‌ଫୋନ୍‌ – ଇନ୍‌ – ପ୍ଲିଜ୍‌: ମାଗଣା ଯୋଜନା ଉପରେ ପୁନର୍ବିଚାର କରନ୍ତୁ ସରକାର

ସରକାରଙ୍କର ବିଭିନ୍ନ ମାଗଣା‌ ଯୋଜନା ଲୋକଙ୍କୁ କର୍ମ ପ୍ରତି ବିମୁଖ କରୁଛି। ବିନା ପରିଶ୍ରମରେ ଖାଦ୍ୟ ମିଳି ଯାଉଥିବାରୁ କାମ କରିବା ପାଇଁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହାସହ ପ୍ରକୃତ ହିତାଧିକାରୀଙ୍କ ପରିବର୍ତ୍ତେ କିଛି ଅସାଧୁ ଧନୀକ ଶ୍ରେଣୀୟ ଲୋକ ମଧ୍ୟ ଏହି ସବୁ ଯୋଜନାର ଫାଇଦା ଉଠାଉଛନ୍ତି। ଏହାର ସଠିକ୍‌ ତଦାରଖ ହେଉନି। ତେଣୁ ଏହି ଯୋଜନାକୁ ସଂପୂର୍ଣ୍ଣ ବନ୍ଦ କରାଯାଇ ଏଥିରେ ବ୍ୟୟ ହେଉଥିବା ଅର୍ଥକୁ ବେକାରି ଦୂରୀକରଣ ଏବଂ ଅନ୍ୟ ଉନ୍ନତିମୂଳକ କାର୍ଯ୍ୟରେ ବିନିଯୋଗ କରିବା ଆବଶ୍ୟକ। ନଚେତ୍‌ ଆଗାମୀ ଦି‌ନରେ ଏହି ଯୋଜନା ଯୋଗୁଁ ଦେଶରେ ଭୟଙ୍କର ଆର୍ଥିକ ସଂକଟ ଦେଖାଦେବ। ଆମ ଦେଶ ଶ୍ରୀଲଙ୍କା ଭଳି ସମସ୍ୟାର ସମ୍ମୁଖୀନ ହେବ। ତେଣୁ ମାଗଣା ଯୋଜନାଗୁଡ଼ିକ ଉପରେ ସରକାର ପୁନର୍ବିଚାର କରିବାର ସମୟ ଆସିଛି। ଏଥର ସମ୍ବାଦ ଫୋନ୍‌-ଇନ୍‌ ପ୍ଲିଜ୍‌ର ପ୍ରସଙ୍ଗ ‘ଦେଶରେ ମାଗଣା ବାଣ୍ଟିବା ସବୁ ଯୋଜନା ବନ୍ଦ ହେବା ଉଚିତ’ରେ ପାଠକମାନେ ଏଭଳି ମତ ଦେଇଛନ୍ତି।

ଦେଶରେ ମାଗଣା ଯୋଜନା ବନ୍ଦ ହେବା ଉଚିତ ନୁହେଁ। କାରଣ ଏଥିରେ ଅନେକ ଗରିବ ଶ୍ରେଣୀର ଲୋକ ଉପକୃତ ହେଉଛନ୍ତି।
-ଦୀନନାଥ ଦାସ, ଲକ୍ଷ୍ମୀସାଗର/ପବିତ୍ର ସାହୁ, ଶୈଳଶ୍ରୀ ବିହାର

ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ ହେଉଛି। ହେଲେ ଏହି ମାଗଣା ଯୋଜନାଗୁଡ଼ିକ ସଫଳ ହୋଇପାରୁନି। ଗ୍ରାମାଞ୍ଚଳରେ ଗରିବୀ ଦୂରକୀରଣରେ ଏହା ସହାୟ ହୋଇପାରୁନି। ତେଣୁ ସରକାରଏହାକୁ ବନ୍ଦ କରି ଲୋକଙ୍କ ହିତ ହେଲା ଭଳି କାର୍ଯ୍ୟ କରନ୍ତୁ।
-ସଞ୍ଜୟ ନାୟକ, ବଡ଼ଗଡ/ସରୋଜକାନ୍ତ ପାଣି, ନୟାଗଡ଼/
-ରାଜକୁମାର ଭୋଇ, ବ୍ରହ୍ମପୁର

ମାଗଣା ଯୋଜନା ବନ୍ଦ ହେବା ଜରୁରୀ। ନଚେତ ଆମେ ବି ଶ୍ରୀଲଙ୍କା ଭଳି ଖାଦ୍ୟାଭାବର ସାମ୍ନା କରିବା। ତେଣୁ ସରକାର ଏହା ଉପରେ ପୁନର୍ବିଚାର କରିବା ଜରୁରୀ।
-ଶିବରାମ ଦାସ, ଖୋର୍ଦ୍ଧା/-ବିରଞ୍ଚି ନାରାୟଣ ଗୌଡ଼, ଭୁବନେଶ୍ବର
-ରାକେଶ ପାଳ, ବ୍ରହ୍ମପୁର

ଲୋକଙ୍କୁ ମାଗଣା ଯୋଜନାରେ ସାମିଲ୍ କରିବା ପରିବର୍ତ୍ତେ କାମ ଦେଇ ସ୍ବାବଲମ୍ବୀ କରିବା ଆବଶ୍ୟକ। ତେବେ ଯାଇ ଦେଶର ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ହୋଇପାରିବ।
-ବ୍ରଜକିଶୋର ପଟ୍ଟନାୟକ/ମନୋରଞ୍ଜନ ପଣ୍ଡା, ଭୁବନେଶ୍ବର

ମାଗଣା ଯୋଜନା ଦ୍ବାରା ସମସ୍ତଙ୍କ ପାଖରେ ଖାଦ୍ୟ ମହଜୁଦ୍ ରହୁଛି। ଫଳରେ କେହି କାମ କରିବା ଆଗ୍ରହ କରୁନାହାନ୍ତି। ଯେଉଁ ବୟସରେ ଯୁବଗୋଷ୍ଠୀ ପରିବାର ପ୍ରତିପୋଷଣ କଥା ଭାବିବା କଥା ସେହି ବୟସରେ ସେ ପଥଭ୍ରଷ୍ଟ ହୋଇ ଚୋରି, ଡକାୟତି ଭଳି ଖରାପ କାମରେ ଲିପ୍ତ ରହୁଛି। ତେଣୁ ସରକାରଙ୍କୁ ଅନୁରୋଧ ତୁରନ୍ତ ଏହି ଯୋଜନାକୁ ବନ୍ଦ କରନ୍ତୁ।
-ରାମକୃଷ୍ଣ ପରିଡ଼ା, ସୁନ୍ଦରପଦା/ଯୋଗେନ୍ଦ୍ର ପଟ୍ଟନାୟକ, କଳ୍ପନା ଛକ
-ପ୍ରଦୀପ୍ତ ସାହୁ, ଭୁବନେଶ୍ବର/ଅନିଲ ମହାରଣା, ଢେଙ୍କାନାଳ

ମାଗଣା ଯୋଜନା ଦ୍ବାରା କେବଳ ରାଜନୈତିକ ଦଳ ନିଜର ଲକ୍ଷ୍ୟ ସାଧିତ କରିପାରୁଛନ୍ତି। ଯାହା ଗୋଟେ ସାଧାରଣ ଲୋକ ପ୍ରତି ଛଳନା।
-ବାଳକୃଷ୍ଣ ସାହୁ, ଭୁବନେଶ୍ବର

ମାଗଣା ଯୋଜନା ବନ୍ଦ କରି ସେହି ଟଙ୍କାରେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରି ଲୋକଙ୍କୁ କାମ ଦିଆଯାଇପାରିଲେ ବେକାରୀ ଦୂରୀକରଣ ହେବା ସହ ସମସ୍ତେ ସ୍ବାବଲମ୍ବୀ ହୋଇପାରନ୍ତେ।
-ବନ୍ଦନା ମହାନ୍ତି/ଭାଗୀରଥି ଦାସ/ମମତାମୟୀ ମହାପାତ୍ର, ଭୁବନେଶ୍ବର

ଜନସାଧାରଣଙ୍କୁ ମାଗଣା ଯୋଜନାରେ ଅନ୍ତର୍ଭୁକ୍ତ କରିବା ପରିବର୍ତ୍ତେ ଯଦି ପ୍ରତ୍ୟେକଟି ଖାଉଟି ସାମଗ୍ରୀ ଉପରୁ ଟିକସ ହ୍ରାସ କରାଯାଇପାରନ୍ତା, ତେବେ ସମାଜର ସବୁ ବର୍ଗର ଲୋକ ଉପକୃତ ହୁଅନ୍ତେ।
-ଭରତ ବେହେରା, ରସୁଲଗଡ଼

ମାଗଣା ଯୋଜନା ହଠାତ୍ ବନ୍ଦ କରିହେବନି। ଏହାକୁ ପର୍ଯ୍ୟାୟକ୍ରମେ ଲୋକଙ୍କ ଆର୍ଥିକ ସ୍ଥିତିକୁ ଦେଖି ସରକାର ପରିବର୍ତ୍ତନ କରିବା ଆବଶ୍ୟକ।
-କିଶୋର ସ୍ବାଇଁ, ଭିଏସ୍ଏସ୍ ନଗର

ମାଗଣା ଯୋଜନା ଦ୍ବାରା ହିତାଧିକାରୀଙ୍କ କ’ଣ ଉନ୍ନତି ହୋଇଛି, ସେ ନେଇ ସରକାର ସର୍ଭେ କରିବା ଜରୁରୀ। ଏହା ଆଦୌ ଭଲ ଯୋଜନା ନୁହେଁ।
-ପରେଶ ଚନ୍ଦ୍ର ସାମଲ, ଭଦ୍ରକ/-ଅନ୍ନଦା ପ୍ରସାଦ ମିଶ୍ର, ଭୁବନେଶ୍ବର
-ଗଙ୍ଗାଧର ମହାନ୍ତି, ଟଙ୍କପାଣି ରୋଡ୍‌/-ସୁଧାକର ଦାସ, ଖୋର୍ଦ୍ଧା

ମାଗଣା ଯୋଜନା ଦ୍ବାରା ଲୋକମାନେ କାମ ନ କରି ବସି ଖାଇବାକୁ ପସନ୍ଦ କରୁଛନ୍ତି। ଦିଲ୍ଲୀ ଏବଂ ପଞ୍ଜାବରେ ମାତ୍ରାଧିକ ମାଗଣା ଯୋଜନା କରାଯାଇଛି। ଫଳରେ ସେଠି ଏବେ ଦିନକୁ ଦିନ ହିଂସା ବଢ଼ିବାରେ ଲାଗିଛି।
-ଆହ୍ବାନ ପାଇକାରାୟ, ୟୁନିଟ୍-୩

ଦେଶ ଏବଂ ରାଜ୍ୟର ଋଣ ଭାର ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁ ସମସ୍ତ ମାଗଣା ଯୋଜନାକୁ ତୁରନ୍ତ ବନ୍ଦ କରାଯାଉ। ଆଉ ଯେଉଁ ଲୋକମାନେ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି, ସେମାନଙ୍କଠୁ ଏକ ନିର୍ଦ୍ଦିଷ୍ଟ ଅର୍ଥରାଶି ଆଦାୟ କରି ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉ। ନଚେତ ଆଗାମୀ ଭବିଷ୍ୟତରେ ଭାରତୀୟ ଅର୍ଥ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିବ।
-ସୁମନ୍ତ ଶେଖର ସାହୁ, ଭୁବନେଶ୍ୱର/-ରମେଶ ଚନ୍ଦ୍ର ସାହୁ, ଚନ୍ଦ୍ରଶେଖରପୁର

ମାଗଣା ଯୋଜନା ଗରିବ ମୁହଁରେ ଦାନା‌ ଦେଉଛି ସତ। ହେଲେ କିଛି ଅସାଧୁ ଲୋକ ଏହାର ଦୁରୁପୋଯୋଗ କରିଛନ୍ତି। ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ମିଳୁଥିବା ଖାଦ୍ୟ ସାମଗ୍ରୀକୁ ବିକ୍ରି କରି ଦେଉଛନ୍ତି ଓ ଯୋଜନା ମାଧ୍ୟମରେ ମିଳୁଥିବା ଆର୍ଥିକ ସହାୟତା ଟଙ୍କାରେ ନିଶା ସେବନ କରୁଛନ୍ତି।
-ନଗେନ୍ଦ୍ରନାଥ ମିଶ୍ର, ସାମନ୍ତରାପୁର/-ଶ୍ରୀବତ୍ସ ମହାନ୍ତି, ଯାଁଳା

ସରକାରଙ୍କ କୌଣସି‌ ଯୋଜନାକୁ ଖରାପ ବୋଲି କୁହାଯାଇ ପାରିବ ନାହିଁ। ହେଲେ ଏହି ଯୋଜନାଗୁଡ଼ିକ ପ୍ରକୃତ ହିତାଧିକାରୀ ପାଇବା ଆବଶ୍ୟକ।
-ବ୍ରଜରାଜ ରଥ, ଡେଲ୍‌ଟା ଛକ/-ପ୍ରମୋଦ ସାହୁ, ଜଗତସିଂହପୁର

ସରକାର କେବଳ ମାଗଣା ଯୋଜନା କରିଦେଲେ ହେବନି। ଏହାର ତଦାରଖ କରିବା ଆବଶ୍ୟକ। କାରଣ ସ୍ବାସ୍ଥ୍ୟ କ୍ଷେତ୍ରରେ କରାଯାଇଥିବା ମାଗଣା ଯୋଜନାରେ ଗରିବ ଲୋକ ଉପକୃତ ହୋଇପାରୁନାହାନ୍ତି। ସରକାରଙ୍କ ପକ୍ଷରୁ ମିଳୁଥିବା ମାଗଣା ଔଷଧକୁ ଯଦି ଉଦାହରଣ ଭାବେ ନିଆଯା‌ଏ, ତେବେ ଏହାର ମାନ ବହୁତ ଖରାପ। ତେଣୁ ଏହା ଉପରେ ସରକାର ଧ୍ୟାନ ଦେବା ଜରୁରୀ।
-ମମତା ଦାସ, ସିଆରପି

ବିଭିନ୍ନ ରାଜନୈତିକ ଦଳ ନିଜ ସ୍ବାର୍ଥ ପୂରଣ ପାଇଁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ମାତ୍ରାଧିକ ଯୋଜନା କରି ରାଜକୋଷକୁ ଲୁଣ୍ଠନ କରିବାରେ ଲାଗି ପଡ଼ିଛନ୍ତି। ତେଣୁ ମାଗଣା‌ ଯୋଜନାକୁ କାର୍ଯ୍ୟକାରୀ କରିବା ଆଗରୁ ପ୍ରଥମେ ଏହାର ତଦାରଖ ଏବଂ ଗରିବଙ୍କ ପାଇଁ ଏକ ସ୍ବତନ୍ତ୍ର ମାନଦଣ୍ଡ ପ୍ରସ୍ତୁତ କରାଯାଉ। ତେବେ ‌ଯାଇ ଏହି ଯୋଜନା ସବୁର ସଫଳ ରୂପାୟନ ହୋଇପାରିବ।
-ପୂଜା ଗୌଡ଼, ଚକେଇସିହାଣୀ

