ଭୁବନେଶ୍ବର: ଶେଷରେ ବିଡିଏ-ବିଏମ୍ସି କଳି ତୁଟିଛି। ବସ୍ତିବାସିନ୍ଦାଙ୍କ ପାଇଁ ବାସଗୃହ ଯୋଗାଇବାକୁ ବିଡିଏ-ବିଏମ୍ସି ମଧ୍ୟରେ ଚାଲିଥିବା ଟଣାଓଟରାରେ ବିଭାଗ ହସ୍ତକ୍ଷେପ କରିଛି। ଏଥର ବିଡିଏ ଘର ତିଆରି କରି ବିଏମ୍ସିକୁ ହସ୍ତାନ୍ତର କରିବ। ଗୃହନିର୍ମାଣ ପୂର୍ବରୁ କିମ୍ବା ପରେ ହିତାଧିକାରୀ ଚୟନ କରିବାରେ ବିଡିଏ କୌଣସି ହସ୍ତକ୍ଷେପ କରିବ ନାହିଁ। ବିଭିନ୍ନ ବାସଗୃହ ପ୍ରକଳ୍ପରେ ଉଭୟ ବିଏମ୍ସି ଓ ବିଡିଏ ବସ୍ତିବାସିନ୍ଦାଙ୍କ ସର୍ଭେ କରି ଦୁଇଦୁଇଟି ତାଲିକା ଉପସ୍ଥାପନ କରିବା ପରେ ଦେଖାଯାଇଥିବା ଉତ୍ତେଜନା, ବିବାଦ ଓ ବିରୋଧ ପରେ ସରକାର ହସ୍ତକ୍ଷେପ କରି ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି।
ଏଭଳି କଳି ଶାନ୍ତିପଲ୍ଲୀବସ୍ତିରୁ ଆରମ୍ଭ ହୋଇଥିଲା। ୨୦୧୦ ମସିହାରେ ମହର୍ଷିକଲେଜ୍ କଡ଼ରେ ଶାନ୍ତିପଲ୍ଲୀ ବସ୍ତିବାସିନ୍ଦାଙ୍କୁ ରାଜୀବ ଆବାସ ଯୋଜନା(ରେ’)ରେ ଘର ଦେବା ପାଇଁ ବିଏମ୍ସି ସର୍ଭେ କରିଥିଲା। ଏଥିରେ ୮୪୯ ହିତାଧିକାରୀ ଚିହ୍ନଟ କରି ୨୦୧୨ ମସିହାରେ ଚୂଡ଼ାନ୍ତ ତାଲିକା ପ୍ରକାଶ କରିଥିଲା। ଏଥିରେ ବସ୍ତିର ଆଉଗୋଟିଏ ଭାଗ ରହିଯାଇଥିଲା। ପ୍ରଥମେ ଏହି ଅଧା ବାସିନ୍ଦାଙ୍କୁ ଘର ଦେବା ପରେ ଅନ୍ୟବାସିନ୍ଦାଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ ଘର ଦେବାପାଇଁ ଯୋଜନା ହୋଇଥିଲା। କିନ୍ତୁ ଘର ଦେବାପାଇଁ ୧୦ ବର୍ଷ ବିତି ଯାଇଥିଲା। ବିଏମ୍ସି ନଜର ନରଖିବାରୁ ବସ୍ତିରେ ପରିବାର ସଂଖ୍ୟା ଦୁଇଗୁଣା ବଢ଼ି ଯାଇଥିଲା।
ଏଣୁ ବିଡିଏ ଘର କରି ଆବଣ୍ଟନ କରିବା ପୂର୍ବରୁ ଦ୍ବିତୀୟ ବାର ସର୍ଭେ କଲା। ଏହାକୁ ନନ୍ ରେ’(ରେ’ ହିତାଧିକାରୀ ହୋଇନଥିବା) ସର୍ଭେ ନାଁ ଦେଇ ବିଡିଏ ୩୭୨ ହିତାଧିକାରୀଙ୍କୁ ଚୟନ କଲା। କୌତୁହଳପ୍ରଦ କଥା, ବିଏମ୍ସି ପ୍ରସ୍ତୁତ କରିଥିବା ମୂଳ ତାଲିକାରୁ ୬୫ ଜଣଙ୍କୁ ଅଯୋଗ୍ୟ କହି କାଟିଦେଲା। ଫଳରେ ବିବାଦ ଆରମ୍ଭ ହେଲା। ମାମଲା କୋର୍ଟରେ ପହଞ୍ଚିଲା। ଏବେ ବି ମାମଲା ବିଚାରାଧୀନ ଅଛି। କିନ୍ତୁ ଯେଉଁମାନଙ୍କୁ ଘର ଦିଆହେଲା ସେମାନଙ୍କ ମଧ୍ୟରୁ ଅନେକ ଯୋଗ୍ୟ ନଥିଲେ। ଅଭିଯୋଗ ପରେ ବିଏମ୍ସି ଦୁଇଜଣଙ୍କୁ ଏହି ପ୍ରକଳ୍ପରୁ ବିଦା କରିଥିଲା। ଏଠାରେ ୪୦ ମାମଲା କୋର୍ଟରେ ବିଚାରାଧୀନ ଅଛି।
ଘର ତିଆରି କରିବ ବିଡିଏ, ବାଣ୍ଟିବ ବିଏମ୍ସି
ଗଠନ ହେବ ଥଇଥାନ କମିଟି
‘ଟ୍ରାଞ୍ଜିଟ୍ ହାଉସ୍ବାସୀ’ଙ୍କୁ ଅଗ୍ରାଧିକାର
ମହିଷାଖାଲ ପ୍ରକଳ୍ପ ପାଇଁ ଦରକାର ୨୫ କୋଟି
ଏଭଳି ଘଟଣା ମହିଷାଖାଲ ପ୍ରକଳ୍ପରେ ଘଟିଥିଲା। ଏଠାରେ ୧୯ଟି ବ୍ଲକ୍ରେ ୭୬୦ ଘର କରିବାକୁ ଯୋଜନା ଥିଲେ ମଧ୍ୟ ବିଡିଏ ୧୫ଟି ବ୍ଲକ୍ରେ ୬ଶହ ଘର ତିଆରି କରିଥିଲା। ବିଏମ୍ସି ହିତାଧିକାରୀଙ୍କୁ ଚିହ୍ନଟ କରିଥିଲା। ହେଲେ ଏହା ଭିତରେ ଅଯୋଗ୍ୟ ରହୁଥିଲେ। ବିଡିଏ ଘରଘର ବୁଲି ଅଯୋଗ୍ୟଙ୍କୁ ଉଚ୍ଛେଦ ଆରମ୍ଭ କରିଥିଲା। ହେଲେ ରାଜନେତାଙ୍କ ଚାପ ପରେ ଉଚ୍ଛେଦ ବନ୍ଦ କରିଦିଆଯାଇଛି। ଯୋଗ୍ୟ ଝୁମ୍ପୁଡ଼ିରେ ରହୁଥିବା ବେଳେ ଅଯୋଗ୍ୟ ଘର ପାଇଛନ୍ତି। ଏଠାରେ ମଧ୍ୟ ୩୫ ମାମଲା କୋର୍ଟରେ ବିଚାରାଧୀନ ଅଛି। ଯେଉଁ ମାମଲାରେ ବିଭିନ୍ନ ସମୟରେ ବିଏମ୍ସି କମିସନର ଓ ବିଡିଏ ଉପାଧ୍ୟକ୍ଷ କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହେଉଛନ୍ତି।
ବିଡିଏ-ବିଏମ୍ସି କଳିରେ ଏଭଳି ବିବାଦ ଜାରି ରହିବା ପରେ ବିଭାଗୀୟ ପ୍ରମୁଖ ସଚିବ ଉଷା ପାଢ଼ୀ ଉଭୟ ବିଏମ୍ସି କମିସନର ଓ ବିଡିଏ ଉପାଧ୍ୟକ୍ଷଙ୍କ ସମେତ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ମାନସମନ୍ଥନ କରିଥିଲେ। ଏଥିରେ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଛି। ଏହି କମିଟି ସ୍ବତନ୍ତ୍ର ମାମଲାଗୁଡ଼ିକୁ ଅନୁଧ୍ୟାନ କରିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏୱାଇ)୨.୦ ଅଧୀନରେ କେହି ଯୋଗ୍ୟ ଯେଭଳି ବାଦ୍ ପଡ଼ି ନଯିବେ ସେ ନେଇ କମିଟି ନିଶ୍ଚିତ କରିବ। ଘର ପାଇବା ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ସହଜରେ ଋଣ ଯୋଗାଇ ଦେବାକୁ ବ୍ୟାଙ୍କ୍ଗୁଡ଼ିକ ସହ ବୈଠକ କରାଯିବ। ଗୁରୁତ୍ବପୂର୍ଣ୍ଣ ହେଉଛି ବିଭିନ୍ନ ବସ୍ତିବାସିନ୍ଦାଙ୍କୁ ବସ୍ତିରୁ ଉଚ୍ଛେଦ କରିବା ପରେ ଘର ପ୍ରସ୍ତୁତ ହୋଇ ନଥିବାରୁ ଚନ୍ଦ୍ରଶେଖରପୁର ଟ୍ରାଞ୍ଜିଟ୍ ହାଉସ୍ରେ ରଖାଯାଉଛି। କିନ୍ତୁ ଏଥିରେ ବିଜୁଳି ବିଲ୍ ସହ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ବିଡିଏ ଅଯଥା ଖର୍ଚ୍ଚ କରୁଛି।
ଏଣୁ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଘର ଯୋଗାଇ ଦିଆଯିବ। ଶାନ୍ତିପଲ୍ଲୀ ବସ୍ତିରେ ବାକି ରହିଥିବା ଅଧା ଅଂଶକୁ ବିଡିଏ ତୁରନ୍ତ ଉଚ୍ଛେଦ କରିବ ଏବଂ ସେଠାରେ ଦ୍ବିତୀୟ ପର୍ଯ୍ୟାୟ ଘର ନିର୍ମାଣ ହେବ। ଆଗକୁ ନିମାଣ ହେବାକୁ ଥିବା ସମସ୍ତ ଗୃହନିର୍ମାଣ ପ୍ରକଳ୍ପରେ ନିର୍ମାଣକାରୀ ସଂସ୍ଥା ୫ ବର୍ଷ ପର୍ଯ୍ୟନ୍ତ ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ବ ନେବ। ମହିଷାଖାଲ ପ୍ରକଳ୍ପ ପାଇଁ ପ୍ରସ୍ତୁତ ହେବାକୁ ଥିବା ୪ଟି ବ୍ଲକ୍ରେ ୧୬୦ ଫ୍ଲାଟ୍ ପାଇଁ ଆବଶ୍ୟକ ୨୫.୪୦କୋଟି ଟଙ୍କା ଦେବାକୁ ବିଡିଏ ସରକାରଙ୍କୁ ଚିଠି ଲେଖିବାକୁ ନିଷ୍ପତ୍ତି ହୋଇଛି।