ଜୟୀ ରାଜଗୁରୁଙ୍କୁ ଭୁଲିଗଲା ପ୍ରଶାସନ

ବଳିଦାନ ଦିବସ ପାଳନ କଲେ ଯୁବକ-ଛାତ୍ର

ଭୁବନେଶ୍ୱର : ଜୟୀ ରାଜଗୁରୁଙ୍କୁ ନେଇ ଚାଲିଥିବା ବିତର୍କ ରାଜ୍ୟ ରାଜନୀତିକୁ ସରଗରମ କରିଛି। କିନ୍ତୁ ତାଙ୍କ ବଳିଦାନ ଦିବସରେ ଏହି ମହାପୁରୁଷଙ୍କୁ ସର୍ବନିମ୍ନ ସମ୍ମାନ ପ୍ରଦାନ କରିବାକୁ ପ୍ରଶାସନ ଭୁଲିଯାଇଛି। ଆଜି ସମ୍ବିଧାନ ପ୍ରଣେତା ଆମ୍ବେଦକରଙ୍କ ପୁଣ୍ୟତିଥି ଅବସରରେ ଏଜି ଛକ ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ବହୁ ରାଜନେତା ମାଲ୍ୟାର୍ପଣ କରିଥିଲେ। କିନ୍ତୁ ସେଠାରୁ କିଛି ଫୁଟ ଦୂରରେ ଥିବା ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତି ଆଡ଼େ କାହାର ନଜର ନ ଥିଲା।

ପ୍ରଶାସନ ପକ୍ଷରୁ ଜୟୀ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯିବା ତ ଦୂରର କଥା। ତାଙ୍କ ପ୍ରତିମୂର୍ତ୍ତିକୁ ସଫା କରି ସଜାଇବାକୁ ବି ମନେ ନ ଥିଲା। ଉତ୍କଳ ବିକାଶ ଯୁବ ପରିଷଦ ଆନୁକୂଲ୍ୟରେ ଯୁବକ ଓ ଛାତ୍ରମାନେ ସହିଦଙ୍କ ପ୍ରତିମୂର୍ତ୍ତି ସଫା କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରିଷଦର ସଭାପତି ଦେବୀ ପ୍ରସାଦ ପୃଷ୍ଟିଙ୍କ ପରିଚାଳନାରେ ବିଧାୟକ ପ୍ରଦୀପ ପୁରୋହିତ, ଚିନ୍ମୟ ମିଶ୍ର, ସୀତାବଲ୍ଲଭ ମହାପାତ୍ର, ପର୍ଶୁରାମ ଦ୍ୱିବେଦୀ, ସରିତା ବାରିକ, ଅଜୟ ପରିଡ଼ା, ସତ୍ୟ ଜେନା, ଜ୍ଞାନନନ୍ଦ ସାଗର, ଲିପକ ଚୌଧୁରୀ, ସୋନୁ ବାରିକ ପ୍ରମୁଖ ଏହି କାର୍ଯ୍ୟରେ ସାମିଲ୍‌ ହୋଇଥିଲେ। ସହିଦଙ୍କ ବଳିଦାନ ଦିବସକୁ ସରକାର ଓ ପ୍ରଶାସନ ଏପରି ଅବହେଳା କରିବାକୁ ସମସ୍ତେ ନିନ୍ଦା କରିଥିଲେ। ଜୟୀ ରାଜଗୁରୁଙ୍କ ଉପରେ ସରକାର ଫିଚର ଫିଲ୍ମ ନିର୍ମାଣ କରିବାକୁ ଦାବି ହୋଇଥିଲା।

ସମ୍ବନ୍ଧିତ ଖବର