ଲୋକମାନଙ୍କୁ ମାଗଣା ଯୋଜନାରେ ଖାଦ୍ୟ ମିଳି ଯାଉଥିବାରୁ ଗ୍ରାମାଞ୍ଚଳରେ ଚାଷୀମାନେ ଚାଷ ପ୍ରତି ବିମୁଖ ହେ‌ଲେଣି। କେବଳ ସରକାରୀ ‌ଯୋଜନା ଉପରେ ନିର୍ଭର କରି ଚଳୁଛନ୍ତି। ତେଣୁ ଏସବୁ ‌ଯୋଜନାକୁ ବନ୍ଦ କରାଯାଉ।
-ବୃନ୍ଦାବନ ପ୍ରଧାନ, ଲକ୍ଷ୍ମୀସାଗର

ରାଜ୍ୟ ଗୁଡ଼ିକ ମଧ୍ୟରେ ମାଗଣା ବାଣ୍ଟିବା ପାଇଁ ପ୍ରତିଯୋଗିତା ଚାଲିଛି। ଫଳରେ ଲୋକମାନେ କୌଳିକ ବୃତ୍ତିରୁ ଦୂରେଇ ଯାଉଛନ୍ତି। ଏହାସହ ଦେଶର ବେକାରୀ, ଅପାଠୁଆ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଭୋଟକୁ ଆଖି ଆଗରେ ରଖି ସରକାର ଏହି ସବୁ ମାଗଣା ଯୋଜନା ଚଳାଉଛନ୍ତି। ଏହିସବୁ ଯୋଜନା ବନ୍ଦ କରାଯାଇ ଦେଶର ଜନତାଙ୍କୁ ସ୍ଵାଭିମାନୀ ଭାବେ ବଞ୍ଚିବାକୁ ଦିଆଯାଉ।
-ନୀଳମଣି ମିଶ୍ର, ସୁନ୍ଦରପଦା

ଦେଶରେ ମାଗଣା ବଣ୍ଟନ ଯୋଗୁଁ ଦିନମଜୁରିଆ, ଶ୍ରମିକଙ୍କ ଅଭାବ ଦେଖା ଦେଇଛି। ନିର୍ବାଚନ ସମୟରେ ଏହା ପ୍ରଭାବ ପକାଉଛି। ଶାସକ ଦଳର ପ୍ରଭାବରେ ଏହି ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ। ଫଳରେ ରାଜ୍ୟର ବହୁତ୍ ରାଜସ୍ବହାନି ହେଉଛି। ଋଣ ପରିମାଣ ବଢ଼ିବା ସହ ବେକାରୀ ବୃଦ୍ଧି ପାଇବାରେ ଲାଗିଛି।
-ଅକ୍ଷୟ କୁମାର ନାୟକ, ନିମାପଡ଼ା

ଶ୍ରୀଲଙ୍କାର ପରିସ୍ଥିତିରୁ ଆମ ଦେଶ ଶିକ୍ଷା ଲାଭ କରିବା ଉଚିତ। ଦେଶର ଆର୍ଥିକ ସଙ୍ଗତି ପାଇଁ ବାସ୍ତବବାଦୀ ଯୋଜନା ହେବା ଆବଶ୍ୟକ। ନହେଲେ ଆର୍ଥିକ ଅବନ୍ନତି ଦେଖାଯିବ। ଯାହାକୁ ଭାରତ ଭଳି ଦେଶ ସାମ୍ନା କରିବା ଅସମ୍ଭବ ହୋଇପଡ଼ିବ।
-କମଳାକାନ୍ତ ସେନାପତି, ନାଗେଶ୍ବରଟାଙ୍ଗୀ

ସମ୍ବନ୍ଧିତ ଖବର