କର୍ମଚାରୀଙ୍କ ଅଫିସ ଆସିବା ନେଇ ୩ଟି ବର୍ଗ କଲେ ସରକାର

କ୍ରିଟିକାଲ୍, ଆଂଶିକ କ୍ରିଟିକାଲ୍ ଓ ଅଣକ୍ରିଟିକାଲ୍, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର: ‘କୋଭିଡ୍-୧୯’ ବା କରୋନା ସ୍ଥିତିର ଗୁରୁତ୍ବ ଦୃଷ୍ଟିରୁ ସରକାର ପ୍ରତିଦିନ ସତର୍କତାସ୍ବରୂପ ପଦକ୍ଷେପ ନେଇ ଚାଲିଛନ୍ତି। ଆଜି କର୍ମଚାରୀମାନଙ୍କ ଅଫିସ୍‌ ଆସିବା ନେଇ ନୂଆ ନିୟମ କରିଛନ୍ତି। ଆବଶ୍ୟକତା ଦୃଷ୍ଟିରୁ ସମସ୍ତ ବିଭାଗର କର୍ମଚାରୀଙ୍କୁ ୩ପ୍ରକାର ଶ୍ରେଣୀରେ ସରକାର ବିଭକ୍ତ କରିଛନ୍ତି। କ୍ରିଟିକାଲ୍, ଆଂଶିକ କ୍ରିଟିକାଲ୍ ଓ ଅଣକ୍ରିଟିକାଲ୍ ବିଭାଗରେ ବିଭକ୍ତ କରାଯାଇଛି। ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ବିଜ୍ଞପ୍ତି ଅନୁୟାୟୀ, ଖାଦ୍ୟ ଓ ଖାଉଟି କଲ୍ୟାଣ, ଗୃହ ଓ ନଗର ଉନ୍ନୟନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଗୃହ, ଏସ୍‌ଆର୍‌ସି ଓ ଓସ୍‌ଡ୍‌ମା ବିଭାଗର କର୍ମଚାରୀମାନଙ୍କୁ କ୍ରିଟିକାଲ୍‌ ବର୍ଗରେ ସାମିଲ କରାଯାଇଛି। ଏସବୁ ବିଭାଗର ସମସ୍ତ କର୍ମଚାରୀ ନିୟମିତ ଅଫିସ ଆସିବା ସହ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସେବା ଯୋଗାଇବେ। ଏହାସହ ବିଭାଗୀୟ ନିର୍ଦ୍ଦେଶାଳୟ, ସରକାରୀ ଉଦ୍ୟୋଗଗୁଡ଼ିକ ସମ୍ପୃକ୍ତ ବିଭାଗର ଶାସନ ସଚିବଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବେ। ସେହିପରି ବାଣିଜ୍ୟ ଓ ପରିବହନ, ଇଲେକ୍ଟ୍ରୋନିକ୍‌ସ ଓ ଆଇଟି, ଶକ୍ତି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଅର୍ଥ, ସୂଚନା ଓ ଲୋକସମ୍ପର୍କ, ଶିଳ୍ପ, ଶ୍ରମ ଓ ଇଏସ୍‌ଆଇ, ଏମ୍‌ଏସ୍‌ଏମ୍‌ଇ, ପଞ୍ଚାୟତିରାଜ ଓ ପାନୀୟ ଜଳ, ରାଜସ୍ବ, ଏସ୍‌ସି ଓ ଏସ୍‌ଟି ବିକାଶ, ବିଦ୍ୟାଳୟ ଓ ଗଣଶିକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ, ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ଓ ନିର୍ମାଣ ବିଭାଗର କର୍ମଚାରୀମାନଙ୍କୁ ଆଂଶିକ କ୍ରିଟିକାଲ୍‌ ବର୍ଗରେ ସାମିଲ କରାଯାଇଛି। ଏହି ବିଭାଗର କର୍ମଚାରୀମାନେ ବିଭାଗୀୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଅନୁସାରେ ଅଫିସ ଆସିବେ।

କୃଷି ଓ କୃଷକ ସଶକ୍ତୀକରଣ ବିଭାଗ, ସମବାୟ, ଅବକାରୀ, ଜଙ୍ଗଲ ଓ ପରିବେଶ ବିଭାଗ, ହସ୍ତତନ୍ତ ଓ ବୟନ, ଉଚ୍ଚଶିକ୍ଷା, ଆଇନ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ସଂସଦୀୟ ବ୍ୟାପାର, ଯୋଜନା ଓ ସଂଯୋଜନ, ସାଧାରଣ ଉଦ୍ୟୋଗ, ଗ୍ରାମ୍ୟ ଉନ୍ନୟନ, ବିଜ୍ଞାନ ଓ କାରିଗରୀ, ଦକ୍ଷତା ବିକାଶ ଓ ବୈଷୟିକ, କ୍ରୀଡ଼ା ଓ ଯୁବ ବ୍ୟାପାର, ଇସ୍ପାତ ଓ ଖଣି, ପର୍ଯ୍ୟଟନ ଏବଂ ଜଳ ସମ୍ପଦ ବିଭାଗର କର୍ମଚାରୀମାନଙ୍କୁ ଅଣକ୍ରିଟିକାଲ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ବିଭାଗର କର୍ମଚାରୀମାନେ ବିଭାଗୀୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବା ସହ ଦୈନଦିନ କାମ ତୁଲାଇବା ପାଇଁ ଅନ୍ୟୁନ ଯେତିକି କର୍ମଚାରୀ ଆବଶ୍ୟକ ସେତିକି ମାତ୍ର ଅଫିସ ଆସି‌ବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର