ରାଜଧାନୀରେ ସରକାରୀ ଜମି ବେପାର: ଦଲାଲି ଓ ଦାଦାଗିରିରେ ମହିଳା ଗୋଷ୍ଠୀ

ଭୁବନେଶ୍ବର: ରାଜଧାନୀରେ ସରକାରୀ ଜମି କିଣାବିକା ଏକ ବେଶ୍ ଲାଭଜନକ ବେପାର। ବିନା ମୂଳଧନରେ ଲକ୍ଷ ଲକ୍ଷ ଟଙ୍କାର ମୁନାଫା। ବାହୁବଳ ଥିଲେ ହେଲା। ତେଣୁ ସ୍ଥାନୀୟ ବାହୁବଳୀମାନେ ଦାଦାଗିରି ଜରିଆରେ ଏହି କାରବାରକୁ ଆପଣେଇଛନ୍ତି। ବର୍ଷ ବର୍ଷ ଧରି ଚାଲିଛି ଏହି କାରବାର। ଏମିତିକି ଗତ କିଛି ବର୍ଷ ହେଲା ମହିଳା ଗୋଷ୍ଠୀ ମଧ୍ୟ ଏହି ଲାଭଜନକ କାରବାରକୁ ହାତକୁ ନେଇଛନ୍ତି। ମିଛ କେସ୍‌ର ଭୟ ଦେଖାଇ ପ୍ରକୃତ ଜମି ମାଲିକମାନଙ୍କଠାରୁ ଦାଦାବଟି ଆଦାୟ କରୁଛନ୍ତି ଓ ସରକାରୀ ଜମି ଦଖଲ କରି କିଣାବିକା ବେପାର କରୁଛନ୍ତି। ତମାଣ୍ଡୋ, ଖଣ୍ଡଗିରି, ମଞ୍ଚେଶ୍ବର ଓ ସହିଦନଗର ଥାନା ଅଞ୍ଚଳରେ ଏମିତି ମାଳମାଳ ଅଭିଯୋଗ ରହିଛି। କିଛି ମାମଲାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ ବହୁ ମାମଲାରେ ପୁଲିସର ନିଷ୍କ୍ରିୟତା ଜମି ମାଲିକମାନଙ୍କୁ ବଟି ଗଣିବାକୁ ବାଧ୍ୟ କରୁଥିବା ଜଣାପଡ଼ିଛି।

ଗୁରୁବାର ତମାଣ୍ଡୋ ଥାନା ପୁଲିସ ମୃତ୍ୟୁଞ୍ଜୟ ପାଟ୍ଟଶାଣୀ ନାମକ ଜଣେ ଅଭିଯୁକ୍ତକୁ ଏଭଳି ମାମଲାରେ ଗିରଫ କରିଛି। ପାତ୍ରପଡ଼ାର ରାକେଶ ବଳଙ୍କ ଜମିକୁ ମାଡ଼ି ବସିବା ସହ ତାଙ୍କୁ ଆକ୍ରମଣ କରିବା ଅଭିଯୋଗରେ ତମାଣ୍ଡୋ ଥାନା ପୁଲିସ ତାଙ୍କୁ ଗିରଫ କରିଛି। ପୂର୍ବରୁ ମୃତ୍ୟୁଞ୍ଜୟର ଭାଇ ଓ ବାପାଙ୍କ ନାମରେ ମଧ୍ୟ ଅନୁରୂପ ଅଭିଯୋଗ ରହିଥିଲା। ଘଟଣାର ଖୋଳତାଡ଼ ପରେ ତମାଣ୍ଡୋ ଥାନା ପୁଲିସ ଏହି ଦାଦାଗିରି ସମ୍ବନ୍ଧରେ ଜାଣିବାକୁ ପାଇଥିଲା। ଦୀର୍ଘ ଦିନରୁ ଏମାନେ ଏହି ଅଞ୍ଚଳରେ ଏଭଳି କାର୍ଯ୍ୟରେ ଲିପ୍ତ ଥିବା ତଦନ୍ତ ବେଳେ ଜଣା ପଡ଼ିଥିଲା‌। ଏବେ ପୁଲିସ ସେହି ଦିଗରେ ତଦନ୍ତ କରିବା ସହ ଅନ୍ୟ ଦୁଇ ଫେରାର ଅଭିଯୁକ୍ତ ମୃତ୍ୟୁଞ୍ଜୟର ବାପା ଓ ଭାଇଙ୍କୁ ଖୋଜୁଛି।

ସେହିଭଳି ଖଣ୍ଡଗିରି ଥାନା ଅଞ୍ଚଳରେ ଏକ ମହିଳା ଗୋଷ୍ଠୀ ଏଭଳି ଦଲାଲି ଓ ଦାଦାଗିରି କରୁଥିବା ଜଣାପଡ଼ିଛି। ସେମାନେ ପ୍ରଥମେ ଖୋଲା ପଡ଼ିଥିବା ଜମିକୁ ଟାର୍ଗେଟ୍‌ କରନ୍ତି। ତାହା ସରକାରୀ ଜମି ହେଉ କି ଘରୋଇ ସ୍ଥିତିବାନ୍‌ ଜମି; ତା’ ଉପରେ ସେମାନେ ନଜର ରଖିଥା’ନ୍ତି। ଉକ୍ତ ଖୋଲା ଜାଗାରେ ଜମି ମାଲିକ ନିର୍ମାଣ କାମ ଆରମ୍ଭ କରିବା ମାତ୍ରେ ଏମାନେ ସେଠାରେ ପହଞ୍ଚି ଯାଆନ୍ତି। ମାଲିକକୁ ୫ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଟି ମାଗିଥାନ୍ତି, ନଦେଲେ ମାଲିକ ନାମରେ ମହିଳା ନିର୍ଯାତନା ମାମଲା ରୁଜୁ ହୋଇଥାଏ। ଘର ତିଆରିଠାରୁ ଆରମ୍ଭ କରି ‌ଶେଷ ହେବା ପର୍ଯ୍ୟନ୍ତ ସ୍ଥିତି ଏଭଳି ହୋଇଥାଏ ଯେ ମାଲିକ ଜାଗା ବିକିବାକୁ ବାଧ୍ୟ ହୋଇଥାଏ। ନଚେତ୍‌ ଲକ୍ଷଲକ୍ଷ ଟଙ୍କା ବଟି ଦେଇ ଘର କରିଥାଏ। ଏହି ମହିଳା ଗୋଷ୍ଠୀ ନାମରେ ପୂର୍ବରୁ ଥାନାରେ ଏତଲା ମଧ୍ୟ ହୋଇଛି। ହେଲେ କୌଣସି ଲାଭ ହୋଇନାହିଁ। ଏଭଳି ଦାଦାବଟିକୁ ନେଇ ଖଣ୍ଡଗିରି ଥାନାରେ ମାସକୁ ୧୦ରୁ ଊର୍ଦ୍ଧ୍ବ ଏତଲା ହେଉଛି। ସେହିଭଳି ପୁରୀ ବାଇପାସ୍‌ ରାସ୍ତା କଡ଼ରେ ଏବେ ଜନବସତି ବୃଦ୍ଧି ପାଉଛି। ଏହାକୁ ମଧ୍ୟ କେତେକ ଦଲାଲ ନଜର ପକାଇଛନ୍ତି। ଘର ତିଆରି କରିବାକୁ ହେଲେ ଦାଦାବଟି ଦେବାକୁ ପଡ଼ୁଛି। ନ ଦେଲେ ବନ୍ଧୁକ ଫୁଟୁଛି। ଏଭଳି ଅଭିଯୋଗ ନେଇ ମଞ୍ଚେଶ୍ବର ଓ ସହିଦନଗର ଥାନାରେ ମାସକୁ ୧୦ରୁ ଊର୍ଦ୍ଧ୍ବ ଅଭିଯୋଗ ହେଉଛି। ଏଭଳି ଅଭିଯୋଗକୁ ନେଇ ମଞ୍ଚେଶ୍ବର ଥାନା ପୁଲିସ ମାସକ ମଧ୍ୟରେ ଦୁଇ ଜଣଙ୍କୁ ଗିରଫ କରିଛି।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଯେଉଁମାନେ ଜମି ଦଲାଲି କରି ବିକ୍ରି କରିଥା’ନ୍ତି, ସେମାନେ ହିଁ ଏହି ଦାଦାମାନଙ୍କୁ ପୋଷିଥାନ୍ତି ଓ ଜମି ବିକିବା ପରେ ଦାଦାମାନଙ୍କୁ ବଟି ପାଇଁ ପଠାଇ ଦିଅନ୍ତି। ସରକାରୀ ଜମି କିଣିଥିବାରୁ ବିଚରା ଲୋକଟି ପୁଣି ଦାଦାବଟି ବାବଦରେ କିଛି ଗଣିବାକୁ ବାଧ୍ୟ ହୋଇଥାଏ। ଏମିତିରେ ସରକାରୀ ଜମି ଦଲାଲମାନେ ଲକ୍ଷଲକ୍ଷ ଟଙ୍କା କମାଉଛନ୍ତି। ବିଶେଷକରି ରାଜଧାନୀର ବିଭିନ୍ନ ବସ୍ତି ଅଞ୍ଚଳରେ ଏଭଳି କାରବାର ଏକ ସାଧାରଣ ଘଟଣା। ବସ୍ତିମାନଙ୍କରେ ବହୁ ଆତ୍ମଘୋଷିତ ସମାଜସେବୀ ମଧ୍ୟ ଏଭଳି କାରବାରରେ ଲିପ୍ତ ରହିଛନ୍ତି।

ସମ୍ବନ୍ଧିତ ଖବର