ଭୁବନେଶ୍ବର : ପୁରୁଣା ଭୁବନେଶ୍ବରରେ ଥିବା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ୨୪ ଘଣ୍ଟା ଖୋଲୁଛି। ୩ଟି ସିଫ୍ଟରେ ଡାକ୍ତର ସେବା ଯୋଗାଉଛନ୍ତି। ହେଲେ ଡାକ୍ତରଙ୍କ ଡ୍ୟୁଟି ସରିବା ପୂର୍ବରୁ ଔଷଧ ବିତରକ କେନ୍ଦ୍ର ବନ୍ଦ ହୋଇଯାଉଛି। ଓପିଡିକୁ ଯାଇଥିବା ରୋଗୀଙ୍କୁ ଘରୋଇ ଔଷଧ ଦୋକାନ ଉପରେ ନିର୍ଭର କରିବାକୁ ପଡ଼ୁଛି। ତେଣୁ ଅତି କମ୍ରେ ଓପିଡି ଚାଲିବା ପର୍ଯ୍ୟନ୍ତ ଫର୍ମାସି ଖୋଲା ରଖିବା ଲାଗି ରୋଗୀମାନେ ଦାବି କରିଛନ୍ତି। ଫଳରେ ଗରିବ ରୋଗୀମାନେ ଉପକୃତ ହୋଇପାରିବେ।
ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟରେ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ସକାଳ ଓପିଡି ଚାଲୁଛି। ହେଲେ ହସ୍ପିଟାଲରେ ଥିବା ଔଷଧ ବିତରକ କେନ୍ଦ୍ରର ଧାର୍ଯ୍ୟ ସମୟ ସକାଳ ୮ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ରହିଛି। ତାହା ମଧ୍ୟ ଠିକ୍ ସମୟରେ ଖୋଲୁ ନଥିବା ଅଧିକାଂଶ ରୋଗୀ ଅଭିଯୋଗ କରୁଛନ୍ତି। ତେଣୁ ୧୨ଟା ପରେ ଯେଉଁ ରୋଗୀମାନେ ଓପିଡିକୁ ଯାଉଛନ୍ତି, ସେଠାରେ ଡାକ୍ତରଙ୍କୁ ଦେଖାଇବା ପରେ ଔଷଧ ନ ପାଇ ଫେରୁଛନ୍ତି। ଅପରାହ୍ଣରେ ମଧ୍ୟ ସମାନ ଅବସ୍ଥା। ଅପରାହ୍ଣରେ ୩ଟାରୁ ୫ଟା ପର୍ଯ୍ୟନ୍ତ ଔଷଧ କେନ୍ଦ୍ର ଖୋଲୁଛି। କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଏବେ ହସ୍ପିଟାଲରେ ରୋଗୀଙ୍କ ଭିଡ଼ ଦେଖିବାକୁ ମିଳିଛି। କିନ୍ତୁ ଏଭଳି ଅବ୍ୟବସ୍ଥା ଯୋଗୁଁ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନରେ ପ୍ରବଳ ଭିଡ଼ ହେଉଛି।
ହସ୍ପିଟାଲ ମଧ୍ୟ ବିପଦସଂକୁଳ ଅବସ୍ଥାରେ ରହିଛି। ହସ୍ପିଟାଲରେ ଲାଗିଥିବା ନିଆଁଲିଭା ଯନ୍ତ୍ରର ଅବଧି ୨ବର୍ଷ ତଳେ ଶେଷ ହୋଇଯାଇଛି। ମାତ୍ର ଆଜି ବି ହସ୍ପିଟାଲ କାନ୍ଥରେ ଏହା ଝୁଲୁଛି। ହସ୍ପିଟାଲରେ ଏବେ ଅନେକ ରୋଗୀ ଆଡମିଟ୍ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଯଦି ହସ୍ପିଟାଲରେ କୌଣସି ଅଘଟଣ ଘଟେ, ତାହାଲେ ଏଥିପାଇଁ କିଏ ଦାୟୀ ରହିବ? ନିଆଁଲିଭା ଯନ୍ତ୍ରକୁ ଅଘଟଣ ସମୟରେ କିଏ ପରିଚାଳନା କରିବ, ତାହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
/sambad/media/post_attachments/wp-content/uploads/2021/01/m18-1-scaled.jpg)
ଅପରପକ୍ଷରେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢ଼ିଥିବା ବେଳେ କୁକୁର ବୁଲୁଛନ୍ତି। ତେଣୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ କୁକୁର କାମୁଡ଼ିବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦେଇ ହେବ ନାହିଁ। ତେଣୁ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ଏକପ୍ରକାର ବାଜିରେ ଲାଗିଥିବା ଅଭିଯୋଗ ହେଉଛି।
ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ଉପ-ଅଧୀକ୍ଷକ ଡା. ହରୀଶ କୁମାର ପାଣିଗ୍ରାହୀ କହିଛନ୍ତି, ସରକାରଙ୍କ ନିୟମ ଅନୁସାରେ, ସକାଳ ୮ରୁ ୧୨ଟା ପର୍ଯ୍ୟନ୍ତ ଡିସ୍ପେନସାରି ଖୋଲିଥାଏ। ଅପରାହ୍ଣରେ ଏପ୍ରିଲ-ସେପ୍ଟେମ୍ବର ପର୍ଯ୍ୟନ୍ତ ୪ଟାରୁ ୬ଟା ପର୍ଯ୍ୟନ୍ତ ଓ ଅକ୍ଟୋବର-ମାର୍ଚ ପର୍ଯ୍ୟନ୍ତ ୩-୫ଟା ପର୍ଯ୍ୟନ୍ତ ଖୋଲା ରହିଥାଏ। ଇନଡୋର୍ ରୋଗୀଙ୍କ ସୁବିଧା ପାଇଁ ୨୪ ଘଣ୍ଟିଆ ଡାକ୍ତରୀ ବ୍ୟବସ୍ଥା କରାଯାଇଛି। ତେଣୁ ଏଥିରେ କୌଣସି ପ୍ରକାର ପରିବର୍ତ୍ତନ ହୋଇପାରିବ ନାହିଁ। ତେବେ ହସ୍ପିଟାଲରେ ୨ଜଣ ଫାର୍ମାସିଷ୍ଟ ଥିବା ବେଳେ ଜଣେ ଛୁଟିରେ ରହିଛନ୍ତି। ଏବେ ଜଣେ କାର୍ଯ୍ୟରେ ଥିବାରୁ ହୁଏତ ସମୟରେ ବିଭ୍ରାଟ ହୋଇପାରିଥାଏ ବୋଲି ଡା. ପାଣିଗ୍ରାହୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/medi.jpg)