ବାଲିପାଟଣା: ଏମାନେ ରାଜ୍ୟ ସଂସ୍କୃତି ବିଭାଗର ସ୍ବୀକୃତିପ୍ରାପ୍ତ କଳାକାର। ଉତ୍କଳୀୟ କଳା ଓ ସଂସ୍କୃତିକୁ ଦେଶ ବିଦେଶରେ ପରିବେଷଣ କରି ଏମାନେ ରାଜ୍ୟର ସୁନାମ ବୃଦ୍ଧି କରନ୍ତି। ଏଥିପାଇଁ ସଂସ୍କୃତି ବିଭାଗ ଏମାନଙ୍କୁ ଲୋଡ଼େ। ମାତ୍ର କରୋନା ସଂକଟ ସମୟରେ ରୋଜଗାର ହରାଇ ଏମାନେ ବଡ଼ ହୀନସ୍ତା ହେଉଛନ୍ତି। ସରକାରୀ ଓ ବେସରକାରୀ ସବୁ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ଥିବାରୁ ଦୀର୍ଘ ୭ ମାସ ହେଲା ଏମାନଙ୍କର ପଇସାଟିଏ ରୋଜଗାର ନାହିଁ। ତେଣୁ ଏମାନେ ଏବେ ଭୋକ ଉପାସରେ ରହିବା ଭଳି ଅବସ୍ଥାରେ ପଡ଼ିଛନ୍ତି। ଦିନେ ଯେଉଁମାନେ ଦିଲ୍ଲୀ, ମୁମ୍ବାଇ, ରାଜସ୍ଥାନ, ଗୁଜୁରାଟ, ଆଣ୍ଡାମାନ, କୋଲକାତା, ଆସାମ, ମଣିପୁର, ତ୍ରିପୁରା, ନାଗାଲାଣ୍ଡ, ହିମାଞ୍ଚଳ ପ୍ରଦେଶ, ପଞ୍ଜାବ, ହରିୟାଣା ପ୍ରଭୃତି ରାଜ୍ୟରେ କଳା ପ୍ରଦର୍ଶନ କରି ଓଡ଼ିଶାର ଟେକ ରଖୁଥିଲେ, ସେମାନେ ଏବେ ଭୋକ ଉପାସରେ ରହିବାକୁ ବାଧ୍ୟ ହେଉଛନ୍ତି। ଦିନେ ଯେଉଁମାନେ ଇଟାଲୀ, ସୁଇଜରଲ୍ୟାଣ୍ଡ ଭଳି ୟୁରୋପୀୟ ମହାଦେଶରେ ଓଡ଼ିଶାର କଳା ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିଣି ପାରିଥିଲେ, ଆଜି ସେମାନେ ଅବହେଳିତ ଅବସ୍ଥାରେ। ଏମାନଙ୍କ ପ୍ରତି ରାଜ୍ୟ ସଂସ୍କୃତି ବିଭାଗର ଟିକିଏ ବି ଦରଦ ନାହିଁ। ସହାୟତା ତ ମିଳୁନାହିଁ, ପୂର୍ବରୁ ବିଭାଗ ଉପରେ ପଡ଼ି ରହିଥିବା ବାକି ଟଙ୍କା ମଧ୍ୟ ଦିଆଯାଉନାହିଁ। ଏହା ହେଉଛି ବାଲିପାଟଣା ଅଞ୍ଚଳର ଦୁଇ ଦୁଇଟି ଗୋଟିପୁଅ ସଂସ୍ଥାର କଳାକାରମାନଙ୍କ ଦୁଃଖ ଦୁର୍ଦ୍ଦଶାର କାହାଣୀ।
ଏହି ବ୍ଲକ ଅନ୍ତର୍ଗତ କୁରୁଞ୍ଜିପୁର ପଞ୍ଚାୟତ ଇନ୍ଦୋଳ କୁସିଆରି ଗ୍ରାମର ଦିବଙ୍ଗତ ଗୁରୁ ବୀରବର ସାହୁଙ୍କଠାରୁ ଶିକ୍ଷା ଲାଭ କରି ଗୁରୁ ଲିଙ୍ଗରାଜ ବାରିକ ଗୋଟିପୁଅ ନୃତ୍ୟକୁ ଜୀବିକା ଭାବେ ଗ୍ରହଣ କରିନେଇଛନ୍ତି। ଗୁରୁ ଲିଙ୍ଗରାଜଙ୍କ ଦ୍ବାରା ଗଢ଼ି ଉଠିଛି ‘ଲକ୍ଷ୍ମୀପ୍ରିୟା ଗୋଟିପୁଅ କେନ୍ଦ୍ର’। ୧୯୯୦ ମସିହାରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏହି ସଂସ୍ଥାକୁ ସ୍ୱୀକୃତି ମିଳିଲା। ପରବର୍ତ୍ତୀ କାଳରେ କିଛି କଳାକାର ‘ନାରାୟଣୀ ଗୋଟିପୁଅ କଳା ପରିଷଦ’ ନାମରେ ଆଉ ଏକ ଅନୁଷ୍ଠାନ ଗଢ଼ିଛନ୍ତି। ୨୦୦୯ ମସିହାରେ ସେମାନେ ମଧ୍ୟ ସରକାରୀ ସ୍ୱୀକୃତି ହାସଲ କରିଛନ୍ତି। ଏହି ଦୁଇ ଦଳରେ ପାଖାପାଖି ୩୦ ଜଣ ଲେଖାଏ ସଦସ୍ୟ ଅଛନ୍ତି। ହାର୍ମୋନିୟମ, ପଖଜ, ବଂଶୀ, ଭାଓଲିନ, ଗିନି ପ୍ରଭୃତି