ଭୁବନେଶ୍ବର: ଘରୋଇ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ମାଳ ମାଳ ଗାଇଡ୍ଲାଇନ୍। କେଉଁଭଳି ଗାଡ଼ିରେ ପିଲାମାନେ ସ୍କୁଲକୁ ଯିବେ? କେମିତି ସୁରକ୍ଷିତ ଭାବେ ଫେରିବେ? କ୍ୟାମ୍ପସରେ କିଭଳି ସୁରକ୍ଷା ବ୍ୟବସ୍ଥା ରହିବ? କ୍ୟାମ୍ପସରେ ସିସିଟିଭି ଲଗାଇବା, କ୍ୟାମ୍ପସ ବାହାରକୁ ନ ଛାଡ଼ିବା ଆଦି ଦିଗ ପ୍ରତି ଗୁରୁତ୍ବ ଦିଆଯାଉଛି। ଏନେଇ ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ(ସିବିଏସ୍ଇ) ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବର୍ଷତମାମ ସ୍କୁଲ କର୍ତୃପକ୍ଷଙ୍କୁ ଚିଠି ଲେଖାଯାଉଛି। ବିଜ୍ଞପ୍ତି ବି ପ୍ରକାଶ ପାଉଛି। ହେଲେ ତାହାକୁ କେତେ କାର୍ଯ୍ୟକାରୀ କରାଯାଉଛି କି ନାହିଁ ତାହା ଖବର ରଖିବାକୁ କାହା ପାଖରେ ସମୟ ନାହିଁ। ନା ସିବିଏସ୍ଇ ରଖୁଛି ନା ଗଣଶିକ୍ଷା ବିଭାଗ।
ସେପଟେ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ କଥା କେହି ଚିନ୍ତା ବି କରୁନାହାନ୍ତି। ସତେ ଯେପରି ଏକ ବଡ଼ ଦୁର୍ଘଟଣାକୁ ସମସ୍ତଙ୍କର ଅପେକ୍ଷା ରହୁଛି। ନଈରେ ବୁଡ଼ି ହେଉ ଅଥବା ଗାଡ଼ି ଧକ୍କାରେ ଗୋଟିଏ ଦୁଇଟି ବଡ଼ ଦୁର୍ଘଟଣା ହେବା କ୍ଷଣି ଗଣଶିକ୍ଷା ବିଭାଗ ହଠାତ୍ ଚେଇଁ ଉଠୁଛି। ଗାଇଡ୍ଲାଇନ୍ ଆଣିବାକୁ ଘୋଷଣା କରାଯାଉଛି। ହେଲେ ମାସେ ଦୁଇ ମାସ ପରେ ଘୋଷଣାକୁ ସମସ୍ତେ ଭୁଲିଯାଉଛନ୍ତି। ଗତ ୬ ମାସ ମଧ୍ୟରେ କୁଆଖାଇ ନଦୀରେ ଦୁଇ ଛାତ୍ର ବୁଡ଼ି ମରିବା ଓ ପଟିଆ ଛକରେ ଟ୍ରକ୍ ଧକ୍କାରେ ଦୁଇ ଛାତ୍ରୀ ଆହତ ହେବା ଘଟଣାରୁ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି କିଭଳି ଗୁରୁତ୍ବ ଦିଆଯାଉଛି ତାହା ସ୍ପଷ୍ଟ ଜଣାପଡ଼ୁଛି। ଶିକ୍ଷାବିତ୍ଙ୍କ କହିବା କଥା ହେଉଛି ଯେ ଘରୋଇ ବିଦ୍ୟାଳୟରେ ଅଭିଭାବକ ସେମାନଙ୍କ ପିଲାଙ୍କୁ ସ୍କୁଲ୍ ଗାଡ଼ିରେ ପଠାଉଛନ୍ତି। ନାେଚତ ନିଜେ ଆଣି ସ୍କୁଲରେ ଛାଡ଼ି ଦେଉଛନ୍ତି। ସ୍କୁଲ କ୍ୟାମ୍ପସ୍ ଭିତରକୁ ପ୍ରବେଶ କଲା ପରେ ପିଲାଙ୍କ ସୁରକ୍ଷା ଦାୟିତ୍ୱ ସ୍କୁଲ କର୍ତୃପକ୍ଷଙ୍କ ହାତକୁ ଚାଲିଯାଉଛି। ହେଲେ ସରକାରୀ ବିଦ୍ୟାଳୟ କ୍ଷେତ୍ରରେ ସେଭଳି ହେଉ ନାହିଁ। ପିଲାଟି ଘରୁ ବାହାରିଲା ପରେ ସ୍କୁଲ ଗଲା କି ଗଲାନି ଅଭିଭାବକ କିମ୍ବା ସ୍କୁଲ କର୍ତୃପକ୍ଷ କେହି ବି ତାହାର ଖବର ରଖୁନାହାନ୍ତି। ରାସ୍ତା ପାର ହେବା ସମୟରେ ସରକାରୀ ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଦୁର୍ଘଟଣା ସମ୍ମୁଖୀନ ହେବାର ଉଦାହରଣ ରହିଛି। ଏଥିପାଇଁ କାହାକୁ ଦାୟୀ କରାଯାଉ ନାହିଁ। ପିଲାମାନଙ୍କୁ ବି ନ୍ୟାୟ ମିଳୁନି। ଏଭଳି ସମସ୍ୟାର ସମାଧାନ ପାଇଁ ବାଟ ଖୋଜିବାକୁ ପଡ଼ିବ। ନ ହେଲେ ପ୍ରତିବର୍ଷ ଅନେକ ଛାତ୍ରଛାତ୍ରୀଙ୍କ ଜୀବନ ଅକାଳରେ ଚାଲିଯିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ନିଷ୍ପତ୍ତି ନେଇ ଭୁଲିଗଲେ
୨୦୧୮ ଜୁଲାଇରେ କୁଆଖାଇରେ ବୁଡ଼ି ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ପରେ କମିସନରେଟ୍ ପୁଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିଲା ଯେ ବ୍ରିଜ୍ ଉପରେ ୨୪ ଘଣ୍ଟିଆ ପୁଲିସ ମୁତୟନ ହେବେ। ନଦୀପଠାରେ ସତର୍କ ସୂଚନା ଲାଗିବ। କମିସନରେଟ୍ ପୁଲିସ ପକ୍ଷରୁ ଦୁଇ ଜଣ କନ୍ଷ୍ଟେବଲ କୁଅଖାଇ ବ୍ରିଜ୍ ଉପରେ ଦିନରାତି ଜଗି ରହିବେ। ଦିନର ଅଧିକାଂଶ ସମୟ ପିସିଆର୍ ଭ୍ୟାନ୍କୁ ସେହି ଅଞ୍ଚଳରେ ପାଟ୍ରୋଲିଂ ପାଇଁ ପଠାଯିବ। ୭ ମାସ ବିତିଗଲାଣି। ଏବେ ସିନା କୁଆଖାଇ ନଦୀରେ ପାଣି ନାହିଁ। ହେଲେ ୭ ମାସ ତଳର ନିଷ୍ପତ୍ତିକୁ ସମସ୍ତେ ଭୁଲିଗଲେଣି। ଟ୍ରାଫିକ୍ ପରିଚାଳନା ପାଇଁ ନଦୀର ଉଭୟ ପାର୍ଶ୍ବରେ ଜଣେ ଲେଖାଏ ହୋମଗାର୍ଡ ରହୁଥିଲେ ମଧ୍ୟ ଅଘଟଣ ଉପରେ ତାଙ୍କର ନଜର ନାହିଁ। ସତର୍କ ସୂଚନା ବି ଲାଗିପାରିନି।
କୁଆଡ଼େ ଗଲା ଶିଶୁ ସୁରକ୍ଷା ନୀତି?
