ଚନ୍ଦକା-ପିତାପଲ୍ଲୀ ରାସ୍ତାରେ ହେବ ପରିବହନ ଗାଁ

ଭୁବନେଶ୍ୱର: ରାଜଧାନୀକୁ ଦୈନିକ ପ୍ରାୟ ୧୫୦୦ଟ୍ରକ୍‌ ଆସୁଥିବାବେଳେ ଏଗୁଡ଼ିକର ପାର୍କିଂ ଓ ସାମଗ୍ରୀ ଅନଲୋଡ୍‌ ପାଇଁ ଆବଶ୍ୟକ ସ୍ଥାନ ନାହିଁ। ଯେଉଁଥିପାଇଁ ଏବେ ବାହାର ରାଜ୍ୟରୁ ଆସୁଥିବା ଶହଶହ ଟ୍ରକ୍‌ ଦିନବେଳା ରାସ୍ତା କଡ଼ରେ ପାର୍କିଂ କରୁଛନ୍ତି। ଆଉ ରାତି ୧୦ଟା ପରେ ସହର ଭିତରେ ପଶୁଛନ୍ତି। ସହର ଭିତରେ ବଡ଼ ବଡ଼ ଟ୍ରକ୍‌ ପଶୁଥିବାରୁ ବହୁ ସତର୍କତା ଅବଲମ୍ବନ ସତ୍ତ୍ୱେ ଛୋଟବଡ଼ ଦୁର୍ଘଟଣାମାନ ଘଟୁଛି। ଏହି ସମସ୍ୟାର ମୁକାବିଲା ପାଇଁ ଭୁବନେଶ୍ୱର ଉପକଣ୍ଠରେ ଏବେ ପରିବହନ ଗାଁ କରିବାକୁ ବିଡିଏ ଯୋଜନା କରିଛି।
ଯୋଜନା ଅନୁଯାୟୀ, ଚନ୍ଦକା-ପିତାପଲ୍ଲୀ ରାସ୍ତାରେ ପ୍ରାୟ ୧୦୦ଏକର ଜମିରେ ପରିବହନ ଗ୍ରାମ ହେବ। ଏହାର ନାମ ବିଜୁ ପଟ୍ଟନାୟକ ପରିବହନ ଗ୍ରାମ ରଖାଯିବ। ଏଠାରେ ବଡ଼ ମାଲ୍‌ବାହୀ ଗାଡ଼ିଠାରୁ ଆରମ୍ଭ କରି ଟ୍ରକ୍‌, ଟିପର୍‌ ଓ ମିନି ଟ୍ରକ୍‌ ପର୍ଯ୍ୟନ୍ତ ସବୁ ରହିବାର ବ୍ୟବସ୍ଥା ହେବ। ପ୍ରାୟ ୨ହଜାର ଗାଡ଼ି ଏକସଙ୍ଗେ ପାର୍କିଂ କରିହେବ। ଏହାକୁ ଆନ୍ଧ୍ରପଦେଶ, ଛତିଶଗଡ଼, ନାଗପୁର, ନୂଆଦିଲ୍ଲୀ ଭଳି ସ୍ଥାନରେ ଥିବା ପରିବହନ ନଗର ଭଳି ନିର୍ମାଣ କରାଯିବ। ଏହି ପରିବହନ ଗ୍ରାମ ପିପିପି ମୋଡ୍‌ରେ ନିର୍ମାଣ କରାଯିବ। ଏଠାରେ ପାର୍କିଂଠାରୁ ଆରମ୍ଭ କରି ବିଶ୍ରାମସ୍ଥଳୀ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ସୁବିଧା ରହିବ।
ବିଡିଏ ପ୍ଲାନିଂ ମେମ୍ବର ସୁଧି ରଂଜନ ମହାନ୍ତିଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ୱର ଏବେ ବିକାଶ ପଥରେ ଆଗଉଛି। ସ୍ମାର୍ଟ ସିଟିର ମାନ୍ୟତା ମିଳିଛି। ବିକାଶର ସବୁ ଦିଗକୁ ନଜରରେ ରଖି ପରିବହନ ଗ୍ରାମର ଯୋଜନା ହେଉଛି। ଆମେ ଆଗାମୀ ୩୦ରୁ ୪୦ବର୍ଷକୁ ନଜରରେ ରଖି ଏହି ପରିବହନ ଗ୍ରାମକୁ ନିର୍ମାଣ କରିବୁ। ସହର ନିକଟବର୍ତ୍ତୀ ଅଞ୍ଚଳରେ ଆବଶ୍ୟକ ଜମି ନ ଥିବାରୁ ଚନ୍ଦକା-ପିତାପଲ୍ଲୀ ରାସ୍ତାରେ ଏହାର ଯୋଜନା ହେଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ତିନିଟି ସ୍ଥାନରେ ଜମି ଚିହ୍ନଟ ହୋଇଛି। ଏହାର ଫିଜିବିଲିଟି ଷ୍ଟଡି ଏବଂ ଜମିର ଆବଶ୍ୟକତାକୁ ନଜରରେ ରଖି ଆମେ ଗୋଟିଏ ଜମି ଦେବାକୁ ସ୍ଥାନୀୟ ତହସିଲଦାର ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ଜମି ମିଳିଲେ ଆମେ କାର୍ଯ୍ୟ ଆରମ୍ଭ କରିବୁ।
ଏହି ପରିବହନ ଗ୍ରାମରେ ଡ୍ରାଇଭରଙ୍କ ପାଇଁ ଶୌଚାଳୟ ଏବଂ ବିଶ୍ରାମସ୍ଥଳୀ ରହିବ, ଏକାଧିକ ପେଟ୍ରୋଲ ପମ୍ପ ରହିବ, ବ୍ୟାଙ୍କ, କ୍ୟାଣ୍ଟିନ୍‌, ଗ୍ୟାରେଜ୍‌, ଗୋଦାମ ଘର, ଶୀତଳ ଭଣ୍ଡାର, ଭେଣ୍ଡିଂ ଜୋନ୍‌, ବିଭିନ୍ନ ମୋଟର ଯନ୍ତ୍ରପାତି ଦୋକାନ, ସର୍ଭିସ୍‌ ସେଣ୍ଟର, ଡିସ୍‌ପେନସାରି ଆଦି ରହିବ ବୋଲି ବିଡିଏ ପ୍ଲାନିଂ ମେମ୍ବର ସୁଧି ରଂଜନ ମହାନ୍ତି କହିଛନ୍ତି।
ଏନେଇ ଭୁବନେଶ୍ୱର ସାମଗ୍ରୀ ପରିବହନ ସଂଘର ସାଧାରଣ ସମ୍ପାଦକ ରବି ନାରାୟଣ ନାୟକଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଭୁବନେଶ୍ୱର ପାଇଁ ବସଷ୍ଟାଣ୍ଡର ଯେତିକି ଆବଶ୍ୟକତା ନାହିଁ ତାହାଠାରୁ ଢେର୍‌ ଅଧିକ ପରିବହନ ଗ୍ରାମର ଅଛି। ବସ୍‌ ଚାଳକ ରାସ୍ତା ଉପରେ ଲୋକଙ୍କୁ ଓହ୍ଲାଇ ଦେଉଛନ୍ତି ହେଲେ ଆମେ ତ ଟ୍ରକ୍‌ରେ ଆଣୁଥିବା ସାମଗ୍ରୀକୁ ରାସ୍ତା ଉପରେ ଗଦାଇ ଦେବୁନି। ପରିବହନ ଗ୍ରାମ ହେଲେ ରାଜଧାନୀକୁ ସୁବ୍ୟବସ୍ଥିତ ଢଙ୍ଗରେ ସାମଗ୍ରୀ ଯାତାୟାତ କରିହେବ। ଏବେ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ସହର ଭିତରେ ଭାରୀ ଯାନ ବିଶେଷ କରି ଟ୍ରକ୍‌ ଚଳାଚଳ ବନ୍ଦ କରାଯାଇଛି। ଯେଉଁଥିପାଇଁ ରାଜଧାନୀ ଭିତରେ ଥିବା ବିଭିନ୍ନ ଗୋଦାମ, ସୋରୁମ୍‌ ଓ ଦୋକାନକୁ ବିଭିନ୍ନ ସାମଗ୍ରୀ ନେବା ଆଣିବା କରିବାରେ ଅସୁବିଧା ହେଉଛି। ଏପରିକି ବାହାର ରାଜ୍ୟରୁ ଏବଂ ବନ୍ଦରରୁ ଆସୁଥିବା ସାମଗ୍ରୀଗୁଡ଼ିକୁ ଅନଲୋଡ୍‌ କରିବାକୁ ବି ଉପଯୁକ୍ତ ଜାଗା ନାହିଁ। ତେଣୁ ଦିନତମାମ୍‌ ଟ୍ରକ୍‌ଗୁଡ଼ିକ ସହର ବାହାରେ ରହୁଛି। ଟ୍ରକ୍‌ଗୁଡ଼ିକ ଅଧିକ ସମୟ ହଲ୍ଟିଂ କରୁଥିବାରୁ ବ୍ୟବସାୟୀମାନଙ୍କୁ ଭଡ଼ା ଅଧିକ ଦେବାକୁ ପଡ଼ୁଛି। ଏହାବାଦ୍‌ ଲୋକଙ୍କ ପାଖରେ ସାମଗ୍ରୀ ପହଞ୍ଚାଇବାକୁ ଅଧିକ ସମୟ ବି ଲାଗୁଛି। ତେଣୁ ରାଜଧାନୀରେ ଏକ ପରିବହନ ଗ୍ରାମ କରିବାକୁ ଭୁବନେଶ୍ୱର ସାମଗ୍ରୀ ପରିବହନ ସଂଘ ପକ୍ଷରୁ ବିଡିଏ କର୍ତ୍ତୃପକ୍ଷଙ୍କୁ ଦୀର୍ଘ ବର୍ଷ ହେଲା ପ୍ରସ୍ତାବ ଦିଆଯାଇଥିଲା। ଏଥିପାଇଁ ୨୦୦ଏକର ଜମିର ପ୍ରସ୍ତାବ ଦିଆଯାଇଛି। ଏହାକୁ ନଜରରେ ରଖି ଚନ୍ଦକା ପିତାପଲ୍ଲୀ ରାସ୍ତାରେ ଏକ ପରିବହନ ଗ୍ରାମ କରିବାକୁ ଯୋଜନା ହେଉଛି। ବଡ଼ ବଡ଼ ଟ୍ରକ୍‌ରେ ଆସୁଥିବା ସାମଗ୍ରୀଗୁଡ଼ିକ ଏଠାରେ ଅନଲୋଡ୍‌ କରାଯିବ। ଏହାପରେ ଟାଟା ଏସିଇ, ୪୦୭, ମିନି ଟ୍ରକ୍‌ ଆଦିରେ ସହର ଭିତରକୁ ଅଣାଯିବ। ଏବେ ଅନଲୋଡିଂ ଓ ପାର୍କିଂ ପାଇଁ ଜାଗା ନ ଥିବାରୁ ଗାଡ଼ିଗୁଡ଼ିକ ଗୋଟିଏ ସ୍ଥାନରେ ମାଲ୍‌ ଅନଲୋଡ୍‌ କରିବା ପରେ ଅନ୍ୟ ସ୍ଥାନରୁ ମାଲ୍‌ ନେଇ ଯିବା ପାଇଁ ରାସ୍ତାରେ ତିନିରୁ ଚାରି ଦିନ ରହୁଛନ୍ତି। ପରିବହନ ଗ୍ରାମ ହୋଇଗଲେ ସେମାନଙ୍କର ରହିବାରେ କିଛି ଅସୁବିଧା ହେବନାହିଁ।
ଶ୍ରୀ ନାୟକଙ୍କ ସୂଚନା ଅନୁଯାୟୀ ନିକଟରେ ସେମାନଙ୍କୁ ଚନ୍ଦକା ପିତାପଲ୍ଲୀ ରାସ୍ତାରେ ଥିବା ତିନିଟି ଜାଗା ଦେଖାଯାଇଛି। ଏଥିରେ ଦାସପୁରରେ ୮୦ଏକର ଜମି ଥିବାବେଳେ ଭଗବତୀପୁରରେ ୧୩୫ ଏକର ଏବଂ ଜିରିଙ୍ଗାପୁଟରେ ୩୦୦ ଏକରରୁ ଅଧିକ ଜମି ଅଛି। ହେଲେ ଏଥିରୁ କେଉଁ ଜମିରେ ପରିବହନ ଗ୍ରାମ ନିର୍ମାଣ ହେବ ତାହା ଏଯାଏ ସ୍ଥିର ହୋଇନାହିଁ।

ସମ୍ବନ୍ଧିତ ଖବର