ରାଜଧାନୀ ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ : ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଜ୍ୟପାଳ

ଭୁବନେଶ୍ବର : ଆସନ୍ତା ମାସ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ୭୧ତମ ରାଜଧାନୀ ପ୍ରତିଷ୍ଠା ଦିବସ ମହୋତ୍ସବ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଆଜି କ୍ୟାପିଟାଲ ହାଇସ୍କୁଲରେ ରାଜଧାନୀ ପ୍ରତିଷ୍ଠା ଦିବସ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜଧାନୀ ପ୍ରତିଷ୍ଠା ଦିବସକୁ ଜାକଜକମରେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ନିର୍ବାଚନୀ ବର୍ଷ ହୋଇଥିବାରୁ କାର୍ଯ୍ୟସୂଚୀରେ କେତେକ ପରିବର୍ତନ ପାଇଁ ନିଷ୍ପତ୍ତି ନିଆଯାଇଛି। ୧୩ ତାରିଖ ଦିନ ବିଧାନସଭା ସମ୍ମୁଖସ୍ଥ ରାଜଧାନୀ ଶିଳାନ୍ୟାସ ଫଳକ ସମ୍ମୁଖରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିବାଦନ ଗ୍ରହଣ କରିବେ। ଏହାସହ ରାଜଧାନୀର ପ୍ରମୁଖ ସରକାରୀ କାର୍ଯ୍ୟାଳୟ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ, କୋଠାବାଡ଼ି, ରାସ୍ତାଘାଟ, ବାଣିଜ୍ୟକର ପ୍ରତିଷ୍ଠାନ, ପଟ୍ରୋଲ ପମ୍ପ, ସଚିବାଳୟ, ବିଧାନସଭା, ରିଜର୍ଭ ବ୍ୟାଙ୍କ, ଏଜି କାର୍ଯ୍ୟାଳୟ, ଇଡ୍‌କୋ, ବିଡିଏ, ଫର୍ଚୁନ ଟାୱାର, କମିସନରେଟ୍ ପୁଲିସ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ଭବନକୁ ଆଲୋକମାଳାରେ ସଜାଇବା ପାଇଁ ସ୍ଥିର ହୋଇଛି। ଗତ ୩୦ବର୍ଷ ଧରି ପାଳିତ ହୋଇ ଆସୁଥିବା ଏହି କାର୍ଯ୍ୟାଳୟକୁ ସୁଚାରୁରୂପେ ପାଳନ କରିବା ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଓ ଉପସଭାପତି ପ୍ରଦ୍ୟୁମ୍ନ ମହାନ୍ତି କହିଛନ୍ତି।

ବୈଠକରେ ଖୋର୍ଧା ଜିଲ୍ଲା ଶିକ୍ଷାଧିକାରୀ ବୃନ୍ଦାବନ ଶତପଥୀ, ଭୁବନେଶ୍ବର ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୋନାମିକା ରାୟ, ଏସିପି ଜୋନ୍-୧ ବିଷ୍ଣୁ ପ୍ରସାଦ ପାତ୍ର, ଏସିପି ଟ୍ରାଫିକ କ‌ିଶୋର କୁମାର ପାଣିଗ୍ରାହୀ, ପ୍ରାଥମିକ ଶିକ୍ଷା ନିର୍ଦେଶକ ଅଭୟ କୁମାର ମଲ୍ଲିକ, ଏସିପି ଆର୍ମଡ୍‌ ଭବାନୀ ପ୍ରସାଦ ଜେନା, ସଂସ୍କୃତି ନିର୍ଦେଶାଳୟର ଉପନିର୍ଦେଶକ ଦେବାନନ୍ଦ ବରିହା, ଉଚ୍ଚଶିକ୍ଷା ନିର୍ଦେଶାଳୟର ଉପନିର୍ଦେଶିକା ଶ୍ରୀମୟୀ ସେନାପତି ପ୍ରମୁଖ ଯୋଗ‌ଦେଇ ବକ୍ତବ୍ୟ ରଖିଥିଲେ। ଏଥିରେ ପୂର୍ତ, ଜନସ୍ବାସ୍ଥ୍ୟ, ବିଏମ୍‌ସି, ବିଡିଏ, ରେଡକ୍ରସ, ଅଗ୍ନିଶମ ସେବା ସଂସ୍ଥା, ଭାରତ ସ୍କାଉଟ ଗାଇଡସ, ଓଏସିପି ସପ୍ତମ ବାଟାଲିଅନ୍, ସେଣ୍ଟ ଜନ ଆମ୍ବୁଲାନ୍‌ସ, ଏନ୍‌ସିସି ନିର୍ଦେଶାଳୟ, ଟ୍ରାଫିକ୍ ଓ ରାଜଧାନୀର ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଅଧ୍ୟାପକ/ଅଧ୍ୟାପିକାମାନେ ଯୋଗ ଦେଇଥିଲେ। ବୃନ୍ଦାବନ ଶତପଥୀ ଧନ୍ୟବାଦ ପ୍ରଦାନ କରିଥିଲେ। ବିଷ୍ଣୁ ବିଶୋୟୀ, ଗୌରଚନ୍ଦ୍ର ମହାପାତ୍ର, ପ୍ରଭାସ ରଂଜନ ଦାସ ଓ ଶେଖ ଅବଦୁଲ ଜନାବ ପ୍ରମୁଖ ବୈଠକ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର