ଏବେ ବି ସରକାରୀ କାର୍ଯ୍ୟାଳୟ ଭିନ୍ନକ୍ଷମଙ୍କ ପାଇଁ ଅପହଞ୍ଚ

ସୁପ୍ରିମକୋର୍ଟ ଗାଇଡଲାଇନ୍‌କୁ ବି ମାନୁନାହାନ୍ତି, ସମସ୍ତ ସରକାରୀ କୋଠା, ୱେବସାଇଟ୍ ଡିସେମ୍ବର ସୁଦ୍ଧା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଯେପରି ଭିନ୍ନକ୍ଷମମାନେ ସହଜରେ ଯାତାୟାତ କରିପାରିବେ, ଭିନ୍ନକ୍ଷମମାନେ ସରକାରୀ ୱେବସାଇଟ୍‌କୁ ସହଜରେ ବ୍ୟବହାର କରିପାରିବେ ସେହିଭଳି ଏହାକୁ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୯ ଜୁନ୍‌ ୩୦ ସୁଦ୍ଧା‌ ଏହାକୁ ବ୍ୟବହାର ଉପଯୋଗୀ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ର ଓ ରାଜ୍ୟ ସରକାର ଏନେଇ ଅର୍ଥ ଖର୍ଚ୍ଚ କରିବେ। ହେଲେ ଆଜି ପର୍ଯ୍ୟନ୍ତ ଗାଇଡଲାଇନ୍ ଅନୁଯାୟୀ ସରକାରୀ କୋଠା, ସରକାରୀ ୱେବସାଇଟ୍ ପ୍ରସ୍ତୁତ ହୋଇପାରିଲାନି। ତେଣୁ ଆସନ୍ତା ଡିସେମ୍ବର ସୁଦ୍ଧା ଭୁବନେଶ୍ବର ସମେତ ୧୦ଟି ସହରରେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରମୁଖ ସଚିବ ନିତୀନ ଚନ୍ଦ୍ରା ଇଲେକ୍ଟ୍ରୋନିକ୍ସ ଓ ଆଇଟି ଏବଂ ପୂର୍ତ୍ତ ବିଭାଗକୁ କହିଛନ୍ତି।

ନିକଟରେ ହୋଇଥିବା ବୈଠକରୁ ଜଣାପଡ଼ିଛି ଯେ, ରାଜଧାନୀରେ ୨୦୩ଟି ସରକାରୀ କୋଠା ଥିବାବେଳେ ରାଜ୍ୟ ସରକାରଙ୍କ ଅର୍ଥରେ ୧୧୭ଟି କୋଠା‌ରେ ପୁନଃ ନିର୍ମାଣ କାର୍ଯ୍ୟ କରି ଏହାକୁ ଭିନ୍ନକ୍ଷମଙ୍କ ବ୍ୟବହାର ଉପଯୋଗୀ କରାଯାଇପାରିଛି। ସେହିପରି ୨୪୦ଟି ସରକାରୀ ୱେବସାଇଟ୍‌ରୁ ୧୧୨ଟି ବି ଭିନ୍ନକ୍ଷମଙ୍କ ବ୍ୟବହାର ଉପଯୋଗୀ ହୋଇଛି। ବାକି ୧୨୮ଟି ଏବେବି ଅପହଞ୍ଚ। କେନ୍ଦ୍ର ସରକାରଙ୍କ ଅର୍ଥରେ ପ୍ରଥମ ପର୍ଯ୍ୟାୟରେ ରାଜଧାନୀରେ ୫୦ଟି ସରକାରୀ ବିଲଡିଂକୁ ଭିନ୍ନକ୍ଷମଙ୍କ ବ୍ୟବହାର ଉପଯୋଗୀ କରାଯିବାର ଥିଲା। ଏଥିପାଇଁ ପୁରୁଣା ବିଲଡିଂରେ ରୢାମ୍ପ ସହ ଅନ୍ୟାନ୍ୟ ବ୍ୟବସ୍ଥା କରିବା ଏବଂ ନୂଆ ବିଲଡିଂ ନିର୍ମାଣ ସମୟରେ ଏହାର ବିଲଡିଂ ପ୍ଲାନ୍‌ରେ ଏହାକୁ ସାମିଲ୍‌ କରିବାକୁ କୁହାଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ୨୨ଟି କୋଠା ଭିନ୍ନକ୍ଷମଙ୍କ ଉପଯୋଗୀ ହୋଇପାରିଥିବାବେଳେ ବାକି ୨୮ଟି କୋଠାରେ ଏପର୍ଯ୍ୟନ୍ତ ନିର୍ମାଣ ସରିନି। ୨୮ଟି କୋଠାରୁ ୯ଟିରେ ନିର୍ମାଣ ଚାଲିଛି। ୫ଟି କୋଠା ପାଇଁ ପୂର୍ତ୍ତ ବିଭାଗ ଖର୍ଚ୍ଚ ଆକଳନ କରି କେନ୍ଦ୍ର ସରକାରଙ୍କୁ ପଠାଇବାର ଥିଲେ ହେଁ ଏପର୍ଯ୍ୟନ୍ତ ପଠାଇନାହିଁ। ବାକି ୫ଟି ନୂଆ କୋଠାର ଖର୍ଚ୍ଚ ଆକଳନ ହୋଇନାହିଁ।

ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆରଟିଓ-୨ ତାଲିକାଭୁକ୍ତ ହୋଇଥିବା ୫୦ଟି କୋଠାରୁ ବାଦ୍‌ ପଡ଼ିଛି। ଏହାର ନୂଆ କୋଠା ନିର୍ମାଣ ହେଉଥିବାରୁ ଏଥିପାଇଁ ଆବଣ୍ଟନ ହୋଇଥିବା ୩ଲକ୍ଷ ଟଙ୍କା ଫେରାଇଦେବାକୁ କୁହାଯାଇଛି। ସେହିପରି ରାଜୀବ ଭବନ ବାବଦକୁ ଆବଣ୍ଟନ ହୋଇଥିବା ୬୯ଲକ୍ଷ ୭୧ହଜାର ଟଙ୍କା ପ୍ରାଚୀ ଡିଭିଜନ ଗ୍ରହଣ କରିନି। ସେମାନେ ପୂର୍ବରୁ ଏହାର ପୁନଃ ନିର୍ମାଣ କରିଦେଇଥିବାରୁ ଏହି ଟଙ୍କା ନେଇନାହାନ୍ତି। ହେଲେ ରାଜଧାନୀର ସମସ୍ତ ସରକାରୀ କୋଠା ଏବଂ ସରକାରୀ ୱେବସାଇଟ୍‌କୁ ଆସନ୍ତା ୫ମାସ ମଧ୍ୟରେ ଭିନ୍ନକ୍ଷମ ବ୍ୟକ୍ତି ବ୍ୟବହାର କରିବା ଭଳି ପ୍ରସ୍ତୁତ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର