ଭୁବନେଶ୍ବର: ଜବରଦଖଲ ଜାଗା ସରକାରଙ୍କ ପାଖକୁ ଫେରାଇ ଆଣିବାକୁ ୩୭ ନମ୍ବର ୱାର୍ଡ କର୍ପୋରେଟର ବନ୍ଦିତା ପାଲ୍ ଦୀର୍ଘ ୮ ଦିନ ଧାରି ଧାରଣା ଦେବା ପରେ ଆଜି ବିଏମ୍ସିର ନିଦ ଭାଙ୍ଗିଛି। ମେୟର ସୁଲୋଚନା ଦାସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଆଶ୍ବାସନା ଦେଇଛନ୍ତି। ଜମି ସରକାରଙ୍କର, ଏଣୁ ଜବରଦଖଲ ହଟିବା ସହ ଏହାକୁ ତୁରନ୍ତ ପାଚେରି କରାଯାଇ ୱାର୍ଡ ଅଫିସ୍ ନିର୍ମାଣ ହେବ ବୋଲି କହିବା ପରେ ବନ୍ଦିତା ଧାରଣାରୁ ଉଠିଛନ୍ତି। ବିଳମ୍ବରେ ହେଉପଛେ ବିଏମ୍ସି ତତ୍ପରତା ପ୍ରକାଶ କରିଥିବାରୁ ଜନସ୍ବାର୍ଥ ରକ୍ଷା ହୋଇଛି ବୋଲି ଶ୍ରୀମତୀ ପାଲ୍ କହିଛନ୍ତି।
ୱାର୍ଡ ନମ୍ବର ୩୭ରେ ରହିଥିବା ବୈଭବ ଆପାର୍ଟମେଣ୍ଟ ସାମ୍ନାରେ ଏହି ସରକାରୀ ଜାଗା ରହିଛି। ପ୍ରାୟ ୫ ଶହ ଡିସିମିଲ ଜାଗା ବୈଭବ ଡେଭଲପର୍ସ କର୍ତ୍ତୃପକ୍ଷ ମାଡ଼ି ବସି ପାର୍କିଂ ଭାବେ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ଏହି ଜାଗାକୁ ପାର୍କିଂ ଭାବେ ବ୍ୟବହାର କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗକୁ ଆବେଦନ କରି ହତାଶ ହେବା ପରେ ବିଲ୍ଡର୍ ସଂସ୍ଥା ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଏହାର ବିଚାର କରି ଫଇସଲା କରିବାକୁ ହାଇକୋର୍ଟ ଇଷ୍ଟେଟ୍ ନିର୍ଦ୍ଦେଶକଙ୍କୁ ଆଦେଶ ଦେଇଥିଲେ। ଇଷ୍ଟେଟ୍ ନିର୍ଦ୍ଦେଶକ ମାମଲାର ବିଚାର କରି ବୈଭବ ଡେଭଲପର୍ସର ଆବେଦନକୁ ଖାରଜ କରିବା ସହ ଜବରଦଖଲ ଉଚ୍ଛେଦ ନିର୍ଦ୍ଦେଶ ଦେଇଥିଲେ। ତିନି ମାସ ତଳେ ଏଠାରେ ଉଚ୍ଛେଦ ହୋଇଥିଲା। ଏଠାରେ ୱାର୍ଡ ଅଫିସ୍ ନିର୍ମାଣ କରିବାକୁ ଯୋଜନା ହୋଇଥିଲା। ‘ଅନୁପ୍ରବେଶ ଦଣ୍ଡନୀୟ ଅପରାଧ’ ବୋଲି ବିଏମ୍ସି ବୋର୍ଡ ଲଗାଇଥିଲା। ୮ ଦିନ ତଳେ ସମ୍ପୃକ୍ତ ବିଲ୍ଡର ତାହାକୁ ଉପାଡ଼ି ଦେଇ ପାର୍କିଂ ଆରମ୍ଭ କରିଥିଲେ। ଏହା ବିରୋଧରେ ବନ୍ଦିତା ଧାରଣା ଦେଇଥିଲେ।