ସରକାରୀ ସହାୟତା ସାତସପନ, ବୃଦ୍ଧାବସ୍ଥାରେ ପରିବାର ବୋଝ

ବାଲିପାଟଣା: ବାଲିପାଟଣା ବ୍ଲକ ତୁରିନ୍ତିରା ପଞ୍ଚାୟତର ବାଗଲପୁର ଗ୍ରାମର ସର୍ବେଶ୍ବର ମଲ୍ଲିକ (୭୫)ଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ପାଲଟିଛି। ବୃଦ୍ଧାବସ୍ଥାରେ ଏବେ ତାଙ୍କ ମୁଣ୍ଡ ଉପରେ ପରିବାରର ବୋଝ। ସ୍ତ୍ରୀ, ପୁଅ, ବୋହୁ ଓ ନାତିଙ୍କ ଭରଣପୋଷଣ ଭାର ସର୍ବେଶ୍ବରଙ୍କୁ ଆହୁରି ଭାରାକ୍ରାନ୍ତ କରିଦେଇଛି। ଏବେବି ମନରେ ଆଶା ସରକାରୀ ସହାୟତା ତାଙ୍କୁ ଏଭଳି ଦୁସ୍ଥିତିରୁ ମୁକ୍ତି ଦେବ। ପତ୍ନୀ ସଞ୍ଜୁ, ପୁଅ ଅଲେଖ, ବୋହୁ ସାବିତ୍ରୀ ଓ ୫ ବର୍ଷର ନାତି ଆଶୁତୋଷଙ୍କୁ ନେଇ ସର୍ବେଶ୍ବରଙ୍କ ପରିବାର। ରୋଜଗାରିଆ ପୁଅ ଅଲେଖ ୨/୩ ବର୍ଷ ହେବ ଅଣ୍ଟାରେ ଯନ୍ତ୍ରଣା ଯୋଗୁଁ ରୋଜଗାର ହରାଇଛନ୍ତି। ରୋଜଗାର ପାଇଁ ଆନ୍ଧ୍ରପ୍ରଦେଶରେ ଦୀର୍ଘ ଦିନଧରି ଟ୍ରକ ଚଳାଉଥିଲେ। ମାସକୁ ୧୫/୨୦ ହଜାର ଟଙ୍କା ମଧ୍ୟ ରୋଜଗାର କରୁଥିଲେ। ହଠାତ୍ ହସ ଖୁସିର ସଂସାର ଭିତରକୁ ଘୋଟି ଆସିଲା କଳା ବାଦଲ। ବାଇକ୍‌ ଷ୍ଟାଣ୍ତ ମାରୁଥିବା ସମୟରେ ଅଣ୍ଟାରେ ଆଘାତ ଲାଗିଥିଲା ଅଲେଖଙ୍କର। ସ୍ଥାନୀୟ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇଥିଲେ। ଫିଜିଓଥେରାପି କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଅର୍ଥ ଅଭାବରୁ ଏଥିପାଇଁ ଘରର ସ୍ବର୍ଣ୍ଣ ଅଳଙ୍କାର ବନ୍ଧକ ରଖିବାକୁ ପଡ଼ିଥିଲା। ମାତ୍ର ଏଥିରେ ଭଲ ନହେବାରୁ ଡାକ୍ତର ଅପରେସନ ପାଇଁ ପରାମର୍ଶ ଦେଇଥିଲେ। ଅପରେସନରେ ଅର୍ଥ ସାଜିଥିଲା ବାଧକ। ସ୍ଥାନୀୟ ପୁବାଗଡ଼ ଗ୍ରାମର ମାନସ କୁମାର ମିଶ୍ର ରାଜ୍ୟ ସରକାରଙ୍କ ଚିକିତ୍ସା ପାଣ୍ଠିରୁ ସାହାଯ୍ୟ ଆଣି ଅଲେଖଙ୍କର ଅପରେଶନ କରାଇଥିଲେ। ଅପରେଶନ ହୋଇଗଲା। ଅଣ୍ଟା ଯନ୍ତ୍ରଣା ସାମାନ୍ୟ ଲାଘବ ହେଲା। କିନ୍ତୁ ଓଜନିଆ ଜିନିଷ ଉଠାଇବା କିମ୍ବା ଅଣ୍ଟାକୁ ଆଘାତ ହେଲାଭଳି କୌଣସି କାର୍ଯ୍ୟ ନ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ପୁଅର ଭବିଷ୍ୟତ ଓ ସ୍ବାମୀ ଅଲେଖଙ୍କ ରୋଗ ଚିନ୍ତାରେ ଭାଙ୍ଗିପଡ଼ିଛନ୍ତି ସାବିତ୍ରୀ। ବାର୍ଦ୍ଧକ୍ୟ ଅବସ୍ଥାରେ ଦିନ ମଜୁରି କରି ପରିବାର ଚଳାଉଛନ୍ତି ସର୍ବେଶ୍ବର। ସରକାରୀ କିମ୍ବା ବେସରକାରୀ ସଂସ୍ଥା ତରଫରୁ ରହିବା ପାଇଁ ଘର ଏବଂ ପୁଅର ପାଠ ପଢ଼ିବା ପାଇଁ ସହଯୋଗ ଲାଗି ସାବିତ୍ରୀ ବିନମ୍ର ନିବେଦନ କରିଛନ୍ତି। ଉକ୍ତ ପରିବାରକୁ ସରକାରୀ ଯୋଜନାରେ ସହାୟତା ପାଇଁ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର