ଭୁବନେଶ୍ବର : ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଓ ରିଲିଫ୍ ବଣ୍ଟନ କାର୍ଯ୍ୟର ସୁପରିଚାଳନା ପାଇଁ ରବିବାର ସମସ୍ତ ଅଫିସ ଖୋଲା ରଖିବାକୁ ସରକାରୀ ନିର୍ଦେଶାନାମା ଜାରି ହୋଇଥିଲା। ହେଲେ ଆଜି ଅନେକ ସରକାରୀ ଅଫିସ୍‌ରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ନିର୍ଦେଶ ଦିଆଯାଇଛି, ହେଲେ ତଦାରଖ କରିବାକୁ ସ୍ବତନ୍ତ୍ର ଅଫିସର ନିଯୁକ୍ତ ହୋଇନଥିବାରୁ ସରକାରୀ ବାବୁମାନେ ନିର୍ଦ୍ବନ୍ଦ୍ବରେ ଅଫିସ ତାଲା ମାରି ଘରେ ଶୋଇଛନ୍ତି। ଆଜି ସହରରେ ଏହି ନିର୍ଦେଶର ବାସ୍ତବତା ଯାଞ୍ଚ କଲା ବେଳେ ଏଭଳି କିଛି ଚିତ୍ର ଆମ ନଜରକୁ ଆସିଛି।

Advertisment

ପ୍ରଥମେ ଆମେ ପହଞ୍ଚିଥିଲୁ ଏକାମ୍ର କାନନରେ ଥିବା ସହକାରୀ ଉଦ୍ୟାନ କୃଷି ନିର୍ଦେଶକଙ୍କ କାର୍ଯ୍ୟାଳୟରେ। ସମୟ ଥିଲା ମଧ୍ୟାହ୍ନ ୧୨ଟା ୧୫ ମିନିଟ୍‌। କାର୍ଯ୍ୟାଳୟରେ ତାଲା ପଡ଼ିଥିଲା। ଆମ୍ବ ତଥା ଅନ୍ୟାନ୍ୟ ଫଳର ନିଲାମ ନେଇଥିବା ଜଣେ ଠିକାଦାରଙ୍କ କର୍ମଚାରୀ ସେଠାରେ ବସିଥିଲେ। ସରକାରୀ ଅଧିକାରୀ କୁଆଡ଼େ ଗଲେ ବୋଲି ପ୍ରଶ୍ନରେ ସେ ମୁରୁକି ହସି କହିଲେ‘ଆଜି ରବିବାର, ଭୁଲିଗଲ କି?’

publive-image

ଏହାପରେ ଆମେ ଯାଇଥିଲୁ ନ’ତାଲା। ପୂର୍ବଦିନ ଭଳି ଏଠାରେ ଗହଳି ନଥିଲା। କୌଣସି ଦୋକାନ ବଜାର ଖୋଲା ନଥିଲା କିମ୍ବା ଗେଟ୍‌ ଠାରୁ ଅଫିସ ପର୍ଯ୍ୟନ୍ତ କେହି ନଥିଲେ। ତେବେ ପାର୍କିଂରେ କିଛି ଗାଡ଼ି ଥିଲା, ଯେଉଁଥିରୁ କେତେକ ଅଫିସ ଖୋଲାଥାଇ ପାରେ ବୋଲି ଆଶା କରାଯାଉଥିଲା। ତଳ ମହଲାରେ ଥିବା ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟରେ ନଜର ପଡ଼ିଥିଲା। ଲାଇଟ୍‌ ଜଳୁଥିଲେ ମଧ୍ୟ ଅଫିସରେ ତାଲା ପଡ଼ିଥିଲା।

ପ୍ରଥମ ମହଲାରେ ଜନସ୍ବାସ୍ଥ୍ୟ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ତାଲା ଝୁଲୁଥିଲା। କରିଡରରେ ଜଣେ ବ୍ୟକ୍ତି ନିଶ୍ଚିନ୍ତରେ ଶୋଇଥିଲେ। ଦ୍ବିତୀୟ ମହଲାରେ ଥିବା ସ୍ବାସ୍ଥ୍ୟସେବା ନିର୍ଦେଶାଳୟ ସମ୍ପୂର୍ଣ୍ଣ ଖୋଲା ଥିବା ବେଳେ ଅଧିକାଂଶ ଅଧିକାରୀ ଉପସ୍ଥିତ ଥିଲେ।

ଏହାପରେ ଆମେ ତୃତୀୟ ମହଲାକୁ ଯାଇଥିଲୁ। ଏଠାରେ ପରିବାର କଲ୍ୟାଣ ନିର୍ଦେଶାଳୟ ଥିଲା। ସେଠାରେ ମଧ୍ୟ ତାଲା ପଡ଼ିଥିଲା। ୫ ମହଲାରେ ଥିବା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ମଧ୍ୟ ବନ୍ଦ ଥିଲା।

ନ’ତାଲା ଛାଡ଼ି ଆମେ ପୂର୍ତ୍ତ ବିଭାଗର ୩ ଓ ୫ ନମ୍ବର ଡିଭିଜନ୍‌ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲୁ। ସେଠାରେ ମଧ୍ୟ ତାଲା ପଡ଼ିଥିଲା। ଏହାଛଡ଼ା ଅନେକ କାର୍ଯ୍ୟାଳୟ ତାଲା ପଡ଼ିଥିଲା। ସରକାରୀ ନିର୍ଦେଶକୁ ଅଧିକାରୀମାନଙ୍କ ଏଭଳି ବେଖାତିର ମନୋଭାବ, ଫନି ପ୍ରଭାବିତଙ୍କ ପ୍ରତି କିଭଳି ଥିବ ତାହା ବେଶ୍‌ ଅନୁମାନ କରି ହେଉଥିଲା।