ଭୁବନେଶ୍ବର: ବିଏମ୍‌ସି ଜାଣିଥିଲା ଖୁବ୍‌ କମ୍‌ ଦିନ ଭିତରେ ତଡ଼ା ହେବ। ତଥାପି ପୋତିଥିଲା। ‘ସର୍‌କାର କା ମାଲ୍‌ ଦରିଆ ମେ ଡାଲ୍‌’ ଭଳି ବିଏମ୍‌ସି ରାସ୍ତା କଡ଼ରେ ମୁକ୍ତାକାଶ ବ୍ୟାୟାମଶାଳା ତିଆରି କରି ବର୍ଷେ ପରେ ତାଡ଼ି ନେଇଛି। ପ୍ରଥମେ ରାସ୍ତା କଡ଼ରେ ଏହି ସବୁ ସରଞ୍ଜାମ ପୋତି ସରକାରଙ୍କୁ ଦେଖାଇଲେ। ‘ମୁକ୍ତା’(ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ) ଜରିଆରେ ଏସ୍‌ଏଚ୍‌ଜିଙ୍କୁ କମିସନ ନାଁରେ ମୋଟା ଅଙ୍କର ଅର୍ଥ ପ୍ରଦାନ କଲେ। ଏବେ ଆଉ ଗୋଟିଏ ଜାଗାରେ ପୋତିବେ। ଏଠା‌ରେ ମଧ୍ୟ କମିସନ ଦେବେ। ସରକାରଙ୍କୁ ଦେଖାଇବେ ରାସ୍ତାକଡ଼ରେ ମୁକ୍ତାକାଶ ବ୍ୟାୟାମଶାଳା କରି ସାଧାରଣ ଲୋକଙ୍କୁ ସୁବିଧା ଯୋଗାଇଦେଲୁ। ଏଭଳି ବିଚିତ୍ର ସ୍ଥିତି ହୋଇଛି ଭିଏସ୍‌ଏସ୍‌ ନଗରରେ। ୨୦୧୯ ମ‌ାର୍ଚ୍ଚ ୭ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଏସ୍‌ଏସ୍‌ନଗର ସ୍ବାସ୍ଥ୍ୟକେନ୍ଦ୍ର ଠାରେ ମଞ୍ଚେଶ୍ବର ରେଳବାଇ ଓଭରବ୍ରିଜ(ଆରଓବି) ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଆରଓବି ନିର୍ମାଣ ହେଲେ ଏହା କଡ଼ରେ ସର୍ଭିସ୍‌ ରୋଡ୍‌ ପ୍ରସ୍ତୁତ ହେବା ସ୍ବାଭାବିକ। କିନ୍ତୁ ଯେଉଁଠି ସର୍ଭିସ୍‌ ରୋଡ୍‌ ହେବା କଥା ସେଠାରେ ହିଁ ବିଏମ୍‌ସି ଘଟଣାର ବର୍ଷେ ପରେ ଅର୍ଥାତ୍‌ ୨୦୨୦ ମସିହା‌ରେ ମୁକ୍ତାକାଶ ବ୍ୟାୟାମଶାଳା ସ୍ଥାପନ କଲା। ‌ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ତା’ର ଠିକ୍‌ ସାମ୍ନାରେ ଏହା ଉଦ୍‌ଘାଟନ ହୋଇଥିଲା। ଏବେ ଆରଓବି ନିର୍ମାଣ ହେବାରୁ ଏହାର ସରଞ୍ଜାମ ସବୁକୁ ତାଡ଼ି ପାଖରେ ଥିବା ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଭିତରେ ରଖାଯାଇଛି।

Advertisment

ଏଠାରେ ପ୍ରସ୍ତୁତ ହୋଇଥିବା ବ୍ୟାୟାମଶାଳାରେ ଲାଗିଥିବା ସରଞ୍ଜାମ ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ବାରା ଯୋଗାଇ ଦିଆଯାଇଥିଲା। ଏଥିରେ ବିଏମ୍‌ସି ଟଙ୍କାଟିଏ ଖର୍ଚ୍ଚ କରିନଥିବା କହିଛି। କିନ୍ତୁ ଏହାକୁ ପୋତିବା ସହ ଚଟାଣରେ ପେଭର୍‌ ବ୍ଲକ ପକାଯାଇଥିଲା। ଏହି କାମ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ କରାଯାଇଥିଲା। ଏଥିପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବିଏମ୍‌ସି ଦର୍ଶାଇଛି। ତେବେ କେବଳ ଏହି ଗୋଟିଏ ଜାଗା ନୁହେଁ, ପୋଖରୀପୁଟ୍‌ ପେଟ୍ରୋଲ ପମ୍ପ ନିକଟରେ ଏଭଳି ବ୍ୟାୟାମଶାଳା କରାଯାଇଥିଲା। କିନ୍ତୁ ବ୍ୟବହାର ପୂର୍ବରୁ ଏହାକୁ ତାଡ଼ି ଦିଆଯାଇଥିଲା। କେବଳ କମିସନ ପାଇବା ପାଇଁ ଏଭଳି ବ୍ୟବସ୍ଥା ହୋଇଥିବା ଚର୍ଚ୍ଚା ହେଉଛି। ଏହାକୁ ନେଇ ସ୍ଥାନୀୟ ଲୋକ କହିଛନ୍ତି, କେବଳ ଦୂରଦୃଷ୍ଟି ଅଭାବରୁ ନୁହେଁ, ବେପରୁଆ ଭାବେ ଜିମ୍‌ କାମ କରାଯାଇଥିଲା। ତାହା ବର୍ଷେ ବି ଗଲାନି। କର୍ପୋରେଟର, ବିଧାୟକ, ମୁଖ୍ୟମନ୍ତ୍ରୀ ଗୋଟିଏ ଦଳ ହୋଇଥିବା‌ ସତ୍ତ୍ବେ ଏଭଳି ସମନ୍ବୟ ଅଭାବ ପାଇଁ ଲୋକଙ୍କ ଟଙ୍କା ପାଣିରେ ପଡ଼ିଲା।