ଫ୍ଲାଟ୍‌ ପାଇଲେ ସିନା ଦୁଃଖ ସରିଲାନି, ବିପଜ୍ଜନକ ଲିଫ୍ଟ, ସରୁନି ପାଚେରି ନିର୍ମାଣ

ସମସ୍ୟାରେ ଡୁମୁଡୁମା ଫେଜ୍‌-୭ ଆପାର୍ଟମେଣ୍ଟ ଗ୍ରାହକ

ଭୁବନେଶ୍ବର: ବହୁପ୍ରତୀକ୍ଷିତ ସ୍ବପ୍ନ ସାକାର ହେଲା। ଦୀର୍ଘ ଦିନ ଧରି ସଂଗ୍ରାମ କରିବା ପରେ ଫ୍ଲାଟ୍‌ ମିଳିଲା। କିନ୍ତୁ ଏବେ ବି ଦୁଃଖ ଯାଇନି। ଘର ସିନା ହସ୍ତାନ୍ତର ହେଲା, କିନ୍ତୁ ଏଯାବତ୍‌ ସେମାନଙ୍କୁ ଯାବତୀୟ ମୌଳିକ ସୁବିଧା ସେମାନଙ୍କୁ ମିଳି ପାରିନାହିଁ। ପାନୀୟ ଜଳ ଯୋଗାଣଠାରୁ ଆରମ୍ଭ କରି ଗାଡ଼ି ରଖିବା ପାଇଁ ପାର୍କିଂ, ଲିଫ୍ଟ, ଖେଳ ପଡ଼ିଆ ଓ ଜଳ ନିଷ୍କାସନ ଆଦି ବ୍ୟବସ୍ଥା ଶତ ପ୍ରତିଶତ କାର୍ଯ୍ୟକ୍ଷମ କରାଯାଇନାହିଁ। ତେଣୁ ବହୁ ଦିନ ପରେ ଘର ଖଣ୍ଡିକ ପାଇ ଖୁସି ହୋଇଥିବା ଲୋକେ ଏବେ ଏହି ସବୁ ସମସ୍ୟା ପାଇଁ ଦହଗଞ୍ଜ ହେଲେଣି। ଏହା ହେଉଛି ଡୁମୁଡୁମା ହାଉସିଂବୋର୍ଡ କଲୋନି ଫେଜ୍‌-୭ ଆପାର୍ଟମେଣ୍ଟବାସୀଙ୍କ ଦୁଃଖ।

ସୂଚନାଯୋଗ୍ୟ, ଡୁମୁଡୁମା ହାଉସିଂବୋର୍ଡ କଲୋନି ଫେଜ୍‌-୭ରେ ଇଡବ୍ଲୁଏସ୍‌, ଏଲ୍‌ଆଇଜି ଏବଂ ଏମ୍‌ଆଇଜି ଘର ଗ୍ରାହକମାନେ ଦୀର୍ଘ ୩ବର୍ଷ ହେଲା ସଂଗ୍ରାମ ଚଳାଇ ଆସିଥିଲେ। ୨୦୧୯ ମସିହାରେ ସେମାନଙ୍କୁ ଘର ହସ୍ତାନ୍ତର କରାଯିବ ବୋଲି ହାଉସିଂବୋର୍ଡ କର୍ତ୍ତୃପକ୍ଷ କହିଥିଲେ। କିନ୍ତୁ ବିଭିନ୍ନ କାରଣରୁ ବିଳମ୍ବ ହେଲା ଏବଂ ଗ୍ରାହକମାନେ ବାରମ୍ବାର ଆନ୍ଦୋଳନ କରିବାକୁ ବାଧ୍ୟ ହେଲେ। ଶେଷରେ ୨୦୨୨ ଏପ୍ରିଲ୍‌ରେ ପ୍ରଥମ କରି ୪୦୦ରୁ ୧୦୦ ଗ୍ରାହକ ପରିବାରକୁ ଫ୍ଲାଟ୍‌ ମିଳିଲା। ଘର ପାଇଁ ୧୭ଲକ୍ଷରୁ ୪୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗଣିଥିବା ଗ୍ରାହକମାନେ ସର୍ବନିମ୍ନ ସୁବିଧା ପାଇବେ ବୋଲି ଆଶାବାଦୀ ଥିଲେ। କିନ୍ତୁ ତାହା ହୋଇପାରିନାହିଁ। ପ୍ରଥମତଃ ସେମାନଙ୍କ ପାଣି ସମସ୍ୟା ବଡ଼ ଜଟିଳ ହୋଇରହିଛି। ମାତ୍ର ୨ ଘଣ୍ଟା ପାଣି ଯୋଗାଣ ହେଉଥିବାରୁ ୧୦୦ ପରିବାରଙ୍କ ପାଇଁ ଯଥେଷ୍ଟ ହେଉନାହିଁ।

୯ରୁ ମାତ୍ର ୩ଟି ଲିଫ୍ଟ କାର୍ଯ୍ୟକ୍ଷମ ହୋଇପାରିଛି। ବାକିଗୁଡ଼ିକ ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ଲିଫ୍ଟ ନିର୍ମାଣ ପାଇଁ ବଡ଼ ବଡ଼ ଗାତ ଖୋଳା ହୋଇ ରହିଥିବାରୁ ଛୋଟ ପିଲା, ବରିଷ୍ଠ ନାଗରିକଙ୍କ ପାଇଁ ବିପଦ ହୋଇ ରହିଛି। ପାର୍କିଂ ସୁବିଧା ନଥିବାରୁ ଗାଡ଼ି ରଖିବାରେ ଅସୁବିଧା ହେଉଛି। ପିଲାଙ୍କ ପାଇଁ ଖେଳ ପଡ଼ିଆଟିଏ ହୋଇପାରିନାହିଁ। ପାଣି ନିଷ୍କାସନ ବ୍ୟବସ୍ଥା ହୋଇନଥିବାରୁ ଆପାର୍ଟମେଣ୍ଟ ଛାତରେ ପାଣି ଜମା ହୋଇ ରହୁଛି। ପାଚେରି ନିର୍ମାଣ ସରି ନଥିବାରୁ ପରିସରରୁ ଚୋରି ଆରମ୍ଭ ହୋଇଗଲାଣି। ଘର ହସ୍ତାନ୍ତର କରାଯିବା ବେଳେ ଏସବୁ ସମସ୍ୟା ମାସକରେ ସମାଧାନ ହୋଇଯିବ ବୋଲି କୁହାଯାଇଥିଲା। କିନ୍ତୁ ଏହା ଭିତ‌ରେ ୭ମାସ ବିତିଯାଇଥିଲେ ବି କିଛି ହୋଇପାରିନାହିଁ। ତେଣୁ ଫ୍ଲାଟ୍‌ ମିଳିବା ଭଳି ପୁଣି କେତେ ଦିନ କର୍ତ୍ତୃପକ୍ଷଙ୍କ ବିରୋଧରେ ସଂଗ୍ରାମ କରିବାକୁ ପଡ଼ିବ ବୋଲି ସେମାନେ କ୍ଷୋଭର ସହ କହିଛନ୍ତି।

ସମ୍ବନ୍ଧିତ ଖବର