ଓଲିଉଡ୍‌ର ଚୁଲ୍‌ବୁଲି ନାୟିକା ଭୂମିକା ଦାଶ। ପିଲାଟି ବେଳୁ ଓଡ଼ିଶୀ ଶିଖୁଥିବା ଭୂମିକାଙ୍କୁ ମାତ୍ର ୧୦ ବର୍ଷ ବୟସରେ ଓଲିଉଡ୍‌ରେ ସୁଯୋଗ ମିଳିଗଲା। ‘ରୁମ୍‌କୁ ଝୁମାନା’ରେ ଶିଶୁ କଳାକାର ଭାବେ ଅଭିନୟ କରି ‘ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର’ ହାତେଇ‌ଲେ। ୧୬ ବର୍ଷ ବୟସରେ ମୁଖ୍ୟ ଭୂମିକା ବି ପାଇଗଲେ। ତା’ ପରଠାରୁ ଆଉ ସେ ପଛକୁ ଫେରି ନାହାନ୍ତି। ଅଭିନୟକୁ ପେସା କରି ସେ ଆଗକୁ ବଢ଼ି ଚାଲିଛନ୍ତି। ଏଥରକ ସାକ୍ଷାତକାରରେ ‘ସମ୍ବାଦ’ ପକ୍ଷରୁ ହିତେଶ ନାୟକଙ୍କ ସହ ଆଳାପ...

Advertisment

ଶାସ୍ତ୍ରୀୟ ନୃତ୍ୟରୁ ଓଡ଼ିଆ ଚଳଚ୍ଚିତ୍ରର ଯାତ୍ରା କେମିତି ଥିଲା?
ମୁଁ ଚଳଚ୍ଚିତ୍ର ଜଗତକୁ ଆସିବି ବୋଲି କେବେ ଭାବି ନଥିଲି, ଯୋଜନା ବି ନଥିଲା। ୩ବର୍ଷ ବୟସରୁ ଓଡ଼ିଶୀ ଶିଖୁଥିଲି। ୨୦୧୨ ମସିହାରେ ଚଳଚ୍ଚିତ୍ର ‘ରୁମ୍‌କୁ ଝୁମାନା’ରେ ଶିଶୁ କଳାକାର ଭାବେ ଅଭିନୟ କରିବାକୁ ମୋ ପାଖକୁ ପ୍ରସ୍ତାବ ଆସିଥିଲା। ଅଡିସନ୍‌ରେ ବି ମୁଁ ମନୋନୀତ ହେଲି। ସେବେଠାରୁ ଅଭିନୟ ସହ ପାଠପଢ଼ା ଓ ଓଡ଼ିଶୀ ଚାଲିଥିଲା। ୨୦୧୭ରେ ‘ତୁ ମୋ ଲଭ୍‌ ଷ୍ଟୋରି’ରେ ମୁଖ୍ୟ ଭୂମିକାରେ ସୁଯୋଗ ମିଳିବା ପରେ ଆଉ ପଛକୁ ଫେରି ଚାହିଁନି।

ଓଲିଉଡ୍‌ ଓ ଆପଣଙ୍କୁ କରୋନା କେତେ ପ୍ରଭାବିତ କରିଛି?
ଖାଲି ସିନେମା ଜଗତ ତ ନୁହେଁ, ସବୁ ଶିଳ୍ପ ଉପରେ କରୋନାର ପ୍ରଭାବ ପଡ଼ିଥିଲା। ଯେହେତୁ ସବୁ ସିନେମା ହଲ୍‌ ବନ୍ଦ ରହିଲା ଓ ସୁଟିଂ ଉପରେ କଟକଣା ଜାରି କରାଗଲା, ଚଳଚ୍ଚିତ୍ର ଶିଳ୍ପକୁ ଟିକେ ଅଧିକ କ୍ଷତି ସହିବାକୁ ପଡ଼ିଛି। ହେଲେ ତାହାକୁ ମୁଁ ଏକ ସୁଯୋଗ ଭାବେ ବିବଚେନା କରିଥିଲି। ସେ ସମୟରେ ଆମେ ଅନେକ ଭଲ କାହାଣୀକୁ ନେଇ କାମ କରିଛୁ। ଡିଜିଟାଲ ପ୍ଲାଟଫର୍ମରେ କ୍ଷୁଦ୍ର ଚଳଚ୍ଚିତ୍ର ଓ ଧାରାବାହିକ କରାଯାଇଛି। ଏବେ ସ୍ଥିତି ସୁଧୁରିଛି। ଆଶା, ସିନେଜଗତ ପୂର୍ବାବସ୍ଥାକୁ ଫେରିଯିବ।

publive-image

ଦକ୍ଷିଣ ଭାରତର ସିନେଶିଳ୍ପ ବଲିଉଡ୍‌କୁ ଟକ୍କର ଦେଉଛି, କିନ୍ତୁ ଓଲିଉଡ୍‌ର ଅଧୋଗତି ହେଉଛି ବୋଲି ଚର୍ଚ୍ଚା ହେଉଛି। କାରଣ କ’ଣ ବୋଲି ଭାବୁଛନ୍ତି?
ଗ୍ରାମାଞ୍ଚଳରେ ଓଡ଼ିଆ ସିନେମା ଦର୍ଶକଙ୍କ ସଂଖ୍ୟା ଅଧିକ। କିନ୍ତୁ କଟକ, ଭୁବନେଶ୍ବରକୁ ଛାଡ଼ିଦେଲେ, ରାଜ୍ୟରେ ସିନେମା ହଲ୍‌ ସଂଖ୍ୟା ନୈରାଶ୍ୟଜନକ। ସଂଖ୍ୟା ବି ଦିନକୁ ଦିନ କମିବାରେ ଲାଗିଛି। ସହରାଞ୍ଚଳରେ ବି ସିନେମା ହଲ୍‌ଗୁଡ଼ିକରେ ଓଡ଼ିଆ ଚଳଚ୍ଚିତ୍ରକୁ ଗୁରୁତ୍ବ ଦିଆଯାଉନି। ଆଉ ଗୋଟିଏ କଥା ହେଲା, ବଲିଉଡ୍‌ କି ଟଲିଉଡ୍‌ ସହ ଓଲିଉଡ୍‌କୁ ତୁଳନା କରିବା ଠିକ୍‌ ହେବନି। ସୁଟିଂ ବେଳେ ସେମାନେ ଉଚ୍ଚ କ୍ଷମତାସଂପନ୍ନ କ୍ୟାମେରା, ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି। ଢେର୍‌ ଅଧିକ ବଜେଟ୍‌, ଗ୍ରାଫିକ୍ସ ବି ଖୁବ୍‌ ଉଚ୍ଚକୋଟୀର। ସେଥିପାଇଁ ସେ ଚଳଚ୍ଚିତ୍ରଗୁଡ଼ିକର ସାଉଣ୍ଡ ଓ ପିକ୍ଚର୍‌ର କ୍ବାଲିଟି, କ୍ଲାରିଟି ବେଶ୍‌ ଉନ୍ନତ। ଓଲିଉଡ୍‌ କିନ୍ତୁ ଏପର୍ଯ୍ୟନ୍ତ ସେ ପାଖାପାଖି ପହଞ୍ଚି ନାହିଁ।

କ’ଣ କରାଗଲେ ଓଲିଉଡ୍‌ ତା’ ପୁରୁଣା ଗୌରବ ଫେରି ପାଇବ?
କିଛି ହାତଗଣତି ଚ୍ୟାନେଲ୍‌ କମ୍‌ ଖର୍ଚ୍ଚରେ ଓଡ଼ିଆ ସିନେମା ପ୍ରସ୍ତୁତ କରୁଛନ୍ତି। ନା କାହାଣୀ ଭଲ, ନା ଭଲ କଳାକାରଙ୍କୁ ନେଉଛନ୍ତି। ଏଇଥିପାଇଁ ଓଡ଼ିଆ ଚଳଚ୍ଚିତ୍ରର ମାନ କମୁଛି, ଲୋକ ଦେଖୁନାହାନ୍ତି। ତେଣୁ ସେଗୁଡ଼ିକୁ ଆଗ ବନ୍ଦ କରାଯିବା ଦରକାର। ସରକାର ବି ଏଥିପାଇଁ କିଛି ଗୋଟେ ଗାଇଡ୍‌ଲାଇନ୍‌ କରନ୍ତୁ। ଏହାବ୍ୟତୀତ ସରକାର ସିନେମା ଶିଳ୍ପର ଭିତ୍ତିଭୂମି ବିକାଶ କରିବା ସହ ଓଡ଼ିଆ ସିନେଜଗତ, କଳାକାର, ପ୍ରଯୋଜକଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଅନ୍ତୁ, ଯେମିତି ଏବେ ହକିକୁ ଗୁରୁତ୍ବ ଦିଆଯାଉଛି। ସରକାର ହାତ ବଢ଼ାନ୍ତୁ, ଦେଖିବେ ଓଲିଉଡ୍‌ ଦୌଡ଼ିବ।

publive-image ollywoodseries.in

ଅଭିନୟରେ ଆଗକୁ ଯୋଜନା କ’ଣ?
ଶିକ୍ଷା ମୋ ପ୍ରାଥମିକତା। ତା’ ପରେ ଯାଇ ଅଭିନୟ। ମୁଁ ଜଣେ ବିଡିଏସ୍‌ ଛାତ୍ରୀ। ସେ ଦିଗରେ ବଢ଼ିବାକୁ ଲକ୍ଷ୍ୟ ରଖିଛି। ଓଲିଉଡ୍‌ ବାହାରକୁ ଯିବାର ଆଦୌ ଯୋଜନା ନାହିଁ। ଓଲିଉଡ୍‌କୁ ସୁଧାରିବା ମୋର ମୂଳ ଲକ୍ଷ୍ୟ। ଏଥିପାଇଁ ମୋ ପକ୍ଷେ ଯାହା ସମ୍ଭବ, କରିବି।

ରାଉରକେଲାରେ ଜନ୍ମ, ଭୁବନେଶ୍ବର କର୍ମଭୂମି। ଦୁଇ ସହର ଭିତରେ ପ୍ରଭେଦ କେତେ?
ଦୁଇଟି ଯାକ ସହର ଏକାଭଳି। ଖାଲି ଭୁବନେଶ୍ବରରେ ଟିକେ ପ୍ରଦୂଷଣ ଓ ଟ୍ରାଫିକ୍‌ ଅଧିକ। ଦୁଇ ସହର ସହ ମୋର ଅନେକ ସ୍ମୃତି ଯୋଡ଼ି ହୋଇରହିଛି।