କର୍ମଜୀବୀଙ୍କ ପାଇଁ ବିଏସ୍‌ସିଏଲ୍‌ର ଉପହାର : ସହିଦନଗରରେ ଖୋଲିବ ସରକାରୀ କ୍ରେଚ୍‌

୧୦୦ ପିଲା ରହିବାର ବ୍ୟବସ୍ଥା ରହିବ
୬ମାସରୁ ୬ବର୍ଷ ପର୍ଯ୍ୟନ୍ତ ପିଲା ରହିପାରିବେ
ସକାଳ ୬ଟାରୁ ସଂଧ୍ୟା ୬ଟା ଖୋଲା ରହିବ
ପରିଚାଳନା ପାଇଁ ଘରୋଇ ସଂସ୍ଥା ସହ ୫ବର୍ଷିଆ ଚୁକ୍ତି ହେବ

ଭୁବନେଶ୍ବର : ରାଜଧାନୀର କର୍ମଜୀବୀ ମହିଳାଙ୍କୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଭେଟି ଦେବାକୁ ଯାଉଛନ୍ତି। ଯେଉଁ କର୍ମଜୀବୀ ମହିଳାମ‌ାନେ ସେମାନଙ୍କର ଛୋଟ ପିଲାଙ୍କ ପାଇଁ ଚାକିରି କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବେ ସେମାନେ ଆଉ ଏହି ସମସ୍ୟାର ସମ୍ମୁଖୀନ ହେବେନି। ପିଲାଙ୍କୁ କ୍ରେଚ୍‌ରେ ଛାଡ଼ି ନିର୍ଭୟରେ ଯାଇପାରିବେ। ବିଏସ୍‌ସିଏଲ୍‌ ପକ୍ଷରୁ ସହିଦନଗର ସ୍ଥିତ ଆଇପିଏସ୍‌ସି କେନ୍ଦ୍ରରେ ଏହି କ୍ରେଚ୍ ଖୋଲିବ। ଏକ ଘରୋଇ ସଂସ୍ଥାକୁ ଏହାର ପରିଚାଳନା ଦାୟିତ୍ବ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।

ଦିଲ୍ଲୀ, ପଞ୍ଜାବ ଓ ହରିୟାନାରେ ସରକାରୀ ଉଦ୍ୟମରେ କ୍ରେଚ୍ ଖୋଲା ଯାଇଥିବାବେଳେ ଏହିଭଳି କ୍ରେଚ୍ ରାଜ୍ୟରେ ପ୍ରଥମକରି ଭୁବନେଶ୍ବରରେ ଖୋଲିବ। ଏହି କ୍ରେଚ୍‌ରେ ୧୦୦ଜଣ ପିଲା ରହିବାର ବ୍ୟବସ୍ଥା ହେବ। ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବାକୁ ଥିବା ଏହି କ୍ରେଚ୍‌ରେ ୬ମାସରୁ ୬ବର୍ଷ ପର୍ଯ୍ୟନ୍ତ ପିଲା ରହିପାରିବେ। ବିଏସ୍‌ସିଏଲ୍‌ କ୍ରେଚ୍ ଖୋଲିବା ପାଇଁ ସମସ୍ତ ପ୍ରକାରର ଭିତ୍ତିଭୂମି ଯୋଗାଇ ଦେବ। ୨୪ଘଣ୍ଟିଆ ବିଦ୍ୟୁତ ଯୋଗାଣରୁ ଆରମ୍ଭ କରି, ବିଶୁଦ୍ଧ ପିଇବା ପାଣି , କାର୍‌ ପାର୍କିଂ ବ୍ୟବସ୍ଥା, ଅଗ୍ନି ନିରାପତ୍ତା ବ୍ୟବସ୍ଥା ମଧ୍ୟ ଯୋଗାଇ ଦେବ।

କ୍ରେଚ୍ ଚଲାଇବାକୁ ଥିବା ସଂସ୍ଥା ଏଠାରେ ପିଲାଙ୍କ ସୁରକ୍ଷା ପାଇଁ ଭିତ୍ତିଭୂମି ସଜାଡ଼ିବ। କ୍ରେଚ୍‌ର ଚାରି ପାର୍ଶ୍ବକୁ ଆବଦ୍ଧ କରିବା ସହ ଲିଫ୍ଟ ଏବଂ ଗେଟ୍‌ରେ ଚାଇଲ୍ଡ ଲକ୍‌ ଲଗାଇବ। ଏହାସହ ସିସିଟିଭି, ଆର୍‌ଓ ପାଣି, ଆଶୁ ଚିକିତ୍ସା ଯୋଗାଇବ। କ୍ରେଚ୍‌ ପକ୍ଷରୁ ଜଣେ ଡାକ୍ତର ଓ ଶିଶୁ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବ। ପିଲାଙ୍କର କିଛି ସମସ୍ୟା ହେଲେ ଯେପରି ତୁରନ୍ତ କ୍ରେଚ୍‌ରେ ଆସି ପହଞ୍ଚିବେ ସେନେଇ କ୍ରେଚ୍ ଚଳାଇବାକୁ ଥିବା ସଂସ୍ଥା ନିଶ୍ଚିତ କରିବ। କ୍ରେଚ୍‌କୁ ଆସିବାକୁ ଥିବା ପିଲାଙ୍କର ଯେପରି ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ହେଉଥିବ ସେନେଇ ଅଭିଭାବକମାନଙ୍କ ଦ୍ବାରା ନିଶ୍ଚିତ ହେବେ। ପିଲାଙ୍କୁ ଯେଉଁ ଖାଦ୍ୟ କ୍ରେଚ୍‌ରେ ଦିଆଯିବ ସେଥିରେ ଯେପରି ଆବଶ୍ୟକୀୟ କ୍ୟାଲୋରି ଥିବ ତାହାକୁ ଧ୍ୟାନ ଦେବେ।

ପିଲାଙ୍କର ପ୍ରତିଦିନ ଉପସ୍ଥାନ ନିଆଯିବ, ବିଭିନ୍ନ ଉତ୍ସବର ଉପସ୍ଥାନ, ସ୍ବାସ୍ଥ୍ୟ ପରୀକ୍ଷା, ପିଲା କେଉଁ ଜିନିଷ ଆଣିକି ଆସିବେ କ’ଣ ଆଣିବେନି, ମା’ମାନଙ୍କ ସାକ୍ଷାତ ସମୟ, ଆଗନ୍ତୁକଙ୍କ ପାଇଁ ସ୍ବତନ୍ତ୍ର ରେଜିଷ୍ଟର ରହିବ। ସେହିପରି ପିଲାଙ୍କର ଯେପରି ଆବଶ୍ୟକୀୟ ଯତ୍ନ ନିଆଯାଇପାରିବ ସେଥିପାଇଁ ୩ବର୍ଷରୁ କମ୍‌ ପିଲାଙ୍କ ପାଇଁ ପ୍ରତି ୧୦ଜ‌ଣରେ ଜଣେ ପରିଚାଳିକା ଓ ଜଣେ ସହାୟିକା, ୩ରୁ ୬ବର୍ଷର ପିଲାଙ୍କ ପାଇଁ ପ୍ରତି ୨୦ଜଣରେ ଜଣେ ପରିଚାଳିକା ଓ ଜଣେ ସହାୟିକା, ଜଣେ କ୍ରେଚ୍‌ ଇନ୍‌ଚାର୍ଜ ରହିବେ। ସମସ୍ତେ ଆବଶ୍ୟକୀୟ ତାଲିମ୍ ନେଇଥିବା ଆବଶ୍ୟକ। ରାଜ୍ୟ ସରକାରଙ୍କ ଦ୍ବାରା ଧାର୍ଯ୍ୟ ମଜୁରୀ ଅନୁଯାୟୀ କର୍ମଚାରୀମାନଙ୍କୁ ସର୍ବନିମ୍ନ ‌େବତନ ମିଳିବା ଦରକାର। ପିଲାଙ୍କ ସୁରକ୍ଷା ପାଇଁ ଜଣେ ସୁରକ୍ଷାକର୍ମୀ ମୁତୟନ ହେବେ। କର୍ମଚାରୀଙ୍କୁ ନିଯୁକ୍ତି ଦେବା ପୂର୍ବରୁ ସେମାନଙ୍କର ପୂର୍ବ ରେକର୍ଡ ଯାଞ୍ଚ କରିବାକୁ କୁହାଯାଇଛି।

ବିଏସ୍‌ସିଏଲ୍‌ ପକ୍ଷରୁ ୫ବର୍ଷ ପାଇଁ ‌ଘରୋଇ ସଂସ୍ଥା ସହ ଚୁକ୍ତି ହେବାକୁ ଥିବାବେଳେ ଆବଶ୍ୟକସ୍ଥଳେ ଏହା ଆଉ ଦୁଇ ବର୍ଷ ବଢ଼ିବ। ଏହାପରେ ଏକବର୍ଷ ପାଇଁ ଚୁକ୍ତି ବଢ଼ାଯାଇପାରିବ। ସେହିପରି ପ୍ରତିବର୍ଷ ଭଡ଼ା ୫% ବଢ଼ିବ ବୋଲି ନିଷ୍ପତ୍ତି ହୋଇଛି। ଏନେଇ ଫେବ୍ରୁଆରି ୨୭ରେ ଟେଣ୍ଡର ଆହ୍ବାନ ହୋଇଥିବାବେଳେ ମାର୍ଚ୍ଚ ୩୦ରେ ଏହାର ଅବଧି ସରିବ। ସବୁ ଠିକ୍‌ଠାକ୍ ରହିଲେ ମେ ମାସରୁ ଏହି କ୍ରେଚ୍ କାର୍ଯ୍ୟକ୍ଷମ ହେବ।

ସମ୍ବନ୍ଧିତ ଖବର