ବର୍ଦ୍ଧିତ ପେନ୍‌ସନ୍‌ ନ ପାଇ ଶହ ଶହ ଅବସରପ୍ରାପ୍ତ ଶିକ୍ଷକ ହନ୍ତସନ୍ତ

ରାଜ୍ୟ ସରକାରଙ୍କ ୭ମ ବେତନ କମିସନ ବୃଦ୍ଧି ଘୋଷଣା ନାଁକୁ ମାତ୍ର

ବାଲିପାଟଣା: ବାଲିପାଟଣା ବ୍ଲକ୍‌ରେ ଶହ ଶହ ଅବସରପ୍ରାପ୍ତ ଶିକ୍ଷକ ସରକାରଙ୍କ ୭ମ ବେତନ ବୃଦ୍ଧିର ଲାଭ ଆଜି ପର୍ଯ୍ୟନ୍ତ ପାଇ ନାହାନ୍ତି। ସେମାନଙ୍କ ଆଖି ଆଗରେ ଅନ୍ୟ ବିଭାଗର କର୍ମଚାରୀ ଓ ଏଜି ଅଧୀନରେ ଥିବା ଅବସରପ୍ରାପ୍ତ ଶିକ୍ଷକମାନେ ବର୍ଦ୍ଧିତ ପେନ୍‌ସନ ପାଉଥିବାବେଳେ ଏହି ବର୍ଗର ଶିକ୍ଷକମାନେ ଏଥିରୁ ବଞ୍ଚିତ ହୋଇଛନ୍ତି। କେଉଁ ନିର୍ଦ୍ଦିଷ୍ଟ କାରଣ ପାଇଁ ସେମାନଙ୍କ ବର୍ଦ୍ଧିତ ପେନ୍‌ସନ୍‌ ମିଳୁ ନାହିଁ ତାର ସଠିକ୍‌ କାରଣ ବି ସେମାନେ ଖୋଜିଖୋଜି ପାଉ ନାହାନ୍ତି। ଯାହା ଫଳରେ ଶହ ଶହ ପ୍ରାକ୍ତନ ଶିକ୍ଷକ ସେମାନଙ୍କ ବର୍ଦ୍ଧିତ ପେନ୍‌ସନ୍‌ ନ ପାଇ ହନ୍ତସନ୍ତ ହେଉଛନ୍ତି।
ବହୁ ଅବସରପ୍ରାପ୍ତ ଶିକ୍ଷକ ଅଭିଯୋଗ କରିଛନ୍ତି ଯେ ସରକାର ୭ମ ବେତନ ଘୋଷଣା କରିଦେଲେ। ସମସ୍ତଙ୍କୁ ବି ବର୍ଦ୍ଧିତ ପେନ୍‌ସନ୍‌ ମିଳିଲା କିନ୍ତୁ ଆମକୁ କାହିଁକି ମିଳୁନି ତାହା ଆମେ ବୁଝି ପାରୁ ନାହୁଁ। ଏଥିପାଇଁ ସେମାନେ ସରକାରଙ୍କ ଦପ୍ତରଠାରୁ ଆରମ୍ଭ କରି ବ୍ୟାଙ୍କକୁ ଦୌଡ଼ିଦୌଡ଼ି ହତାଶ ହେଲେଣି। କିନ୍ତୁ ସେମାନଙ୍କ ସମସ୍ୟାର ସମାଧାନ ହେଉନି। ବିଶେଷ କରି ବ୍ଲକ୍‌ର ୨ଟି ଷ୍ଟେଟ୍‌ ବ୍ୟାଙ୍କ୍‌ରୁ ପେନ୍‌ସନ୍‌ ପାଉଥିବା ଅବସରପ୍ରାପ୍ତ ଶିକ୍ଷକମାନେ ଏହି ସମାସ୍ୟାରେ ଘାଣ୍ଟି ହେଉଛନ୍ତି। ଅନ୍ୟ ଜାତୀୟକରଣ ବ୍ୟାଙ୍କ ଓ ଟ୍ରେଜେରିରୁ ପେନ୍‌ସନ୍‌ ପାଉଥିବା ଏହି ବର୍ଗର ଶିକ୍ଷକମାନେ ବର୍ଦ୍ଧିତ ପେନ୍‌ସନ୍‌ ପାଉଥିବାବେଳେ ଷ୍ଟେଟ୍‌ ବ୍ୟାଙ୍କରୁ କଣ ପାଇଁ ପାଉନାହାନ୍ତି ସେଥିପାଇଁ ସେମାନେ ଅନ୍ଧାରରେ ଅଛନ୍ତି। ବୟସାଧିକ୍ୟ କାରଣରୁ ବହୁ ଅବସରପ୍ରାପ୍ତ ଶିକ୍ଷକ ବ୍ୟାଙ୍କ କିମ୍ବା ସରକାରୀ ଦପ୍ତରକୁ ଯାଇ ନପାରି ଘୋର ମନସ୍ତାପରେ ରହିଛନ୍ତି। ଯଦି ସେମାନଙ୍କୁ ଚଳିତ ମାସରେ ବର୍ଦ୍ଧିତ ପେନସନ ନମିଳେ ତେବେ ଭବିଷ୍ୟତରେ ଆଉ ମିଳିବ କି ନାହିଁ ସେହି ଚନ୍ତାରେ ଘାରି ହେଉଛନ୍ତି।
ଏଭଳି ସମସ୍ୟାରେ ଘାଣ୍ଟି ହେଉଥିବା ବ୍ଲକ୍‌ର ବହୁ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକମାନେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଅର୍ଥମନ୍ତ୍ରୀ ଶିଶିଭୂଷଣ ବେହେରାଙ୍କୁ ସମସ୍ୟା ସମାଧାନ ପାଇଁ ନିବେଦନ କରିଛନ୍ତି।ଏ ନେଇ ବାଲିପାଟଣା ଓ ନରଦା ଷ୍ଟେଟ୍‌ ବ୍ୟାଙ୍କର ମ୍ୟାନେଜରଙ୍କୁ ପଚାରିବାରୁ ଦୁହେଁ କହିଛନ୍ତି ଏହି ବର୍ଗର ଶିକ୍ଷକମାନେ ‘ଅର୍ପଣ’ ନାମକ ସାଇଡ଼୍‍ର ଆନେକ୍ସଚର ‘ସି/ଡି’ ଫର୍ମ ପୂରଣ କରି ଆମକୁ ଦେଲେ ଆମେ ତାକୁ ଏଣ୍ଟ୍ରି କରିବୁ। ତାପରେ ହୁଏତ ଏହା ମିଳିପାରେ ଯଦି ସରକାରୀସ୍ତରରେ ସବୁ ଠିକ୍‌ଠାକ୍‌ ଥାଏ।

ସମ୍ବନ୍ଧିତ ଖବର