ବାରଙ୍ଗ: ସରକାରୀ ଜମିକୁ ଜାଲିଆତି କରି ବିକ୍ରି ଉଦ୍ୟମ କରିବା ଏବଂ ୧ କୋଟି ୨୮ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ୩ ଜଣ ଜମି ଦଲାଲଙ୍କୁ ଗିରଫ କରିଛି ନନ୍ଦନକାନନ ଥାନା ପୁଲିସ। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଦେବାଶିଷ ଦାସ, ଭାରତ ସାହୁ ଓ ସୁଧାକର ସାହୁ। ଏମାନଙ୍କ ନାମରେ କଟକ ହସ୍ପିଟାଲ୍ସ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଡାକ୍ତର ମାୟା ଗନ୍ତାୟତ ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ଅନୁଯାୟୀ, ଗତ ୨୦୨୨ ମସିହାରେ ଅଭିଯୋଗକାରୀ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିକଟରେ ଜମି କିଣିବାକୁ ଚାହୁଁଥିଲେ। ସେଠାରେ ଜମି ଦଲାଲ୍ ଦେବାଶିଷ ଦାସଙ୍କ ସମ୍ପର୍କରେ ଆସିଥିଲେ। ଦେବାଶିଷ ତାଙ୍କୁ ଭରତ ସାହୁ ଓ ସୁଧାକର ସାହୁଙ୍କ ସହିତ ପରିଚୟ କରାଇଥିଲେ। ଏମାନେ ଦାଢ଼ା ମୌଜା, ପ୍ଲଟ୍ ନମ୍ବର ୬୪୫, ଖାତା ନମ୍ବର ୨୪୦ର ପ୍ରକୃତ ମାଲିକ ବୋଲି ଦାବି କରିଥିଲେ। ସେମାନଙ୍କ ଉପରେ ବିଶ୍ୱାସ କରି, ଡାକ୍ତର ଗନ୍ତାୟତ ୧କୋଟି ୨୮ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ, ସେ ଜାଣିପାରିଲେ ଯେ ଜମିଟି ୨୦୦୩ ମସିହାରେ ସରକାରଙ୍କ ଦ୍ବାରା ଅଧିଗ୍ରହଣ ହୋଇସାରିଛି ଏବଂ ହରି ସାହୁଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି। କିନ୍ତୁ ପଟ୍ଟା ଅପଡେଟ୍ ହୋଇ ନଥିଲା। ଅଭିଯୁକ୍ତମାନେ ଏହାର ସୁଯୋଗ ନେଇ ସରକାରୀ ଜମିକୁ ଜାଲିଆତି କରି ବିକ୍ରୟ କରିଥିଲେ। ଏ ସଂକ୍ରାନ୍ତରେ ସେ ଇଓଡବ୍ଲ୍ୟୁରେ ଅଭିଯୋଗ କରିବା ପରେ ଅଭିଯୁକ୍ତମାନେ ୮୦ ଲକ୍ଷ ଟଙ୍କା ଫେରାଇ ଦେଇଥିଲେ। ବଳକା ୪୮ଲକ୍ଷ ଟଙ୍କା ଦେବାକୁ ମନା କରିଥିଲେ। ଡାକ୍ତର ଗନ୍ତାୟତଙ୍କ ଅଭିଯୋଗ ଆଧାରରେ ନନ୍ଦନକାନନ ଥାନାରେ ମାମଲା ରୁଜୁ ହେବା ସହ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।