୨୦୧୪ ଅଗଷ୍ଟ ୨୩ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଜାରି ହୋଇଥିଲା ଶିଶୁ ସୁରକ୍ଷା ନୀତି। ଏଥିରେ କୁହାଯାଇଥିଲା ଯେ ଛାତ୍ରଛାତ୍ରୀ ବିଦ୍ୟାଳୟ କ୍ୟାମ୍ପସରେ ଥିବା ପର୍ଯ୍ୟନ୍ତ ସେମାନଙ୍କ ସୁରକ୍ଷା ଦାୟିତ୍ବ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର। ଗ୍ରୀଷ୍ମକାଳୀନ ଶିକ୍ଷା, ବସ୍ରେ ଯିବା, ଅନ୍ତଃବିଦ୍ୟାଳୟ ପ୍ରତିଯୋଗିତାରେ ଭାଗ ନେବାକୁ ଯିବା ସମୟରେ ପିଲାଙ୍କ ସୁରକ୍ଷା ପ୍ରତି ପ୍ରଧାନ ଶିକ୍ଷକମାନେ ଗୁରୁତ୍ବ ଦେବେ। ଶିଶୁଙ୍କ ସୁରକ୍ଷା ସମ୍ପର୍କରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଅବଗତ କରାଯିବ। ଯୌନ ଶୋଷଣ ସମ୍ପର୍କରେ ପିଲା ଓ ସେମାନଙ୍କ ଅଭିଭାବକମାନଙ୍କୁ ସଚେତନ କରାଯିବ, ସ୍କୁଲ ଡାଏରିରେ ଏ ସମ୍ପର୍କରେ ଉଲ୍ଲେଖ ହେବ। ଶିକ୍ଷାନୁଷ୍ଠାନ ଭିତ୍ତିଭୂମି ସୁଦୃଢ଼ କରିବା, ପାଚେରି ନିର୍ମାଣ, ଖେଳ ପଡ଼ିଆ, ଶ୍ରେଣୀଗୃହକୁ ସୁଦୃଢ଼ କରିବା, ଶୌଚାଳୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା, ସ୍କୁଲ ପରିବହନ ବ୍ୟବସ୍ଥାକୁ କଡ଼ାକଡ଼ି କରିବା, ଶିଶୁ ସୁରକ୍ଷା ନିୟମଗୁଡ଼ିକୁ କ୍ୟାମ୍ପସରେ ଲେଖିବା, ବାହାରକୁ ବୁଲି ଯିବା ସମୟରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ଜଣେ ମହିଳା କର୍ମଚାରୀଙ୍କୁ ସାଙ୍ଗରେ ନେବାକୁ ଉଲ୍ଲେଖ ହୋଇଥିଲା। ହେଲେ ସରକାରୀ ବିଦ୍ୟାଳୟରେ ଆଜି ପର୍ଯ୍ୟନ୍ତ ଲାଗୁ ହୋଇପାରିନି।
କାଗଜ କଲମରେ ପ୍ରବେଶ କଟକଣା
୨୦୧୭ ସେପ୍ଟେମ୍ବରରେ ହରିୟାଣାର ରିୟାନ୍ ସ୍କୁଲର ୭ ବର୍ଷର ଛାତ୍ରଙ୍କୁ ହତ୍ୟା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ଗାଇଡ୍ଲାଇନ୍ ଜାରି ହୋଇଥିଲା। ସ୍କୁଲ ପରିସରକୁ ବାହାର ଲୋକଙ୍କ ପ୍ରବେଶ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯିବା ସହ ସ୍କୁଲ ଭିତରକୁ ବୁଲା ବିକାଳିଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଥିଲା। ଶୌଚାଳୟ ଓ ଖାଇବା ଅଞ୍ଚଳ ଭଳି ସ୍ଥାନକୁ ନିୟମିତ ବ୍ୟବଧାନରେ ସ୍କୁଲ ପ୍ରଶାସନିକ ଅଧିକାରୀ ଯାଞ୍ଚ କରିବା ସହ ସ୍କୁଲ ସମୟରେ ଛାତ୍ରଛାତ୍ରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବାକୁ ନିର୍ଦେଶ ଦିଆଯାଇଥିଲା। ଇତି ମଧ୍ୟରେ ୧୬ ମାସ ବିତିଗଲାଣି। ନିଷ୍ପତ୍ତି ଓ ଗାଇଡ୍ଲାଇନ୍ କେବଳ କାଗଜ କଲମରେ ରହିଗଲା। ଘରୋଇ ସ୍କୁଲରେ କଟକଣା ଥିବା ବେଳେ ସରକାରୀ ବିଦ୍ୟାଳୟକୁ ବିନା ବାଧାରେ ପ୍ରବେଶ କରୁଛନ୍ତି।