ଗଞ୍ଜେଇ ବଣ ପାଲଟିଲାଣି ସରକାରୀ କାର୍ଯ୍ୟାଳୟ ପରିସର

ପାଣିରେ ପଡ଼ିଲା ଅଧ କୋଟି ଟଙ୍କା

ବାଲିପାଟଣା: ବାଲିପାଟଣା ବ୍ଲକ୍‌ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ଗତ ୨୦୧୧-୧୨ମସିହାରୁ କାର୍ଯ୍ୟ ଆରମ୍ଭ କଲାଣି। ସେକ୍ସନ-୧ ଓ ସେକ୍ସନ-୨ ଭଳି ବିଭାଗର ଦୁଇଟି କାର୍ଯ୍ୟାଳୟ ବ୍ଲକ୍‌ରେ କାର୍ଯ୍ୟ କରୁଛି। ଯନ୍ତ୍ରୀଙ୍କ ପାଇଁ ଦୁଇଟି ଅଫିସ୍‌ ଘର, ଯନ୍ତ୍ରୀଙ୍କ କ୍ୱାର୍ଟର୍ସ ଓ ଷ୍ଟାଫ୍‌ କ୍ୱାର୍ଟର୍ସ ବି ନିର୍ମାଣ କରାଯାଇଛି। କିନ୍ତୁ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କ ଅଣଦେଖା ମନୋଭାବ ପାଇଁ ସରକାରଙ୍କ ଅଧକୋଟିଏ ଟଙ୍କାର ପାଣିରେ ପଡ଼ିବାକୁ ବସିଲାଣି ବୋଲି ଅଭିଯୋଗ ହୋଇଛି। ସୂଚନା ମୁତାବକ ହାତପାହାନ୍ତାରେ ଲୋକଙ୍କୁ ସେବା ଯୋଗାଇବା ପାଇଁ ୨୦୧୨ମସିହାରେ ଭୁବନେଶ୍ୱରରେ କାର୍ଯ୍ୟକରୁଥିବା ଏସବୁ କାର୍ଯ୍ୟାଳୟ ବାଲିପାଟଣାକୁ ଆସିଥିଲା। ସେତେବେଳେ ୨ଟି ଅଫିସ୍‌ ଗୃହ ତିଆରି ପାଇଁ ୧୪ଲକ୍ଷ, ଯନ୍ତ୍ରୀଙ୍କ କ୍ୱାର୍ଟର୍ସ ପାଇଁ ୯ଲକ୍ଷ, ଷ୍ଟାଫ୍‌ କ୍ୱାର୍ଟର୍ସ ପାଇଁ ୧୧ଲକ୍ଷ, ପାଚେରି ପାଇଁ ୧୦ଲକ୍ଷ ସାଙ୍ଗକୁ କଂକ୍ରିଟ୍‌ ରାସ୍ତା ଆଦି ପାଇଁ ପ୍ରାୟ ଅଧକୋଟି ଟଙ୍କା ବିଭାଗ ପକ୍ଷରୁ ଖର୍ଚ୍ଚ ହୋଇଥିଲା। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏସବୁ କାର୍ଯ୍ୟାଳୟରେ ଏବେ ସରକାରଙ୍କ ଜଣେ ଯନ୍ତ୍ରୀ (୨ଟି ସେକ୍ସନ ଦାୟିତ୍ୱ), ଜଣେ ରୋଲର୍‌ ଅପରେଟର୍‌ ଓ ୨ଜଣ ଠିକା କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଅଫିସ୍‌ ଠିକ୍‌ ଢଙ୍ଗରେ ଚାଲୁ ନଥିବାରୁ ଓ କ୍ୱାର୍ଟର୍ସରେ କେହି ରହୁ ନଥିବାରୁ ଏବେ ଏହା ନିଶାସକ୍ତଙ୍କ କବ୍‌ଜାକୁ ଚାଲି ଯାଇଥିବା ଅଭିଯୋଗ ହୋଇଛି। କାର୍ଯ୍ୟାଳୟ ଓ କ୍ୱାର୍ଟର୍ସ ପରିସର ଗଦାଗଦା ମଦବୋତଲ ସାଙ୍ଗକୁ ଗଞ୍ଜେଇ ଗଛରେ ଭର୍ତ୍ତି। ପୂରା ଗଞ୍ଜେଇ ବଣ ପାଲଟିଲାଣି କାର୍ଯ୍ୟାଳୟ ପରିସର। ସ୍ଥାନୀୟ ବ୍ୟକ୍ତି ବିଭୂତିଭୂଷଣ ଦାସଙ୍କ କହିବା ମୁତାବକ ଏ ଅଫିସ୍‌କୁ କିଏ କେତେବଳେ ଆସେ ଜାଣନ୍ତି ନାହିଁ। ତଳିଆ କର୍ମଚାରୀମାନେ ହାଜିରା ପକାଇ ଦେଇ ଅଫିସ୍‌ ଦେଖାଶୁଣା କରି ଚାଲିଯାନ୍ତି। ବିଭାଗର ପଦସ୍ଥ ଅଧିକାରୀ କିଏ କେମିତି କାଁ, ଭାଁ ଆସିଥାନ୍ତି। ସରକାର କଣ ପାଇଁ ଅଧକୋଟିଏ ଟଙ୍କା ଖର୍ଚ୍ଚ କରି ଏସବୁ କଲେ ତାହା ବୁଝା ପଡ଼ୁନଥିବା କଥା ସେ କହିଛନ୍ତି। ଅଫିସ୍‌ ଓ କ୍ୱାର୍ଟର୍ସର ରକ୍ଷଣାବେକ୍ଷଣ ଅଭାବରୁ ଅନାବନା ଗଛରେ ଭର୍ତ୍ତି ହୋଇଗଲାଣି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାଳୟ ଓ କ୍ୱାର୍ଟର୍ସ ଠିକ୍‌ ଢଙ୍ଗରେ ଚଳାଇବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି।

ସମ୍ବନ୍ଧିତ ଖବର