ଚନ୍ଦ୍ରଶେଖରପୁର: ଡମଣା ଗୋପୀନାଥଜିଉ ଦୁର୍ଗାପୂଜା କମିଟି ୧୩ ବର୍ଷରେ ପଦାର୍ପଣ କରିଛି। ପ୍ରତିଥର ଭଳି ଏଥର ମଧ୍ୟ ଦୁର୍ଗାପୂଜା କମିଟି ରାଜଧାନୀବାସୀଙ୍କୁ ନୂଆ ଦୃଶ୍ୟ ଭେଟିଦେବ। ଏଥର ଦୁବାଇ ମିରାକଲ୍ ଗାର୍ଡେନ୍ରେ ବିରାଜିବେ ମା’ ଦୁର୍ଗା। ଫାଇବର୍, ଘାସ ଗାଲିଚା, ଫୁଲରେ ତିଆରି ହେଉଥିବା ଏହି ତୋରଣ ଏଥର ଭୁବନେଶ୍ବରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ପଶ୍ଚିମବଙ୍ଗର ୨୨ କୁଶଳୀ କାରିଗର ମିରାକଲ୍ ଗାର୍ଡେନ୍ର ଅବିକଳ ତୋରଣ ନିର୍ମାଣରେ ଲାଗିଛନ୍ତି। ଏହି ତୋରଣର ଉଚ୍ଚତା ୭୦ ଫୁଟ୍ ଓ ଚଉଡ଼ା ୧୧୦ ଫୁଟ୍ କରିବାକୁ ନିଷ୍ପତ୍ତି ନେଇଛି। ପୂଜାକୁ ପ୍ରଦୂଷଣ ମୁକ୍ତ କରିବାକୁ ସବୁପ୍ରକାର ଉଦ୍ୟମ ଚାଲିଛି। ପ୍ରତିଦିନ ଦେଢ଼ କୁଇଣ୍ଟାଲ ସେଓ ବୁନ୍ଦି ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯିବ।
ମା’ଙ୍କ ମୃଣ୍ମୟୀ ମୂର୍ତ୍ତିରେ ଏବର୍ଷ ରାସାୟନିକ ରଙ୍ଗ ବ୍ୟବହାର ହେଉନାହିଁ। ମଣ୍ଡପ ନିକଟରେ ପଲିଥିନ୍ ବ୍ୟବହାର ନିଷେଧ କରାଯାଇଛି। ଏଥର ମୁଖ୍ୟ ଆକର୍ଷଣ ସାଜିବ ଇ-ରାବଣପୋଡ଼ି। ବିଜୟା ଦଶମୀରେ ୫୦ ଫୁଟ୍ ଉଚ୍ଚର ରାବଣ ପୋଡ଼ାଯିବ। କିନ୍ତୁ ଶବ୍ଦ ପ୍ରଦୂଷଣ କରିବା ଭଳି ବାଣ ବ୍ୟବହାର ହେବନାହିଁ। ଏଥର ପୂଜା ପାଇଁ ୪୪ ଲକ୍ଷ ଟଙ୍କା ବଜେଟ୍ ହୋଇଛି। ତୋରଣରେ କେବଳ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ସାଜସଜ୍ଜାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି। ମା’ଙ୍କର ୧୪ ଫୁଟ୍ ମୂର୍ତ୍ତି ସହ ୧୬ ଫୁଟ୍ର ମେଢ଼ ତିଆରି କରାଯାଉଛି। ପୁରୁଣା ଭୁବନେଶ୍ୱରର ମୂର୍ତ୍ତିକାର ଅରୁଣ ମହାପାତ୍ରଙ୍କ ସମେତ ଆଉ ୪ଜଣ କାରିଗର ନିୟୋଜିତ ହୋଇଛନ୍ତି। ତାରକସି କାମ ଓ କାରୁକାର୍ଯ୍ୟପୂର୍ଣ୍ଣ ଚାନ୍ଦି ମୁକୁଟରେ ମା’ ଝଟକିବେ। ତୋରଣ ସହ ରାସ୍ତାର ଉଭୟ ପାର୍ଶ୍ୱରେ ୪ଟି ଏଲ୍ଇଡି ଗେଟ୍ କରାଯିବ। ସପ୍ତମୀ ଦିନ ଭଜନ ସନ୍ଧ୍ୟା, ଅଷ୍ଟମୀ ଓ ନବମୀରେ ମେଲୋଡି ଏବଂ ଦଶମୀ ଦିନ ଡ୍ୟାନ୍ସ ଡ୍ୟାନ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଷଷ୍ଠୀ ପୂଜାରେ ବିଲ୍ୱବରଣ, ସପ୍ତମୀରେ ୧୦୮ କଳସ ଯାତ୍ରା, ଅଷ୍ଟମୀରେ ସୂର୍ଯ୍ୟପୂଜା, ନବମୀରେ ୨୧ କୁମାରୀ ପୂଜା ସହ ୧୦୮ ଦୀପ ପ୍ରଜ୍ଜ୍ବଳନ କରାଯିବ। ଅଷ୍ଟମୀରେ ଦହି ପଖାଳ ଓ ଶାଗ ଭଜା ଭୋଗଲାଗି ପରେ ଭକ୍ତଙ୍କୁ ବଣ୍ଟାଯିବ। ନବମୀରେ ଖେଚୁଡ଼ି ଓ ଡାଲମା ଏବଂ ଦଶମୀ ଦିନ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ଏଥର ମଧ୍ୟ ମୀନାବଜାର ଓ ରାମଦୋଳି ପଡ଼ିବ।
ସୁରକ୍ଷିତ, ଶୃଙ୍ଖଳିତ ଦର୍ଶନ କରିବେ ଶ୍ରଦ୍ଧାଳୁ
ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ଏଠାକୁ ଆସନ୍ତି। ତେଣୁ ସବୁଥର ଭଳି ଏଥର ବି ସୁରକ୍ଷିତ ଓ ଶୃଙ୍ଖଳିତ ଦର୍ଶନ ଉପରେ ଆମ କମିଟି ଗୁରୁତ୍ବ ଦେଇଛି। ପୂଜା ସମୟରେ ଦୁଇଟି ବ୍ୟାରିକେଡ୍ କରାଯିବ। ଗୋଟିଏ ପଟେ ଶ୍ରଦ୍ଧାଳୁ ମଣ୍ଡପକୁ ଯିବେ ଏବଂ ମା’ଙ୍କ ଦର୍ଶନ ପରେ ଅନ୍ୟପଟେ ବାହାରିବେ। ମହିଳା, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ମଣ୍ଡପରେ ୨୦୦ ସ୍ୱେଚ୍ଛାସେବୀ ନିୟୋଜିତ ରହିବେ ଏବଂ ୧୦ଟି ସିସିଟିଭି କ୍ୟାମେରା ସହ ୪ଟି ଅଗ୍ନି ନିର୍ବାପକ ଯନ୍ତ୍ର ଲାଗିବ। ପୂଜା ପରିଚାଳନାରେ ଗୋପୀନାଥଜିଉ କ୍ଲବ୍, ଲକ୍ଷ୍ମୀ ନାରାୟଣ କ୍ଲବ୍, କ୍ରିଷ୍ଣା କ୍ଲବ୍ ଓ ଡମଣା ବାଉତେଇ ମହିଳା ସମିତି ସହଯୋଗ କରିଆସୁଛି। ଡମଣା ଗ୍ରାମ କମିଟିର ସମ୍ପୂର୍ଣ୍ଣ ସହଯୋଗ ରହିବ।
-ନିଶାକର ସାହୁ, ପ୍ରତିଷ୍ଠାତା ସଭାପତି