ସରକାରୀ ଅଧିକାରୀ ଓ ଆପାର୍ଟମେଣ୍ଟ ମାଲିକ ମୁହାଁମୁହିଁ, ବିଲଡର୍‌ଙ୍କୁ ସୁହାଇବା ଭଳି ନିୟମ ହେଉଥିବା ଅଭିଯୋଗ

ଭୁବନେଶ୍ବର: ଆଜି ଇଡକଲ ଅଡିଟୋରିୟମରେ ନଗର ଉନ୍ନୟନ ବିଭାଗର ଅଧିକାରୀ ଏବଂ ଆପାର୍ଟମେଣ୍ଟ ମାଲିକମାନେ ମୁହାଁମୁହିଁ ହୋଇଛନ୍ତି। ନଗନର ଉନ୍ନୟନ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍ ଆକ୍ଟ-୨୦୧୯ର ଚିଠା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଆଜି ଇଡକଲ୍‌ ଅଡିଟୋରିୟମରେ ନଗର ଉନ୍ନୟନ ବିଭାଗର ଅଧିକାରୀ, ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପ୍ଲାନିଂ ମେମ୍ବର, ଓରେରା କର୍ତ୍ତୃପକ୍ଷ, ବହୁ ରିଅଲ ଇଷ୍ଟେଟ୍ ସଂସ୍ଥା, ବହୁ ଆପାର୍ଟମେଣ୍ଟ କ୍ରେତା ଏଥିରେ ଯୋଗ ଦେଇଥିଲେ।

ନଗର ଉନ୍ନୟନ ବିଭାଗର ଅଧିକାରୀମାନେ ନୂଆ ନିୟମ ବିଷୟରେ ପ୍ରଥମେ ବୁଝାଇଥିଲେ। ହେଲେ ଏହି ଚିଠା ପ୍ରସ୍ତାବରେ ବହୁ ତ୍ରୁଟି ଥିବା ଆପାର୍ଟମେଣ୍ଟ କ୍ରେତାମାନେ ଅଭିଯୋଗ କରିଥିଲେ। ଏପରିକି ଏହି ନିୟମ କେବଳ ବିଲଡର୍‌ଙ୍କୁ ସୁହାଇଲା ଭଳି କରାଯାଇଛି। ତେଣୁ ଏହି ଚିଠା ପ୍ରସ୍ତାବରେ ପରିବର୍ତ୍ତନ ଅଣାଯାଉ ବୋଲି ଆପାର୍ଟମେଣ୍ଟ କ୍ରେତା ମାନେ କହିଥିଲେ।

ଏଥିରେ ଯୋଗଦେଇଥିବା ରେରା ଆକ୍ଟିଭିଷ୍ଟ ତଥା ଆପାର୍ଟମେଣ୍ଟ କ୍ରେତା ବିମଳେନ୍ଦୁ ପ୍ରଧାନଙ୍କ କହିବାନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ନିୟମ ପ୍ରସ୍ତୁତ କରାଯାଇଛି ସେଥିରେ ଆପାର୍ଟମେଣ୍ଟ ମାଲିକଙ୍କୁ ଗୁରୁତ୍ବ ଦିଆଯାଇନି। ରେରା ନିୟମ ଅନୁଯାୟୀ ଆପାର୍ଟମେଣ୍ଟର କମନ୍ ଏରିଆ ଆପାର୍ଟମେଣ୍ଟର ସୋସାଇଟି ଅଧୀନରେ ରହିବ। କିନ୍ତୁ ରାଜ୍ୟ ସରକାର ପ୍ରସ୍ତୁତ କରୁଥିବା ନିୟମରେ କମନ୍ ଏରିଆ ସଂଜ୍ଞା ବଦଳାଇ ଇଣ୍ଡିପେଣ୍ଡେଣ୍ଟ ଏରିଆ କରାଯାଇଛି। ଏଥିରେ ବିଲଡର୍ ଆପାର୍ଟମେଣ୍ଟ ପରିସରରେ କିଛି ଅଞ୍ଚଳ ନିଜ ମାଲିକାନାରେ ରଖିପାରିବାର ନିୟମ କରାଯାଉଛି। ଯାହାକୁ କ୍ରେତାମାନେ ବିରୋଧ କରିଥିଲେ। ବିରୋଧ ଏପରି ହୋଇଥିଲା ଯେ, ଏହାପରେ ଆଉ ଆଲୋଚନା ସମ୍ଭବ ହୋଇନଥିଲା। ଏହି ବୈଠକରେ କ୍ରେତାମାନେ ନଗର ଉନ୍ନୟନ ବିଭାଗ ଅଧିକାରୀଙ୍କୁ କହିଥିଲେ ଯେ, ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍ ଆକ୍ଟ ଆପାର୍ଟମେଣ୍ଟ ମାଲିକମାନଙ୍କ ପାଇଁ ହେଉଥିବାରୁ ଏହି ଚିଠା ପ୍ରସ୍ତାବକୁ ବିଭାଗର ‌େୱବସାଇଟ୍‌ରେ ଛଡ଼ାଯାଉ। ତାହା ଉପରେ ଲୋକ ଯେଉଁ ମତ ଦେବେ ତାହାକୁ ବିଚାରକୁ ନିଆଯାଉ। ସେହିପରି ଏହି ଚିଠା ପ୍ରସ୍ତାବରେ ବହୁତ ଭୁଲ୍‌ ଥିବାରୁ ଏହାକୁ ପୁଣିଥରେ ପ୍ରସ୍ତୁତ କରିବା ପାଇଁ ଏକ କମିଟି ଗଠନ କରାଯାଉ। ଏଥିରେ ଓରେରା, ବିଡିଏ, ଆପାର୍ଟମେଣ୍ଟ ମାଲିକ, ବିଲଡର୍‌ଙ୍କୁ ରଖାଯାଉ। ସମସ୍ତେ ଆଲୋଚନା କରି ନୂଆ ନିୟମ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦିଅନ୍ତୁ।

ସମ୍ବନ୍ଧିତ ଖବର