ଜଟଣୀ: ଜଟଣୀ ତରାବୋଇ ସ୍ଥିତ ଦକ୍ଷତା ବିକାଶ ପ୍ରତିଷ୍ଠାନରେ ଅନ୍ତର୍ଜାତୀୟ ଭାଷା ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟିତ ହୋଇଛି। ଏଥିସହିତ ‘ସ୍କିଲ୍ ଅନ୍ ହ୍ୱିଲ୍’ର ଶୁଭାରମ୍ଭ ମଧ୍ୟ କରାଯାଇଛି। ନ୍ୟାସନାଲ୍ ସ୍କିଲ୍ ଡେଭଲପ୍ମେଣ୍ଟ୍ କର୍ପୋରେସନ୍ ସହଯୋଗରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଯୋଗଦେଇ ପ୍ରଶିକ୍ଷଣ କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମିସନ ସ୍କିଲ୍ ଇଣ୍ଡିଆର ପରିକଳ୍ପନାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାର ପ୍ରଗତିଶୀଳ ପ୍ରୟାସ ଉପରେ ଆଲୋକପାତ କରିଥିଲେ।
ଏଥିସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନକୁ ପ୍ରଶଂସା କରିବା ସହ ଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିବା ଏସ୍ଡିଆଇକୁ ଭୁବନେଶ୍ୱରର ସ୍ଥପତି ବୋଲି ଅଭିହିତ କରିଥିଲେ। ସମ୍ମାନିତ ଅତିଥିଭାବେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ ଯୋଗଦେଇ ଏସ୍ଡିଆଇ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର କଳ୍ପନାକୁ ପ୍ରଶଂସା କରିଥିଲେ। ଓଡ଼ିଶା ଓ ପୂର୍ବଭାରତର ଯୁବବର୍ଗଙ୍କ ପାଇଁ ଏସ୍ଡିଆଇ ‘ବତିଘର’ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିସନର ତଥା ସଚିବ ଭୂପେନ୍ଦ୍ର ସିଂହ ପୁନିଆ, ଏସ୍ଡିଆଇ ଭୁବନେଶ୍ୱରର ଚେୟାରମ୍ୟାନ୍ ରଶ୍ମି ଗୋଭିଲ, ଆଇଓସିଏସ୍ର ଏଚଆର୍ ନିର୍ଦ୍ଦେଶକ, ଏନ୍ଏସ୍ଡିସି ଓ ଦକ୍ଷତା ବିକାଶ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଏସ୍ଡିଆଇର ସିଇଓ ରଞ୍ଜନ ଭୌମିକ୍ ଓ ସିଓଓ ରାଜେଶ କୁମାର ତ୍ରିପାଠୀ ପରିଚାଳନା କରିଥିଲେ।