ଭୁବନେଶ୍ବର: କେନ୍ଦ୍ର ସାହିତ୍ୟ ଅକାଦେମିର ଦୁଇଟି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଆଜି ରାଜ୍ୟ ସଂଗ୍ରହାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଆୟୋଜିତ ଗୋବିନ୍ଦ ଚନ୍ଦ୍ର ଉଦ୍ଗାତା ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ରରେ ଉଦ୍ଘାଟକ ଭାବେ ଯୋଗ ଦେଇ ପ୍ରଖ୍ୟାତ କବି ତଥା ଅକାଦେମିର ମହତ୍ତର ସଦସ୍ୟ ରମାକାନ୍ତ ରଥ କହିଥିଲେ, ଖ୍ୟାତନାମା ସମାଲୋଚକ ଡକ୍ଟର ଉଦ୍ଗାତା ହେଉଛନ୍ତି ମୋର ସ୍କୁଲ୍ ଶିକ୍ଷକ। ବଲାଙ୍ଗୀର ପୃଥ୍ବୀରାଜ ହାଇସ୍କୁଲ୍ରେ ମୋତେ ସେ ପାଠ ପଢ଼ାଇଛନ୍ତି। ଅଙ୍କରେ ଦୁର୍ବଳ ଥିବାରୁ ମୁଁ ମନଦୁଃଖ କରୁଥିଲି। ସେତେବେଳେ ଡକ୍ଟର ଉଦ୍ଗାତା ମୋତେ ସାହିତ୍ୟରେ ମନ ବଳାଇବାକୁ କହିଥିଲେ। ମୋ ଭିତରେ ସେ ସାହିତ୍ୟ ପ୍ରେମ ଜାଗ୍ରତ କରାଇଥିଲେ। ସେ ମୋ ସାହିତ୍ୟ ଜୀବନର ପ୍ରଥମ ପ୍ରେରଣା। ଦୁଃଖର କଥା ଯେ ଆଜିର ସାହିତ୍ୟ କେବଳ ସମସାମୟିକ ହୋଇଯାଉଛି। ଗୋବିନ୍ଦ ଚନ୍ଦ୍ର ଉଦ୍ଗାତାଙ୍କ ଭଳି ବିଦ୍ବାନ ଲେଖକମାନଙ୍କ ପୁରୁଣା ବହିର ପୁନଃପ୍ରକାଶନ ହେବା ଜରୁରୀ ବୋଲି ଶ୍ରୀ ରଥ କହିଥିଲେ।
ଉପସ୍ଥିତ ଆଲୋଚକମାନେ ମତ ଦେଇଥିଲେ ଯେ ଡକ୍ଟର ଉଦ୍ଗାତା ଥିଲେ ଗଙ୍ଗାଧର ସାହିତ୍ୟର ସର୍ବଶ୍ରେଷ୍ଠ ସମାଲୋଚକ। ଅଳଙ୍କାର ପ୍ରସଙ୍ଗ ଓ ସୌନ୍ଦର୍ଯ୍ୟବୋଧ ଆଦି ଗଭୀର ପ୍ରସଙ୍ଗରେ ତାଙ୍କର ଅସୀମ ପାଣ୍ଡିତ୍ୟ ଥିଲା। ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ପ୍ରଫେସର ବିଜୟାନନ୍ଦ ସିଂହଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଂଜନ କୁମାର ଦାସ। ଅକାଡେମିର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ମିହିର କୁମାର ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୂଚନା ପ୍ରଦାନ କରିଥିଲେ ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଭାଗ୍ୟଲିପି ମଲ୍ଲ। ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରି ଡକ୍ଟର ଉ୍ଦଗାତାଙ୍କ ସାରସ୍ବତ ସାଧନାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ବିଶିଷ୍ଟ ଗବେଷକ ଦେବେନ୍ଦ୍ର କୁମାର ଦାଶ। ସଭାପତି ଭାଷଣ ଦେଇ ପ୍ରଫେସର ସିଂହ ଡକ୍ଟର ଉଦ୍ଗାତାଙ୍କ ଜୀବନ ଓ ସୃଜନର ଗୁଣଗାନ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଗୋବିନ୍ଦ ଚନ୍ଦ୍ର ଉଦ୍ଗାତା ସ୍ମୃତି କମିଟିର ଯୁଗ୍ମ ସଂପାଦିକା ଇନ୍ଦିରା ଉଦ୍ଗାତା।
ପରବର୍ତ୍ତୀ ଅଧିବେଶନମାନଙ୍କରେ ପିଆଇବିର ପୂର୍ବତନ ନିର୍ଦ୍ଦେଶକ ଉମାକାନ୍ତ ମିଶ୍ର ଓ ଡକ୍ଟର ପ୍ରଦୀପ୍ତ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ପ୍ରବନ୍ଧ ପାଠ କରିଥିଲେ ଡକ୍ଟର ସନ୍ତୋଷ କୁମାର ରଥ, ବିଭୂତି ଭୂଷଣ ପଣ୍ଡା, ଶିବପ୍ରସାଦ ତ୍ରିପାଠୀ, ରୁଦ୍ରନାରାୟଣ ମହାପାତ୍ର ଓ କ୍ଷେତ୍ରବାସୀ ନାଏକ। ସନ୍ଧ୍ୟାରେ ଆୟୋଜିତ ‘କଥାସନ୍ଧି’ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବରଚିତ ଗଳ୍ପ ପାଠ ସହିତ ନିଜ ଗଳ୍ପଯାତ୍ରା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ବିଶିଷ୍ଟ ଗାଳ୍ପିକ ଅଧ୍ୟାପକ ବିଶ୍ବରଞ୍ଜନ। ଉଭୟ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ସାହିତ୍ୟିକ ଓ ସାହିତ୍ୟପ୍ରେମୀମାନେ ଯୋଗ ଦେଇଥିଲେ। ଶେଷରେ ଆୟୋଜିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଦେବପ୍ରସାଦ ଦାସ, ବିଜୟ ନାୟକ, ସରୋଜ ବଳ ଓ ପବିତ୍ର ମୋହନ କର ପ୍ରମୁଖ ଉପସ୍ଥିତ ରହି ଅଧ୍ୟାପକ ବିଶ୍ବରଞ୍ଜନକୁ ପ୍ରଶ୍ନ ପଚାରିଥିଲେ ଏବଂ ଅତି ସୁନ୍ଦର ଓ ସରଳ ଭାବେ ଅଧ୍ୟାପକ ବିଶ୍ବରଞ୍ଜନ ଏ ସବୁର ଉତ୍ତର ରଖିଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ କଥାକାର ଗୌରହରି ଦାସ, ସ୍ତମ୍ଭକାର ଅସିତ ମହାନ୍ତି, ସାହିତ୍ୟିକ ପୀତବାସ ରାଉତରାୟ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ ଓ ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।