ଚନ୍ଦ୍ରଶେଖରପୁର: ଡମଣା ଗୋପୀନାଥଜିଉ ଦୁର୍ଗାପୂଜା କମିଟି ୧୪ ବର୍ଷରେ ପଦାର୍ପଣ କରିଛି। ପ୍ରତିଥର ଭଳି ଏଥର ମଧ୍ୟ ଦୁର୍ଗାପୂଜା କମିଟି ରାଜଧାନୀବାସୀଙ୍କୁ ନୂଆ ସୁଦୃଶ୍ୟ ତୋରଣରେ ସ୍ବାଗତ ପାଇଁ ଯୋଜନା କରିଛି। ଏଥର ନଦିଆରେ ମୟାପୁରର ଇସ୍କନ୍ ମନ୍ଦିର ଢାଞ୍ଚାରେ ଆୟୋଜିତ ପୂଜାମଣ୍ଡପରେ ବିରାଜିବେ ମା’ ଦୁର୍ଗା। ଫାଇବର୍, ଗ୍ଲାସ୍, ପ୍ଲାଏରେ ତିଆରି ହେବାକୁ ଥିବା ଏହି ତୋରଣ ଏଥର ଭୁବନେଶ୍ବରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ପଶ୍ଚିମବଙ୍ଗର ୨୪ଜଣ କୁଶଳୀ କାରିଗର ଇସ୍କନ୍ ମନ୍ଦିରର ଅବିକଳ ତୋରଣ ନିର୍ମାଣରେ ଲାଗିଛନ୍ତି। ଏହି ତୋରଣର ଉଚ୍ଚତା ୭୫ ଫୁଟ୍ ଓ ଚଉଡ଼ା ୧୧୦ ଫୁଟ୍ କରିବାକୁ ନିଷ୍ପତ୍ତି ହୋଇଛି। ପୂଜାକୁ ପ୍ରଦୂଷଣ ମୁକ୍ତ କରିବାକୁ ସବୁପ୍ରକାର ଉଦ୍ୟମ ଚାଲିଛି। ପ୍ରତିଦିନ ଦେଢ଼ କୁଇଣ୍ଟାଲ ସେଓ ବୁନ୍ଦି ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯିବ।
ମା’ଙ୍କ ମୃଣ୍ମୟୀ ମୂର୍ତ୍ତିରେ ଏବର୍ଷ ମଧ୍ୟ ରାସାୟନିକ ରଙ୍ଗ ବ୍ୟବହାର ହେବନାହିଁ। ମଣ୍ଡପ ନିକଟରେ ପଲିଥିନ୍ ବ୍ୟବହାର ନିଷେଧ କରାଯାଇଛି। ଏଥର ମୁଖ୍ୟ ଆକର୍ଷଣ ସାଜିବ ରାବଣପୋଡ଼ି। ବିଜୟା ଦଶମୀରେ ୫୦ ଫୁଟ୍ ଉଚ୍ଚର ରାବଣ ପୋଡ଼ାଯିବ। କିନ୍ତୁ ଶବ୍ଦ ପ୍ରଦୂଷଣ କରିବା ଭଳି ବାଣ ବ୍ୟବହାର ହେବ ନାହିଁ। ଏଥର ପୂଜା ପାଇଁ ୪୭ ଲକ୍ଷ ଟଙ୍କା ବଜେଟ୍ ହୋଇଛି। ତୋରଣରେ କେବଳ ୨୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ସାଜସଜ୍ଜାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି। ମା’ଙ୍କର ୧୪ ଫୁଟ୍ ମୂର୍ତ୍ତି ସହ ୧୬ ଫୁଟ୍ର ମେଢ଼ ତିଆରି ହେଉଛି। ପୁରୁଣା ଭୁବନେଶ୍ୱରର ମୂର୍ତ୍ତିକାର ଅରୁଣ ମହାପାତ୍ରଙ୍କ ସମେତ ଆଉ ୪ଜଣ କାରିଗର ନିୟୋଜିତ ହୋଇଛନ୍ତି। ତାରକସି କାମ ଓ କାରୁକାର୍ଯ୍ୟପୂର୍ଣ୍ଣ ଚାନ୍ଦି ମୁକୁଟରେ ମା’ ଝଟକିବେ। ତୋରଣ ସହ ରାସ୍ତାର ଉଭୟ ପାର୍ଶ୍ୱରେ ୪ଟି ଏଲ୍ଇଡି ଗେଟ୍ କରାଯିବ। ଷଷ୍ଠୀ ଦିନ ଭଜନ ସନ୍ଧ୍ୟା, ସପ୍ତମୀ, ଅଷ୍ଟମୀ, ନବମୀ ଓ ଦଶମୀରେ ମେଲୋଡି ଓ ନୃତ୍ୟ କାର୍ଯ୍ୟକ୍ରମ ପରିବେଷିତ ହେବ। ସେପ୍ଟେମ୍ବର ୨୮ ତଥା ଷଷ୍ଠୀ ପୂଜାରେ ବିଲ୍ୱବରଣ, ସପ୍ତମୀରେ ୧୦୮ କଳସ ଯାତ୍ରା, ଅଷ୍ଟମୀ ସକାଳେ ସୂର୍ଯ୍ୟପୂଜା ଓ ସନ୍ଧ୍ୟାରେ ସନ୍ଧିପୂଜା, ନବମୀରେ କୁମାରୀ ପୂଜା ସହ ୧୦୮ ଦୀପ ପ୍ରଜ୍ଜ୍ବଳନ କରାଯିବ। ଅଷ୍ଟମୀରେ ଦହି ପଖାଳ ଓ ଶାଗ ଭଜା ଭୋଗଲାଗି ପରେ ଭକ୍ତଙ୍କୁ ବଣ୍ଟାଯିବ। ନବମୀରେ ଖେଚୁଡ଼ି ଓ ଡାଲମା ଏବଂ ଦଶମୀ ଦିନ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ଏଥର ମଧ୍ୟ ମୀନାବଜାର ଓ ରାମଦୋଳି ପଡ଼ିବ।
ପାରମ୍ପରିକ ବାଦ୍ୟରେ ମା’ଙ୍କୁ ମେଲାଣି ଦିଆଯିବ
ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ଏଠାକୁ ଆସନ୍ତି। ତେଣୁ ସବୁଥର ଭଳି ଏଥର ବି ସୁରକ୍ଷିତ ଓ ଶୃଙ୍ଖଳିତ ଦର୍ଶନ ଉପରେ ଆମ କମିଟି ଗୁରୁତ୍ବ ଦେଇଛି। ପୂଜା ସମୟରେ ଦୁଇଟି ବ୍ୟାରିକେଡ୍ କରାଯିବ। ଗୋଟିଏ ପଟେ ଶ୍ରଦ୍ଧାଳୁ ମଣ୍ଡପକୁ ଯିବେ ଏବଂ ମା’ଙ୍କ ଦର୍ଶନ ପରେ ଅନ୍ୟପଟେ ବାହାରିବେ। ମହିଳା, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ମଣ୍ଡପରେ ୨୦୦ ସ୍ୱେଚ୍ଛାସେବୀ ନିୟୋଜିତ ହେବେ ଏବଂ ୧୦ଟି ସିସିଟିଭି କ୍ୟାମେରା ସହ ୪ଟି ଅଗ୍ନି ନିର୍ବାପକ ଯନ୍ତ୍ର ଲାଗିବ। ସ୍ଥାନୀୟ ପୁଲିସର ସହଯୋଗ ନିଆଯାଇଛି। ବିନା ଡିଜିରେ ଭସାଣି ହେବ ଏବଂ ପାରମ୍ପରିକ ବାଦ୍ୟରେ ମା’ଙ୍କୁ ମେଲାଣି ଦିଆଯିବ। ପୂଜା ପରିଚାଳନାରେ ଗୋପୀନାଥଜିଉ କ୍ଲବ୍, ଲକ୍ଷ୍ମୀ ନାରାୟଣ କ୍ଲବ୍, ମହାଦେବ କ୍ଲବ୍ ଓ ଡମଣା ବାଉତେଇ ମହିଳା ସମିତି ସହଯୋଗ କରିଆସୁଛନ୍ତି। ଡମଣା ଗ୍ରାମ କମିଟିର ସମ୍ପୂର୍ଣ୍ଣ ସହଯୋଗ ରହିଛି।
-ନିଶାକର ସାହୁ
ପ୍ରତିଷ୍ଠାତା ସଭାପତି
ଡମଣା ଗୋପୀନାଥଜିଉ ଦୁର୍ଗାପୂଜା କମିଟି