ହାତେଇ ନେବାକୁ ମସୁଧା; ମନ୍ତ୍ରୀ, ଯନ୍ତ୍ରୀ ସମସ୍ତେ ସାମିଲ

ପାଞ୍ଚ ଏକରରୁ ଊର୍ଧ୍ୱ ସରକାରୀ ଜାଗା ଜବରଦଖଲକାରୀଙ୍କ କବ୍‌ଜାରେ

ଚନ୍ଦ୍ରଶେଖରପୁର: ବିଏମ୍‌ସିର ଓ୍ଵାର୍ଡ଼ ନଂ-୧୪ ଅନ୍ତର୍ଗତ ଈଶାଣେଶ୍ୱର ମନ୍ଦିର ସମ୍ମୁଖରେ ସେକ୍ଟର-୫ରେ ରହିଛି ପାଞ୍ଚ ଏକରରୁ ଊର୍ଧ୍ୱ ଏକ ସରକାରୀ ପ୍ଲଟ୍‌। ବିଡିଏ ଅଧୀନରେ ଥିବା ଏହି ବିଶାଳ ପ୍ଲଟ୍‌ରେ କମ୍ୟୁନିଟି ସେଣ୍ଟର, କଲ୍ୟାଣ ମଣ୍ଡପ, ଶିଶୁ ଉଦ୍ୟାନ କିମ୍ବା ପିପିପି ମୋଡ୍‍ରେ ମାର୍କେଟ୍‌ କମ୍ପ୍ଲେକ୍ସ୍‍ କରିବାକୁ ସ୍ଥାନୀୟ ବାସିନ୍ଦା ଅନେକ ବର୍ଷ ହେବ ବାରମ୍ବାର ଦାବି କରିଆସୁଛନ୍ତି। ମାତ୍ର ବିଡିଏ କିମ୍ବା ବିଏମ୍‌ସି ପକ୍ଷରୁ ଏହି ଦାବି ପ୍ରତି କର୍ଣ୍ଣପାତ କରାଯାଇନାହିଁ। ଫଳସ୍ୱରୂପ ବିଡିଏର ଏହି ମୂଲ୍ୟବାନ ସମ୍ପତ୍ତି ବର୍ତ୍ତମାନ ଜବରଦଖଲକାରୀଙ୍କ କବ୍‌ଜାରେ। ଦୀର୍ଘ ଦିନ ହେବ ଅବ୍ୟବହୃତ ହୋଇ ପଡ଼ିରହିଥିବା ଏହି ସ୍ଥାନରେ ବେଶ୍‌ କିଛିଦିନ ହେବ ଜନବସତି ଗଢ଼ିଉଠିଛି। ପାଞ୍ଚ ଏକରରୁ ଊର୍ଧ୍ୱ ଏହି ପ୍ଲଟ୍‌ର କିଛି ଅଂଶରେ କିଛି ପରିବାର ବସବାସ କରିବା ସହିତ ଗୋରୁ ଗାଈ ମଧ୍ୟ ରଖୁଛନ୍ତି। ସେହିପରି ବେଆଇନ୍‌ ଭାବରେ ଏକ ଧର୍ମାନୁଷ୍ଠାନ ମଧ୍ୟ ଗଢ଼ି ଉଠିଛି। ଆଉ କିଛି ଅଂଶରେ କିଛି ବ୍ୟକ୍ତିଙ୍କ ସହାୟତାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଉଛି।

ଏହା ସହିତ ଉପରୋକ୍ତ ବ୍ୟବସ୍ଥା ଆଳରେ ବିଭିନ୍ନ ଅସାମାଜିକତତ୍ତ୍ୱଙ୍କ ଗହଳି ଜମୁଛି ଏହି ପ୍ଲଟ୍‌ରେ। ଏମିତି କିଛି ବର୍ଷ ଜନବସତି ରହିବା ପରେ ସେମାନଙ୍କୁ ଏଠାରୁ ଉଚ୍ଛେଦ କରିବା ନିହାତି ମୁସ୍କିଲ୍‌ ହେବ। ଏହାସହିତ ଧର୍ମାନୁଷ୍ଠାନ ଗଢ଼ି ଉଠିଥିବାରୁ ତା’କୁ ଉଚ୍ଛେଦ କରିବା ମଧ୍ୟ ସହଜ ହେବ ନାହିଁ। ଯୋଜନାବଦ୍ଧ ଭାବରେ ଏହି ବିଶାଳ ପ୍ଲଟ୍‌କୁ ହାତେଇ ନେବାକୁ ହୋଇଛି ମସୁଧା ଚାଲିଛି। ବୃକ୍ଷରୋପଣ ହେଉଥିବା ଏହି ପ୍ଲଟ୍‌ର କିଛି ଅଂଶକୁ ଆଉ କିଛି ବର୍ଷ ପରେ ମଧ୍ୟ ପ୍ରଶାସନ ପକ୍ଷରୁ ହାତ ମାରିବା କାଠିକର ପାଠ ହୋଇଯିବ। ସ୍ଥାନୀୟ ନେତାଙ୍କଠାରୁ ଆରମ୍ଭ କରି ବହୁ ପ୍ରଭାବଶାଳୀ ବ୍ୟକ୍ତି ଏହି ପ୍ଲଟ୍‌କୁ ନିଜ ଅକ୍ତିଆରରେ ରଖିବା ପାଇଁ ରୀତିମତ ଯୋଜନା ପ୍ରସ୍ତୁତ କରିଛନ୍ତି। ଆଉ ସବୁ ଦେଖି ମଧ୍ୟ କିଛି ଦେଖିପାରୁନାହିଁ ବିଡିଏ।

ସ୍ଥାନୀୟ ବାସିନ୍ଦାଙ୍କ ଅନେକ ଦାବି ପରେ ଏହି ସ୍ଥାନକୁ ପାଚେରି ନିର୍ମାଣ କରି ଘେରାଯାଇଛି। ମାତ୍ର ଉପଯୁକ୍ତ ଯୋଜନାର ଅଭାବ ଓ ଇଚ୍ଛାଶକ୍ତିର ଅଭାବ କାରଣରୁ ଏହି ମୂଲ୍ୟବାନ ସରକାରୀ ସମ୍ପତ୍ତି ବର୍ତ୍ତମାନ କିଛି ଅସାଧୁ ବ୍ୟକ୍ତିଙ୍କ କବ୍‌ଜାରେ ଅଛି। ନିଶାଡ଼ି ଓ ବିଭିନ୍ନ ଅସାମାଜିକ ବ୍ୟକ୍ତିଙ୍କ ନିୟମିତ ଖଟି ସ୍ଥଳ ପାଲଟିଛି ଏହି ସ୍ଥାନ। ଏନେଇ ବିଭିନ୍ନ ସାମାଜିକ ସଂଗଠନ, ସ୍ଥାନୀୟ ଅଧିବାସୀ, ବୁଦ୍ଧିଜୀବୀ ଓ ସମାଜସେବୀ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ପ୍ରଶାସନ ନିଦାବିଷ୍ଣୁ ପାଲଟିଛି। ଏହି ସ୍ଥାନରେ ଏକ ଶିଶୁ ଉଦ୍ୟାନ ନିମନ୍ତେ ବାରମ୍ବାର ଦାବି ହେଉଛି। ମାତ୍ର ବିଡିଏ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଏହି ସ୍ଥାନକୁ ଜବରଦଖଲ ମୁକ୍ତ କରି ଯୋଜନାବଦ୍ଧ ଭାବରେ କୌଣସି ପ୍ରକଳ୍ପ ନିର୍ମାଣ କରିବାକୁ ଦାବି ହୋଇଛି। ଏହି ପ୍ଲଟ୍‌ରେ ବେଆଇନ ଜବରଦଖଲର ସୂଚନା ପାଇଛୁ। ଏହା ଉପରେ ତଦନ୍ତ କରି ଓପିପି କେସ୍‌ କରି ଉଚ୍ଛେଦ କରିବା ନିମନ୍ତେ ପଦକ୍ଷେପ ନେବାକୁ ବିଡିଏର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର