ସଂସ୍କୃତି ବିଶ୍ବବିଦ୍ୟାଳୟ ବୁଲିଲେ ରାଜ୍ୟପାଳ

ଭୁବନେଶ୍ବର: ରାଜ୍ୟପାଳ ତଥା ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ ଆଜି କ୍ୟାମ୍ପସ ପରିଦର୍ଶନ କରିଛନ୍ତି। ରାଜ୍ୟପାଳ ଭାବେ ଯୋଗଦେବା ପରେ ପ୍ରଫେସର ଲାଲ୍‌ ପ୍ରଥମ ଥର ପାଇଁ ସଂସ୍କୃତି ବିଶ୍ବବିଦ୍ୟାଳୟ ଗସ୍ତ କରି ଛାତ୍ରଛାତ୍ରୀଙ୍କ ସହ ଅନ୍ତରଙ୍ଗ ଆଳାପ କରିଥିଲେ। ଏହି ଅବସରରେ ସେ କହିଲେ ଯେ ସାରା ବିଶ୍ବକୁ ବାସଯୋଗ୍ୟ ଓ ସୁନ୍ଦର କରିବା ଆମ ସମସ୍ତଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ। ଏଥିପାଇଁ ପ୍ରତ୍ୟେକ ନିଜ ନିଜ ସ୍ତରରେ ଉଦ୍ୟମ କରିବା‌ ଦରକାର। ବିଭିନ୍ନତା ମଧ୍ୟରେ ଏକତା ହେଉଛି ଆମ ସଂସ୍କୃତିର ମହାନତା। ସଂସ୍କୃତିର ମହାନତା‌ ଆମର ବୈଶିଷ୍ଟ୍ୟ। ଆନ୍ତରିକ ସମ୍ପୃକ୍ତି ଓ ସହଭାବ ମାଧ୍ୟମରେ ବିଶ୍ବରେ ଶାନ୍ତି ପ୍ରତିଷ୍ଠା କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର କମଳକାନ୍ତ ମିଶ୍ର, କୁଳସଚିବ ସୁମନ ଦାସ, ପିଜି କାଉନସିଲ୍‌ ଅଧ୍ୟକ୍ଷ ଜଗନ୍ନାଥ କୁଅଁର ପ୍ରମୁଖ ଉପସ୍ଥିତ ରହି ବିଶ୍ବବିଦ୍ୟାଳୟର ସ୍ଥିତି ଓ ପ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ, ଓଡ଼ିଶୀ ସଙ୍ଗୀତ ଓ ଡାଲଖାଇ ନୃତ୍ୟ ପରିବେଷିତ ହୋଇଥିଲା। ପ୍ରାୟ ୧ ଘଣ୍ଟା ୪୫ ମିନିଟ୍‌ ଧରି ରାଜ୍ୟପାଳ କ୍ୟାମ୍ପସରେ ରହିଥିଲେ। ରାଜ୍ୟପାଳଙ୍କ ସହ ତାଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ଅତିରିକ୍ତ ସଚିବ ସୁକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର