ରାଜଧାନୀରେ ସରକାରୀ ଜମି: ଯେତିକି ମୁକୁଳିଛି, ସେତିକି ଖସୁଛି

ଉପକଣ୍ଠରେ କମୁଛି ଚାଷ ଜମି, ୩ ମାସରେ ଫେରିଛି ୫୦ ଏକର

ଭୁବନେଶ୍ବର : ରାଜଧାନୀରେ ସକ୍ରିୟ ହୋଇଉଠିଛନ୍ତି ଜମି ମାଫିଆ। ସରକାରୀ ଜମିକୁ ରାତାରାତି କବ୍‌ଜା କରି ନେଉଛନ୍ତି। ଯେଉଁଠି ବି ଟିକିଏ ଖୋଲା ସ୍ଥାନ ପାଉଛନ୍ତି, ରାତାରାତି ଘର ଛିଡ଼ା କରିଦେଉଛନ୍ତି। ସ୍ଥିତି ଏମିତି ହେଲାଣି ଯେ ଜମି ମାଫିଆ ସରକାରୀ ଜମିକୁ ବିକିବା ଆରମ୍ଭ କରିଦେଇଛନ୍ତି। ଗତ ସପ୍ତାହରେ ସାଲିଆ ସାହିର ଏଭଳି ଘଟଣା ସା‌ମ୍ନାକୁ ଆଣିଥିଲା ‘ସମ୍ବାଦ’। ଏହା ଉପରେ ଅଧିକ ତନାଘନା କରିବା ପରେ ଜଣାପଡ଼ିଛି ଯେ ସହରର କୋଣଅନୁକୋଣରେ ସରକାରୀ ଜମିକୁ ମାଫିଆମାନେ ଏଭଳି ଭାବେ ବିକ୍ରି କରି ଚାଲିଛନ୍ତି। କେବଳ ଜମି ନୁହେଁ, ସରକାରୀ ଜମିରେ ନିର୍ମିତ ଘରକୁ ୨ରୁ ୩ଲକ୍ଷ ଟଙ୍କାରେ ବିକ୍ରି କରି ଦେଉଛନ୍ତି। ସହର ମଧ୍ୟ ଭାଗରେ ଦର ଅଧିକ ରହୁଥିବା ବେଳେ ଅନ୍ୟ ଅଞ୍ଚଳରେ ମୂଲ୍ୟ ଟିକିଏ କମ୍‌ ରହୁଛି।

ସକ୍ରିୟ ଜମି ମାଫିଆ, ଚିନ୍ତାରେ ପ୍ରଶାସନ
ଉଚ୍ଛେଦରେ ବାଧକ କରୋନା କଟକଣା

ସରକାରୀ ବାବୁଙ୍କଠାରୁ ଆରମ୍ଭ କରି ବସ୍ତିବାସିନ୍ଦାଙ୍କ ପର୍ଯ୍ୟନ୍ତ କେହି ବି ଏହି ବେଆଇନ କାରବାରରୁ ବାଦ୍‌ ପଡ଼ି ନାହାନ୍ତି। ବାବୁମାନେ ନିଜ ଘର ନିକଟରେ ଥିବା ସରକାରୀ ଜମିକୁ ଜବରଦଖଲ କରି ନେଉଛନ୍ତି। ବାଡ଼ ବୁଲାଇ ନିଜର ବୋଲି କହୁଛନ୍ତି। ବସ୍ତିବାସିନ୍ଦାଙ୍କ କଥା ନ କହିବା ଭଲ। ଦିନେ ଯେଉଁ ବସ୍ତିରେ ୩୦ରୁ ୪୦ଘର ଥିଲା, ଆଜି ସେଠାରେ ଶତାଧିକ ଘର ଛିଡ଼ା ହୋଇଛି। ଉଦାହରଣ ଭାବେ ୟୁନିଟ୍‌-୯‌ରେ ଥିବା ବାୟାବାବା ବସ୍ତିକୁ ନିଆଯାଇପାରେ। ୨୦୦୯ରେ ଏହି ବସ୍ତିରେ ୫୦ରୁ ୬୦ ପରିବାର ରହୁଥି‌ଲେ। ଏବେ ଘର ସଂଖ୍ୟା ଶହେ ଟପି ଗଲାଣି। ଉତ୍କଳ ବିଶ୍ବବିଦ୍ୟାଳୟକୁ ଲାଗି ରହିଥିବା ପଥରଗାଡ଼ିଆ କଥା ନ କହିବା ଭଲ। ୧୦ ବର୍ଷରେ ଏହାର କଳେବର ଦୁଇ ଗୁଣା ବୃଦ୍ଧି ପାଇଛି। ଗାଡ଼କଣ ମୌଜାର ଅରବିନ୍ଦନଗର ବସ୍ତି ଓ ତାରିଣୀ ବସ୍ତିରେ ମଧ୍ୟ ସମାନ ଅବସ୍ଥା। ଏହି ଦୁଇ ବସ୍ତିରେ ବିଡିଏ ଗୋଟିଏ ଜାଗାରେ ଜବରଦଖଲ ଉଚ୍ଛେଦ କରୁଥିବା ବେଳେ ବସ୍ତିବାସିନ୍ଦା ଆଉ ଗୋଟିଏ ସ୍ଥାନରେ ସରକାରୀ ଜମି ମାଡ଼ି ବସୁଛନ୍ତି। ସରକାରୀ ବାବୁମାନେ ବି ନିଜ ବାସଭବନ ନିକଟରେ ଖାଲିଥିବା ସରକାରୀ ଜମିକୁ ମାଡ଼ି ବସୁଛନ୍ତି। ଘର କରି ଭଡ଼ା ଦେବା ସହ ମାସକୁ ହଜାର ହଜାର ଟଙ୍କା ଆଦାୟ କରୁଛନ୍ତି।

ସହରରେ ଜମି ଜବରଦଖଲମୁକ୍ତ କରିବାକୁ ପ୍ରଶାସନ ଅଣ୍ଟା ଭିଡ଼ିଛି। ଗତ ୩ମାସ ମଧ୍ୟ‌ରେ ସହରରେ ୫୦ ଏକରରୁ ଅଧିକ ସରକାରୀ ଜମି ଜବରଦଖଲମୁକ୍ତ ହୋଇଛି। ତମାଣ୍ଡୋରେ କେବଳ ୧୦ଏକର ପରିମିତ ସରକାରୀ ଜମି ଜବରଦଖଲମୁକ୍ତ କରାଯାଇଛି। ଚନ୍ଦ୍ରଶେଖରପୁର ନୀଳମାଧବ ବସ୍ତି ଜବରଦଖଲମୁକ୍ତ ହେବା ସହ ୩ ଏକର ଜମି ସରକାରୀ ଖାତାକୁ ଫେରିଛି। ଗାଡ଼କଣ ମୌଜାର ଅରବିନ୍ଦନଗର ଓ ତାରିଣୀ ବସ୍ତିରେ ୫ ଏକର ସରକାରୀ ଜମି ଜବରଦଖଲମୁକ୍ତ କରିବାକୁ ପ୍ରକ୍ରିୟା ଚାଲିଥିଲେ ମଧ୍ୟ ସଫଳତା ମିଳିପାରି ନାହିଁ। ସରକାରୀ ଜମିରେ ଛିଡ଼ା ହୋଇଥିବା ୧୭୯ ଘର ମଧ୍ୟରୁ ମାତ୍ର ୩୫ଟି ଘର ଭାଙ୍ଗିଛି। ଆହୁରି ଶତାଧିକ ଘର ରହିଛି। ଯେଉଁମାନେ ଏଠାରେ ରହୁଛନ୍ତି ସେମାନଙ୍କୁ ଫ୍ଲାଟ୍‌ ମିଳିଛି। ତା’ପରେ ବି ସେମା‌ନେ ବସ୍ତିରେ ଘର ଭଡ଼ାରେ ଦେଇ ଟଙ୍କା ରୋଜଗାର କରୁଛନ୍ତି। କେହି କେହି ଘର ବିକ୍ରି କରିଥିବା ସୂଚନା ମିଳିଛି। ଡମଣା ଶ୍ମଶାନର ୫ ଏକର ଜମି ଜବରଦଖଲମୁକ୍ତ ହୋଇଥିବା ବେଳେ ବିମାନବନ୍ଦର ସମ୍ପ୍ରସାରଣ ଲାଗି ଓୟୁଏଟି ପଛପାର୍ଶ୍ବରେ ୩ ଏକର ଜମି, ଖଣ୍ଡଗିରିରେ ଅସ୍ଥାୟୀ ବସ୍‌ ଟର୍ମିନାଲ ଲାଗି ୩ ଏକର ଜମି ଜବରଦଖଲମୁକ୍ତ ହୋଇଛି। ଏହାବ୍ୟତୀତ ସହରର ଅନ୍ୟ ସ୍ଥାନଗୁଡ଼ିକରେ ବି ଉଚ୍ଛେଦ ହୋଇଛି।

ଗୋଟିଏପଟେ ପ୍ରଶାସନ ଉଚ୍ଛେଦ କରିବାକୁ ଲାଗିଛି। ଆରପଟରେ ସରକାରୀ ଜମି ଜବରଦଖଲ ବି ବୃଦ୍ଧି ପାଉଛି। ପ୍ରତିଦିନ ଯେତିକି ସରକାରୀ ଜମି ମୁକୁଳା ଯାଉଛି, ଆହୁରି ‌ସେମିତି ଜମି ଜବରଦଖଲ ହେଉଛି। ଯାହାକି ଏବେ ପ୍ରଶାସନ ଲାଗି ମୁଣ୍ଡବ୍ୟଥାର କାରଣ ପାଲଟିଛି। କରୋନା ସମୟରେ ଜବରଦଖଲ ଏତେ ବଢ଼ିଯାଇଛି ଯେ ଆକଳନ କରିବା ପ୍ରଶାସନ ପକ୍ଷେ କଷ୍ଟକର ହୋଇଯାଉଛି। ‌କେଉଁଠି କିଏ ଓ କେମିତି ଜମି ହାତେଇଛନ୍ତି, ତାହାର ଟେର୍‌ ମିଳୁନି। ବିଭିନ୍ନ ଆଡ଼ୁ ଅଭିଯୋଗ ଆସିବା ପରେ ଜବରଦଖଲ ଉଚ୍ଛେଦ କରିବାକୁ ବିଡିଏ ଅଣ୍ଟା ଭିଡ଼ିଥିଲେ ବି କରୋନା କଟକଣା ବାଧା ସୃଷ୍ଟି କରୁଛି। ଲୋକଙ୍କ ସ୍ଥାୟୀ ଘର ନ ଭାଙ୍ଗିବାକୁ ନିର୍ଦେଶ ରହିଛି। ଯେଉଁଥିପାଇଁ ଉଚ୍ଛେଦ ପ୍ରକ୍ରିୟା ଆଗେଇ ପାରୁ ନାହିଁ। ତେବେ ବିକାଶ ଲାଗି ଯେଉଁଠି ଜବରଦଖଲ ହଟାଇବାର ଆବଶ୍ୟକତା ରହିଛି, ସେଠାରେ ପଦକ୍ଷେପ ନିଆଯାଉଥିବା ବିଡିଏର ଜଣେ ଅଧିକାରୀ କହିଛନ୍ତି।

୨୦୦୦ରୁ ୨୦୧୪ ମସିହା ମଧ୍ୟରେ ରାଜଧାନୀରେ ଚାଷ ଓ ଜଙ୍ଗଲ ଜମି ପରିମାଣ ୮୨.୬୯ ପ୍ରତିଶତ କମିଛି। ଏହି ସମୟ ମଧ୍ୟ‌ରେ ସହରୀକରଣ ବହୁ ମାତ୍ରାରେ ବଢ଼ିଛି। ରାସ୍ତାଘାଟର ବିକାଶ ହେବା ସହ ବଡ଼ ବଡ଼ କୋଠା ମୁଣ୍ଡ ଟେକିଛି। ୨୦୧୯ରେ ଭୁବନେଶ୍ବର ଆଇଆଇଟି ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟ ଅନୁଯାୟୀ, ୨୦୦୦ ମସିହାରେ ଭୁବନେଶ୍ବର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ମିଶାଇ କରାଯାଇଥିବା ସର୍ଭେରେ ଚାଷ ଓ ଜଙ୍ଗଲ ଜମି ୪୩.୧୦ ବର୍ଗ କିମି ରହିଥିଲା। ତେବେ ୨୦୧୪ ବେଳକୁ ଜମି ପରିମାଣ ବହୁ ପରିମାଣରେ ହ୍ରାସ ପାଇ ୭.୪୬ ବର୍ଗ କିମିରେ ପହଞ୍ଚିଥିଲା। ୨୦୦୦ରେ ଭୁବନେଶ୍ବରର ୩୮.୭୦ ବର୍ଗ କି.ମି ଅଞ୍ଚଳ ସହରୀକରଣ ଥିଲା। ୧୫ବର୍ଷ ମଧ୍ୟରେ ଏହା ବୃଦ୍ଧି ପାଇଁ ୭୦.୮୬ ବର୍ଗ କି.ମିରେ ପହଞ୍ଚିଥିଲା। ଇତି ମଧ୍ୟରେ ଆଉ ୫ବର୍ଷ ବିତିଗଲାଣି। ଆହୁରି କେତେ ଚାଷ ଜମି ସହରୀକରଣ ପ୍ରଭାବରେ ପ୍ରଭାବିତ ହୋଇଥିବ, ତାହା ସ୍ପଷ୍ଟ ଅନୁମେୟ। ଉକ୍ତ ରିପୋର୍ଟ ଅନୁଯାୟୀ ସହରର କଳେବର ୪ ଦିଗରେ ବଢ଼ୁଛି। ଭୁବନେଶ୍ବର ଓ ଜଟଣୀ ବ୍ଲକରେ ଥିବା ଜଙ୍ଗଲ ଓ ଚାଷ ଜମି ବହୁ ପରିମାଣରେ କମିବା ସହ ସହରୀକରଣ ବଢ଼ିଛି। ଖୋର୍ଧା‌, ବାଲିଅନ୍ତା, ବାଲିପାଟଣା, ପିପିଲି ବ୍ଲକରେ ବି ସହରୀକରଣ ଛାପ ବାଜିଛି। ୨୦୦୦ ମସିହାରେ କଟକ-ଭୁବନେଶ୍ବର ଟୁଇନ୍‌ ସିଟି ମଝିରେ ଖାଲି ପଡ଼ିଥିବା ଚାଷ ଜମିରେ ଏବେ ବିଶାଳ କୋଠାମାନ ଛିଡ଼ା ହୋଇଛି।

 

ସମ୍ବନ୍ଧିତ ଖବର