ବାଦ୍ୟଯନ୍ତ୍ରରେ ୨୦ ଜଣ କଳାକାର ଅଛନ୍ତି। ଗୁରୁ ଲିଙ୍ଗରାଜ ଗୋଟିପୁଅ ସହିତ ବନ୍ଧ ନୃତ୍ୟକୁ ଯୋଡ଼ି କଳା ପରିବେଷଣ କରିଥାନ୍ତି। ଏହି ନୃତ୍ୟରେ କଳାକାରମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ନୃତ୍ୟଶିକ୍ଷା ସହିତ ଏଥିରେ କଳାକାରମାନଙ୍କୁ ଯୋଗ, ବନ୍ଧ, ଅଭିନୟ ଓ ମଙ୍ଗଳାଚରଣ ପ୍ରଭୃତି ଶିକ୍ଷା ଗ୍ରହଣ କରିବାକୁ ପଡ଼ିଥାଏ। ଧୀରେ ଧୀରେ ଏହି ସଂସ୍ଥାର କଳାକାରମାନଙ୍କ ନୃତ୍ୟ ପରିବେଷଣ ବେଶ୍ ଲୋକପ୍ରିୟତା ହାସଲ କରିବାରୁ ଅନୁଷ୍ଠାନ ପ୍ରତି ଅଧିକ ପିଲାଙ୍କ ଆଗ୍ରହ ବଢ଼ିଥିଲା। ବହୁ ନୂଆ ପିଲା ନୃତ୍ୟ ଶିକ୍ଷା ପାଇଁ ଆଗ୍ରହୀ ହୋଇ ଅନୁଷ୍ଠାନରେ ଯୋଗ ଦେଲେ। ବିଭିନ୍ନ ସରକାରୀ କିମ୍ବା ବେସରକାରୀ ସଂସ୍ଥା ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣର ସୁଯୋଗ ମିଳିଲା। ଭଲ ଦୁଇ ପଇସା ରୋଜଗାର ମଧ୍ୟ ହେଉଥିଲା। ହେଲେ ହଠାତ୍ କାଳ ସାଜିଲା କରୋନା। କଟକଣା ଲାଗୁ ହେବା ପରେ କଳାକାରମାନେ ଅଲୋଡ଼ା ହୋଇ ପଡ଼ିଲେ। ଏମିତିକି ରାଜ୍ୟ ସଂସ୍କୃତି ବିଭାଗ ସେମାନଙ୍କୁ ଆଡ଼ ନଜରରେ ଦେଖିଲା। ଫଳରେ ସବୁ ଦିଗରୁ ସେମାନେ ଅସହାୟ ହୋଇ ପଡ଼ିଛନ୍ତି। ଲକ୍ଷ୍ମୀପ୍ରିୟା ଗୋଟିପୁଅ ସଂସ୍ଥାର ସଦସ୍ୟ ଆର୍ତ୍ତବନ୍ଧୁ ବାରିକଙ୍କ ସୂଚନା ଅନୁସାରେ ତାଙ୍କ ଦଳ ପୁରୀର ଝୁଲଣ ଯାତ୍ରା, କୋଣାର୍କ ନାଟ୍ୟ ମଣ୍ଡପ, ପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଏବଂ ଦୋଳ ଯାତ୍ରା ସମୟରେ କାର୍ଯ୍ୟକ୍ରମ ପାଇଥାନ୍ତି। ମାତ୍ର ଚଳିତ ବର୍ଷ ସବୁ ବନ୍ଦ ହୋଇଯିବାରୁ କଳାକାରମାନେ ହାତବାନ୍ଧି ବସିଛନ୍ତି।
ସେହିପରି ନାରାୟଣୀ ଗୋଟିପୁଅ କଳାପରିଷଦ ସମ୍ପାଦକ ବାବୁଲି ଭୂୟାଁଙ୍କ ସୂଚନା ଅନୁସାରେ ତାଙ୍କ ଦଳ ଓଡ଼ିଶାର ବିଭିନ୍ନ ସ୍ଥାନ ସହିତ ଦିଲ୍ଲୀ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ ଭଳି ସହରରେ କଳା ପରିବେଷଣ କରନ୍ତି। ସଂସ୍କୃତି ବିଭାଗ ପକ୍ଷରୁ ଗତବର୍ଷ ନଭେମ୍ବର ମାସରେ ସେମାନେ ମୁମ୍ବାଇରେ କଳା ପରିବେଷଣ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କ ପାଉଣା ସରକାରଙ୍କ ଉପରେ ବାକି ପଡ଼ିଛି। ଏନେଇ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ସେମାନେ ଆପତ୍ତି ଜଣାଇଛନ୍ତି। କିନ୍ତୁ କିଛି ସୁଫଳ ମିଳିନାହିଁ। ଏଭଳି ଅବସ୍ଥାରେ ଏହି କଳାକାରମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ଦାବି କରାଯାଉଛି।