ତଥା ଜାତୀୟ ସଂଗ୍ରହାଳୟର ପୂର୍ବତନ ଡିଜି ଡ. କଲ୍ୟାଣ କୁମାର ଚକ୍ରବର୍ତୀ। ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ଗୋପୀନାଥ ଇଣ୍ଟରନ୍ୟାସ୍‌ନାଲ୍‌ର ମିଳିତ ସହଯୋଗରେ ପ୍ରଖ୍ୟାତ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ୧୦୫ତମ ପୁଣ୍ୟ ଜନ୍ମତିଥିରେ ଜୟଦେବ ଭବନରେ ଆୟୋଜିତ ୨୮ତମ ଗୋପୀନାଥ ମହାନ୍ତି ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମରେ ଡ. ଚକ୍ରବର୍ତୀ ‘ଦିଗହରା ଓ ଅଧିକାରରୁ ବଞ୍ଚିତ ମଣିଷ’ ଶୀର୍ଷକ ବିଷୟ ଉପରେ ବକ୍ତବ୍ୟ ରଖିଥିଲେ। ଗୋପୀନାଥ ମହାନ୍ତିଙ୍କ କାଳଜୟୀ ସୃଷ୍ଟି ଅମୃତର ସନ୍ତାନ, ଦାନାପାଣି, ମାଟିମଟାଳ, ମହାପୁରୁଷ, ପରଜା ଆଦି ଗଳ୍ପ ଓ ଉପନ୍ୟାସର କଥାବସ୍ତୁକୁ ଉଦ୍ଧାର କରିବା ସହ ଜଙ୍ଗଲ, ପାହାଡ଼, ପ୍ରକୃତି, ଜନଜାତି, ଅଧିକାରରୁ ବଞ୍ଚିତ ମଣିଷ ଓ ବସନ୍ତର ରଙ୍ଗ ସମ୍ବନ୍ଧରେ ଲେଖିଥିବା ବିଷୟ ଉପରେ ସମ୍ୟକ୍‌ ଆଲୋକପାତ କରିଥିଲେ।

ଏହି ଅବସରରେ ‘ଗୁପ୍ତ ଗଙ୍ଗା ଓ ଅନ୍ୟାନ୍ୟ ଗଳ୍ପ’ର ଇଂରାଜୀ ଅନୁବାଦ ତଥା ସୁଦେଷ୍ଣା ମହାନ୍ତିଙ୍କ ଅନୁଦିତ ‘ହିଡେନ୍ ଗଙ୍ଗା ଆଣ୍ଡ୍ ଅଦର ଷ୍ଟୋରିଜ୍’ ଏବଂ ଗୋପୀନାଥ ମହାନ୍ତିଙ୍କ ସଂକଳିତ ୫ଟି ଆଦିବାସୀ ସଂସ୍କୃତି ଓ ବ୍ୟାକରଣ ଶାସ୍ତ୍ର ସମ୍ପର୍କିତ ପୁସ୍ତକ ‘କୋରାପୁଟ ଅଞ୍ଚଳର ଆଦିବାସୀଙ୍କ ଭାଷା ଓ ସଂସ୍କୃତି’ ଅତିଥିମାନଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା। ଇତିମଧ୍ୟରେ ଗୋପୀନାଥ ମହାନ୍ତିଙ୍କ ଦ୍ବାରା ଲିଖିତ ୧୭୬ଟି ଚିଠିକୁ ସଂଗ୍ରହ କରାଯାଇଥିବା ବେଳେ ଏହାକୁ ବହିରେ ରୂପାନ୍ତରିତ କରାଯିବ ବୋଲି ଡ.ଗୋପୀନାଥ ମହାନ୍ତି ମେମୋରିଆଲ୍ ଟ୍ରଷ୍ଟ୍ର ଅଧ୍ୟକ୍ଷ ପ୍ରଫେସର ଓଁକାରନାଥ ମହାନ୍ତି ସୂଚନା ଦେଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହରିହର ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଗୋପୀନାଥ ମହାନ୍ତିଙ୍କ କାଳଜୟୀ ସୃଷ୍ଟି ଏବଂ ନାଟ୍ୟକାର ଭାବେ ତାଙ୍କର କୃତି ସମ୍ପର୍କରେ ମତ ରଖିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମିର ସଚିବ ଜୟନ୍ତୀ ରଥ ପ୍ରାରମ୍ଭିକ ସୂଚନା ସହ ଅତିଥି ପରିଚୟ ଦେଇଥିଲେ। ଗୋପୀନାଥ ମହାନ୍ତି ମେମୋରିଆଲ୍ ଟ୍ରଷ୍ଟ୍ର ସମ୍ପାଦକ ଅମୃତନାଥ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର