ଭୁବନେଶ୍ବର: ସରକାରୀ ଜମି ଜବରଦଖଲ କର। ପରବର୍ତ୍ତୀ ପର୍ଯ୍ୟାୟରେ ତଞ୍ଚକତା କରି ନିଜ ନାମରେ କରାଇନିଅ। ଏଭଲି ଘଟଣା ଏବେ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହେଲାଣି। ସରକାରୀ ଜମି ସୁରକ୍ଷା ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାପାଳମାନଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ବୌଦ୍ଧ ଜିଲ୍ଲା ବୌଦ୍ଧ ତହସିଲର ୧୦୦୦ ଏକରରୁ ଅଧିକ ସରକାରୀ ଜମି ମଧ୍ୟରେ ପାହାଡ଼, ଉନ୍ନତ ଯୋଜନା ଯୋଗ୍ୟ, ପତିତଜଙ୍ଗଲ ସହିତ ସାରଦ ଜଳ-୨ ଇତ୍ୟାଦି କିସମ ସରକାରୀ ଜମିକୁ ପ୍ରଭାବଶାଳୀମାନେ ନିଜ ନାମରେ କରାଇନେଇଥିଲେ। ଏହି ଜମି ଦୁର୍ନୀତି ଧରାପଡ଼ିବା ପରେ ୫ଶହରୁ ଅଧିକ ମାମଲା ହୋଇଛି। ଏହା ପରେ କିଛି ଜମି ସରକାରୀ ଖାତାକୁ ଫେରିଛି। ହେଲେ ଅନେକ ସରକାରୀ ଜମି ଏବେ ବି ବିଭିନ୍ନ ବ୍ୟକ୍ତିବିଶେଷଙ୍କ ନାମରେ ରହିଛି। ଅନୂରୂପ ଭାବେ ଭୁବନେଶ୍ବରର ୫୭ଟି ମୌଜାର ୪୯୮.୦୮୮ଏକର ସରକାରୀ ଜମି ଜବରଦଖଲ ହୋଇଛି ବୋଲି ସରକାର ସ୍ବୀକାର କରିଛନ୍ତି। ଭୁବନେଶ୍ବର ୟୁନିଟ୍ ନମ୍ବର ୧ଠାରୁ ଆରମ୍ଭ କରି ୟୁନିଟ୍ ୪୪ ପର୍ଯ୍ୟନ୍ତ ୫୭ଟି ମୌଜାରେ ୧୧,୦୦୬ଟି ଜବରଦଖଲ ମାମଲା ରୁଜୁ ହୋଇଛି।

Advertisment

ପାହାଡ଼, ଜଙ୍ଗଲଜମି ପ୍ରଭାବଶାଳୀଙ୍କ ନାମରେ

ଏସବୁ ଜମି ଜବରଦଖଲ ମୁକ୍ତ ହେବା ଏବେ ଏକ ଆହ୍ବାନରେ ପରିଣତ ହେଲାଣି। ଅନ୍ୟପକ୍ଷରେ ସମ୍ବଲପୁର ତହସିଲ ଅଧୀନରେ ମହାନଦୀ କୋଲ୍ ଫିଲ୍‌ଡ୍(ଏମ୍‌ସିଏଲ)ର ଜମି ଲିଜ୍ ମାମଲା ଫଇସଲା ନହେବାରୁ ୨୨.୯୯କୋଟି ଟଙ୍କା ରାଜସ୍ବ ଆଦାୟ ହୋଇପାରିନାହିଁ। ୧୯୯୨ରୁ ୧୯୯୭ ମଧ୍ୟରେ ରୁଜୁ ହୋଇଥିବା ଲିଜ୍‌ ମାମଲା ୨୦୨୩ ପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇପାରିଲାନାହିଁ। ଏମ୍‌ସିଏଲ୍‌ ୫୯.୫୬୪ଏକର ଜମି ଦଖଲ କରିବା ସହିତ ନିୟମ ଅନୁଯାୟୀ ଲିଜ୍ ଆବେଦନ କରିଥିବା ସତ୍ତ୍ବେ ସମ୍ପୃକ୍ତ ରାଜସ୍ବ ବିଭାଗ କର୍ମଚାରୀଙ୍କ ଅବହେଳାରୁ ୨୬ବର୍ଷ ଧରି ରାଜସ୍ବ ଆଦାୟ ହୋଇନାହିଁ ବୋଲି ସିଏଜି ରିପୋର୍ଟରେ ପ୍ରକାଶ ପାଇଛି। ସେହିପରି ୧୯୮୧-୮୨ ମସିହାରେ ନାଲ୍‌କୋ ସପକ୍ଷରେ ୨୯.୫୮ଏକର ଜମି  ଲିଜ୍ ମଞ୍ଜୁର ପାଇଁ  ଉଦ୍ୟମ ଆରମ୍ଭ ହୋଇ ୩୯ବର୍ଷ ପରେ ଏପ୍ରିଲ୍ ୨୦୨୧ ମସିହାରେ ଚୂଡ଼ାନ୍ତ ହୋଇଥିଲା। ନାଲ୍‌କୋ ଜମି ଅନଧିକୃତ ଦଖଲରେ ଥିବା ସତ୍ତ୍ବେ ଜମିର ମୂଲ୍ୟ  ୧.୩୫କୋଟି ଟଙ୍କା ରାଜସ୍ବ ଜମା କରିନଥିଲେ।  କେନ୍ଦୁଝର ଜିଲ୍ଲାପାଳ ୮ଟି ଶିଳ୍ପସଂସ୍ଥାକୁ  ପରିପୂରକ ବନୀକରଣ ପାଇଁ ଜମି ଲିଜ୍ ପ୍ରଦାନ ବିଚାର ବେଳେ ୪.୫୭କୋଟି ଟଙ୍କା ଆନୁଷଙ୍ଗିକ ଦେୟ ଲାଗୁ କରିନଥିଲେ। ଏଥିରେ ୧୬ଟି ପଟ୍ଟାରେ ୧୫୦୩.୬୦୩ଏକର ଜମି ଅଣଜଙ୍ଗଲ ସରକାରୀ ଜମି ମଞ୍ଜୁର କରିଥିଲେ।  ଜମି ସୁରକ୍ଷା ପ୍ରତି ଗୁରୁତ୍ବ ଦିଆଯାଉ ନ ଥିବାରୁ ବିଭିନ୍ନ  ସରକାରୀ ପ୍ରକଳ୍ପ ପାଇଁ ଜମି ଅଭାବ ଦେଖାଦେଲାଣି।