ମୋ ବସ୍‌କୁ ନେଇ ଅଭିଯୋଗ ଅଛି କି? ଆଜି ଟ୍ବିଟର୍‌ରେ ଲାଇଭ୍‌ ଆସିବେ ଅରୁଣ ବୋଥ୍ରା

ସବୁ ସମସ୍ୟାର ବାହାରିବ ସମାଧାନର ବାଟ

ଭୁବନେଶ୍ୱର : ମୋ ବସ୍‌କୁ ନେଇ କିଛି ଅଭିଯୋଗ କିମ୍ବା ପ୍ରସ୍ତାବ ଅଛି କି? ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ, ସବୁ ଅଭିଯୋଗର ସମାଧାନ ହେବ ରବିବାର ସନ୍ଧ୍ୟା ୬ଟାରେ। ନୂଆ କରି ଦାୟିତ୍ବ ନେଇଥିବା କ୍ରୁଟ୍‌ ଏମ୍‌ଡି ଅରୁଣ ‌ବୋଥ୍ରା ଟ୍ବିଟର୍‌ରେ ଲାଇଭ୍‌ ଆସିବେ। ଅଭିଯୋଗର ସମାଧାନ ସହିତ ‘ମୋ ବସ୍‌’ କିଭଳି ଆହୁରି ଲୋକପ୍ରିୟ ହୋଇପାରିବ ସେ ନେଇ ପ୍ରସ୍ତାବ ମଧ୍ୟ ଗ୍ରହଣ କରିବେ। ଏଥିରେ ଭାଗ ନେବା ପାଇଁ ଏକ ଲିଙ୍କ୍‌ (https://twitter.com/ipaces/1djGXlPaLZoGZ) ସେୟାର କରିଛି କ୍ରୁଟ୍‌।

କ୍ରୁଟ୍‌ ଏଭଳି ଏକ କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଆୟୋଜନ କରିବାକୁ ଯାଉଛି। ଏ ନେଇ ଟ୍ବିଟରରେ ସୂଚନା ଦେବା ପରେ ଶତାଧିକ ବ୍ୟବହାରକାରୀ ଏହାକୁ ସ୍ବାଗତ କରିଛନ୍ତି। ମୋ ବସ୍‌ ବ୍ୟବସ୍ଥାକୁ ନେଇ ଗଦା ଗଦା ଅଭିଯୋଗ ରହିଥିବାରୁ ଲୋକମାନେ ଉତ୍ସାହିତ ଥିବା ଲେଖିଛନ୍ତି। ବିଶେଷକରି ବାହାରେ ଛିଡ଼ା କରି ଟିକେଟ୍‌ କାଟିବା, ଖୁଚୁରା ସମସ୍ୟା ସମାଧାନ କରିବା, ୟୁପିଆଇ ପେମେଣ୍ଟ ପ୍ରଚଳନ କରିବା, ବେପରୁଆ ବସ୍‌ଚାଳନା ରୋକିବା, କର୍ମଚାରୀଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିବା, ନିର୍ଦ୍ଦିଷ୍ଟ ସ୍ଥାନକୁ ବସ୍‌ ଚଳାଚଳ କରିବା, ଅନାବଶ୍ୟକ ଭିଡ଼ ରୋକିବା ପ୍ରଭୃତି ପ୍ରସଙ୍ଗକୁ ନେଇ ଲୋକମାନେ କ୍ରୁଟ୍‌ ଏମ୍‌ଡିଙ୍କୁ ଘେରିବା ଯୋଜନା କରିଛନ୍ତି। ପୂର୍ବରୁ ଏକାଧିକ ଅଭିଯୋଗର ସମାଧାନ ହୋଇନଥିବାରୁ ଅନେକଙ୍କ ମନରେ କ୍ଷୋଭ ମଧ୍ୟ ରହିଛି। ତେବେ କେବଳ ଅଭିଯୋଗ ନୁହେଁ, ବରଂ ଲୋକମାନଙ୍କ ଠାରୁ କ୍ରୁଟ୍‌ ଏମ୍‌ଡି ପ୍ରସ୍ତାବ ମଧ୍ୟ ଆହ୍ବାନ କରିଛନ୍ତି। ପ୍ରସ୍ତାବ ଯୁକ୍ତିଯୁକ୍ତ ହେଲେ ସେ ସବୁକୁ ତୁରନ୍ତ ଗ୍ରହଣ କରାଯାଇ କାର୍ଯ୍ୟକ୍ଷମ କରାଯିବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ସୁଧାଂଶୁ ଷଡ଼ଙ୍ଗୀ ଭୁବନେଶ୍ବର-କଟକ ପୁଲିସ କମିସନର ଭାବରେ ଯୋଗଦେବା ପରେ ଏଭଳି ଏକ ଲାଇଭ୍‌ କାର୍ଯ୍ୟକ୍ରମରେ ଆସିଥିଲେ। ‘ଆସ୍କ ମି ଏନିଥିଙ୍ଗ୍‌’ ଶୀର୍ଷକ ଆଲୋଚନାରେ ଭୁବନେଶ୍ବରବାସୀଙ୍କ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ରଖିଥିଲେ। ଯାହାକୁ ଲୋକେ ବେଶ୍‌ ପସନ୍ଦ କରିଥିଲେ।

ସମ୍ବନ୍ଧିତ ଖବର