ପାଳନ ହେଉନି ସରକାରୀ ନିର୍ଦେଶନାମା, ଗେଟ୍‌ରେ ତାଲା ପଡ଼ୁନି, ବାହାରେ ବୁଲୁଛନ୍ତି ଛାତ୍ରଛାତ୍ରୀ

ବାଲିପାଟଣା: ବାଲିପାଟଣା ବ୍ଲକରେ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ଅବ୍ୟବସ୍ଥା ଦେଖାଯାଉଛି। ଗଣଶିକ୍ଷା ବିଭାଗ ତରଫରୁ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ଲାଗି କଡ଼ା ନିୟମାବଳୀ ହୋଇଥିବା ବେଳେ ଚଣାହଟ୍ଟା ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହାର ଖୋଲାଖୋଲି ଉଲ୍ଲଂଘନ ହେଉଥିବା ନଜରକୁ ଆସିଛି। ସ୍କୁଲ ଚାଲୁଥିବା ସମୟରେ ବିଦ୍ୟାଳୟର ମୁଖ୍ୟ ଫାଟକ ବନ୍ଦ ରହିବାର ନିୟମ ଥିବା ‌ବେଳେ ଏହାକୁ ପାଳନ କରାଯାଉନାହିଁ। ଗେଟ୍ ଖୋଲା ରହିବା ଦ୍ବାରା ଅସାମାଜିକ ବ୍ୟକ୍ତି, ଗୋରୁ, ମେଣ୍ଢା, ଛେଳି ଓ ଷଣ୍ଢଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି। ଖେଳଛୁଟି ସମୟରେ ଛାତ୍ରଛାତ୍ରୀମାନେ ବାହାର ଖାଦ୍ୟ ଖାଇ ଝାଡ଼ାବାନ୍ତି, ଥଣ୍ତା, ଜ୍ବର, ଜଣ୍ତିସ୍‌ ଭଳି ରୋଗରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି। ଦ୍ରୁତ ଗତିରେ ଗାଡ଼ି ଯାତାୟାତ କରୁଥିବାରୁ ରାସ୍ତା ଉପରେ ବୁଲୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି। ବିଦ୍ୟାଳୟରେ ପିଇବା ପାଣି ମଧ୍ୟ ମିଳୁ ନାହିଁ। ନଳକୂପ ଥିଲେ ବି ସେଥିରୁ ଲୌହ ମିଶ୍ରିତ ପାଣି ବାହାରୁ ଥିବାରୁ ପିଲାମାନେ ପିଇବା ଦ୍ବାରା ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ସ୍କୁଲକୁ ଲାଗି ରହିଥିବା ଦୋକାନରେ ପାନ, ବିଡ଼ି, ସିଗାରେଟ୍, ଗଞ୍ଜେଇ ଭଳି ମାଦକ ଦ୍ରବ୍ୟ ବିକ୍ରି ହେଉଛି। ଏପରିକି ସ୍କୁଲ ପାଖରେ ମଦ ଦୋକାନ ଖୋଲା ଯାଇଥିବା କେତେଜଣ ଅଭିଭାବକ ଅଭିଯୋଗ କରିଛନ୍ତି। ଫଳରେ ଏହାର କୁପ୍ରଭାବ ଛାତ୍ରଛାତ୍ରୀଙ୍କ ଉପରେ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ବାତ୍ୟା ଫନିରେ ବ୍ଲକର ୧୪୭ଟି ଶିକ୍ଷାନୁଷ୍ଠାନରେ ୫ କୋଟିରୁ ଊର୍ଧ୍ବ ଟଙ୍କାର କ୍ଷତି ହୋଇଥିଲେ ମଧ୍ୟ ଏଯାବତ୍ କାଁ ଭାଁ ହାଇସ୍କୁଲକୁ ଛାଡିଦେଲେ ଅନେକ ବିପଦସଙ୍କୁଳ ଅବସ୍ଥାରେ ରହିଛି। ରୋଷେଇ ଘର ଭାଙ୍ଗି ଯାଇଥିବାରୁ ଖୋଲାରେ କିମ୍ବା ବାରଣ୍ଡାରେ ରୋଷେଇ ହେଉଛି। ବାହାରେ ରୋଷେଇ ହେଉଥିବାରୁ ପୋକଯୋକ ପଡ଼ିବା ଭୟରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଅଭିଭାବକ ମାନେ ବାରଣ କରୁଛନ୍ତି। ଏବେବି ଅନେକ ବିଦ୍ୟାଳୟ ବିପଦସଙ୍କୁଳ ଅବସ୍ଥାରେ ଥିଲେ ମଧ୍ୟ ଶିକ୍ଷାନୁଷ୍ଠାନ ତରଫରୁ କୌଣସି ପଦକ୍ଷେପ ନିଆ ଯାଉନାହିଁ। ଅପରପକ୍ଷରେ ବିଦ୍ୟାଳୟ ଗୁଡ଼ିକରେ ସରକାରଙ୍କ ତରଫରୁ ନିର୍ମାଣ କରାଯାଉଥିବା ଶୌଚାଳୟ ଛାତ୍ରଛାତ୍ରୀଙ୍କ ବ୍ୟବହାରରେ ଲାଗି ପାରୁନି। ଫଳରେ ପିଲାମାନେ ଶୌଚ ପାଇଁ ନଈ, ନାଳ, ପୋଖରୀ ପାଣିକୁ ବ୍ୟବହାର କରୁଛନ୍ତି। ବ୍ଲକ ଶିକ୍ଷାଧିକାରୀ (ବିଇଓ) ମହେଶ୍ବର ସାହୁଙ୍କ ମତରେ ପାଠପଢ଼ା ସମୟରେ ବିଦ୍ୟାଳୟ ଗେଟ୍ ବନ୍ଦ ରହିବା କଥା। ଏପରିକି ମଧ୍ୟାହ୍ନ ବିରତିରେ ବି କୌଣସି ଛାତ୍ରଛାତ୍ରୀ ବିଦ୍ୟାଳୟ ବାହାରକୁ ଯିବା ନିୟମ ନାହିଁ। ଶିକ୍ଷାନୁଷ୍ଠାନ କର୍ମଚାରୀ, ଦାୟିତ୍ବରେ ଥିବା କମିଟି ମେମ୍ବର ଏହାର ଦାୟିତ୍ବ ନେବା ଜରୁରୀ। ଏହାର ଊଲ୍ଲଂଘନ କରାଯାଉଥିବା ନଜରକୁ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଇଓ ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର