ଭାଙ୍ଗିଗଲା ସରକାରୀ ସ୍କୁଲ ମେରୁଦଣ୍ଡ : ବିଏମ୍‌ସି ଅଞ୍ଚଳ ସ୍କୁଲ୍‌ରେ କ୍ଷୟକ୍ଷତି ୫ କୋଟି

 ବିଏମ୍‌ସିର ୧୪୨, ଭୁବନେଶ୍ବର ବ୍ଲକର ଶତାଧିକ ସ୍କୁଲ ପ୍ରଭାବିତ, ସ୍କୁଲ ଖୋଲିବା ପୂର୍ବରୁ ସରିବ କ୍ୟାମ୍ପସ ସଫେଇ

ଭୁବନେଶ୍ବର : ବାତ୍ୟା ମାଡ଼ରେ ବିଗିଡ଼ିଥିବା ସ୍କୁଲର ଶୋଭାରାଜି ପୁଣିଥରେ ଫେରାଇ ଆଣିବାକୁ ଚାଲିଛି ଉଦ୍ୟମ। କ୍ୟାମ୍ପସରେ ଭାଙ୍ଗି ପଡ଼ିଥିବା ଗଛ କଟାଯାଉଛି। ସଫେଇ କାର୍ଯ୍ୟ ବି ଜାରି ରହିଛି। ପାଚେରି ମରାମତି ଦିଗରେ ବି କିଛି ବିଦ୍ୟାଳୟ ପଦକ୍ଷେପ ନେଇଛନ୍ତି। ଜୁନ୍‌ ମାସରେ ସ୍କୁଲ ଖୋଲିବା ବେଳକୁ ଯେମିତି ସ୍ଥିତି ସମ୍ପୂର୍ଣ୍ଣ ସଜାଡ଼ି ହୋଇଥିବ, ତାହା ଉପରେ ଗୁରୁତ୍ବ ଦେଉଛନ୍ତି ବିଦ୍ୟାଳୟ କର୍ତୃପକ୍ଷ। ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଛୁଟି ବାତିଲ୍‌ କରାଯାଇଛି। ଦିନରାତି ଏକ କରି ଓଡ୍ରାଫ୍‌ ଟିମ୍‌ ସମେତ ସ୍ବେଚ୍ଛାସେବୀ ସଙ୍ଗଠନ, ଅଗ୍ନିଶମ ବିଭାଗ, ସ୍ଥାନୀୟ ଅଞ୍ଚଳର ଲୋକେ ବିଦ୍ୟାଳୟର ପୂର୍ବ ଗୌରବ ଫେରାଇ ଆଣିବାକୁ ପ୍ରୟାସ ଜାରି ରଖିଛନ୍ତି।

ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଓ ଭୁବନେଶ୍ବର ବ୍ଲକରେ ଥିବା ସରକାରୀ ବିଦ୍ୟାଳୟଗୁଡ଼ିକର ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ ହୋଇଛି। ବିଏମ୍‌ସିର ୧୪୨ ସ୍କୁଲ ବାତ୍ୟା ମାଡ଼ରେ ପ୍ରଭାବିତ ହୋଇଛି। ଯାହାର କ୍ଷୟକ୍ଷତି ପ୍ରାୟ ୫କୋଟି ଟଙ୍କା ହେବ। ସେହିପରି ବ୍ଲକର ଶତାଧିକ ସ୍କୁଲ ପ୍ରଭାବିତ ହୋଇଥିବା ଆକଳନ କରାଯାଇଛି।

ତେବେ ମହାନଗର ସ୍କୁଲ ଅପେକ୍ଷା ବ୍ଲକ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଫୁଲନଖରାସ୍ଥିତ ଲାଲ ବାହାଦୂର ନୋଡାଲ ବିଦ୍ୟାଳୟ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ୭ଟି ଶ୍ରେଣୀଗୃହ ଛାତ ଉଡ଼ି ଯାଇଛି। ବାତ୍ୟାର ପ୍ରଭାବ ଏମିତି ପଡ଼ିଛି ଯେ ଜୁନ୍‌ ତୃତୀୟ ସପ୍ତାହ ସୁଦ୍ଧା ପୂର୍ବ ସ୍ଥିତି ଫେରିବା ସମ୍ଭବପର ନୁହେଁ। ସେକ୍ଟର-୬ ସରକାରୀ ବିଦ୍ୟାଳୟର ସାଇକେଲ୍‌ ଷ୍ଟାଣ୍ଡ କ୍ଷତିଗ୍ରସ୍ତ ହୋଇଛି। ଗଛ ପଡ଼ି ପାଚେରି ଭାଙ୍ଗି ଯାଇଛି। ନହରକଣ୍ଟାସ୍ଥିତ ମହାରଥା ବିଦ୍ୟାପୀଠର ବି ସମାନ ଅବସ୍ଥା। କବାଟ, ଝରକା ଭାଙ୍ଗି ପଡ଼ିଛି। କ୍ୟାପିଟାଲ ହାଇସ୍କୁଲ ବି ‘ଫନି’ ମାଡ଼ରୁ ବର୍ତ୍ତିପାରିନି। କ୍ୟାମ୍ପସରେ ଥିବା ସେଡ୍‌ ଭାଙ୍ଗିଯାଇଛି।

ବାତ୍ୟା ପରେ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଓ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ନେତୃତ୍ବରେ ୪ରୁ ଅଧିକ ଟିମ୍‌ ବିଭିନ୍ନ ସରକାରୀ ସ୍କୁଲକୁ ଗସ୍ତ କରି କ୍ଷୟକ୍ଷତି ଆକଳନ କରିଥିଲେ। ଅଧିକାଂଶ ବିଦ୍ୟାଳୟର ପାଚେରି ଓ ସେଡ୍‌ ଭାଙ୍ଗିଥିବା ଦେଖିବାକୁ ମିଳିଛି। ସ୍କୁଲ ପାଚେରି ପାର୍ଶ୍ବକୁ ଲାଗି ରହିଥିବା ଗଛ ଉପୁଡ଼ିବା ଦ୍ବାରା ପାଚେରି ଓ ଘର ଉପରେ ପଡ଼ି ତାହା ବି ଭାଙ୍ଗିଛି। ବିଦ୍ୟାଳୟ କ୍ୟାମ୍ପସରେ ମଧ୍ୟାହ୍ନଭୋଜନ ଲାଗି ନିର୍ମାଣ ହୋଇଥିବା ସେଡ୍‌ଗୁଡ଼ିକ ଭାଙ୍ଗି ଯାଇଛି। ଆଜବେଷ୍ଟ ଶ୍ରେଣୀଗୃହ ଅଧିକ ପ୍ରଭାବିତ ହୋଇଥିବା ସର୍ଭେ ବେଳେ ଦେଖିବାକୁ ମିଳିଥିଲା।

ବ୍ଲକ ଶିକ୍ଷା ଅଧିକାରୀ ସସ୍ମିତା ମାଳି କହିଛନ୍ତି ଯେ ସ୍କୁଲ ଖୋଲିବା ପୂର୍ବରୁ ସବୁ କ୍ୟାମ୍ପସରେ ସଫେଇ ଶେଷ କରାଯିବ। ଭାଙ୍ଗି ପଡ଼ିଥିବା ଗଛଗୁଡ଼ିକ ଏବେ କଟା ଚାଲିଛି। ଓଡ୍ରାଫ୍‌ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ କାର୍ଯ୍ୟରେ ଲାଗି ପଡ଼ିଛନ୍ତି। କ୍ୟାମ୍ପସର ପରିଷ୍କାର ଓ ପରିଚ୍ଛନ୍ନତା ପ୍ରତି ଗୁରୁତ୍ବ ଦିଆଯାଇଛି। ପାଠପଢ଼ା ଯେମିତି ପ୍ରଭାବିତ ‌ନ ହେବ, ସେଥିପ୍ରତି ଧ୍ୟାନ ଦିଆଯାଇଛି। ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଛୁଟି ବାତିଲ୍‌ ହୋଇଛି। ସେମାନେ କ୍ୟାମ୍ପସର ପୁନରୁଦ୍ଧାର କାମରେ ସହଯୋଗ କରୁଛନ୍ତି।

ସମ୍ବନ୍ଧିତ ଖବର