ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଆସିନି, ଔଷଧ ଆଣିବାକୁ ଦହଗଞ୍ଜ

ସଂକ୍ରମଣ ଅବରୋଧ ଅଞ୍ଚଳରେ ସରକାରୀ ସେବା ଏମିତି...

ଭୁବନେଶ୍ବର: ସଂକ୍ରମଣ ଅବରୋଧ ଅଞ୍ଚଳରେ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଓ ସେବା ପହଞ୍ଚୁଛି ବୋଲି ସରକାର ଘନଘନ ପ୍ରଚାର କରୁଛନ୍ତି। ଏଥିପାଇଁ ସରକାର କିଛି କର୍ମକର୍ତାଙ୍କୁ ନିୟୋଜିତ କରି ଯୋଗାଯୋଗ ନମ୍ବର ମଧ୍ୟ ଦେଇଛନ୍ତି। ମାତ୍ର ବମିଖାଲ ଅଞ୍ଚଳ ନିକଟବର୍ତୀ ଗୋବିନ୍ଦ ପ୍ରସାଦ ରାଜସ୍ବ ଗ୍ରାମ ତଥା ଜୟଦୁର୍ଗା ନଗରରେ ଏସବୁ ଅପହଞ୍ଚ। ବେବିଲୋନ ଗା‌ର୍ଡେନ ନିକଟରୁ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ସରକାର ଏ ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ୍‌ କରି ସଟ୍‌ଡାଉନ କରିଦେଲେ। ହେଲେ ଏଠି ଅତ୍ୟାବଶ୍ୟକ ସେବା ପହଞ୍ଚୁଛି କି ନାହିଁ ତାହା ଏପର୍ଯ୍ୟନ୍ତ ଅନୁଧ୍ୟାନ କଲେ ନାହିଁ। ଯେଉଁ ନିୟୋଜିତ କର୍ମକର୍ତାଙ୍କୁ ଫୋନ କରାଯାଉଛି ସେମାନେ ବି କଲ୍‌ ଉଠାଉ ନାହାନ୍ତି। ଫଳରେ ଅତ୍ୟାବଶ୍ୟକ ସାମଗ୍ରୀଠୁ ନେଇ ଔଷଧ ପାଇଁ ବହୁତ ଦହଗଞ୍ଜ ହେଉଥିବା ସମ୍ପୃକ୍ତ ଅଞ୍ଚଳର ବାସିନ୍ଦାମାନେ ଅଭିଯୋଗ କରିଛନ୍ତି।

ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକ ଭବାନୀ ଶଙ୍କର ନନ୍ଦ କହିଛନ୍ତି, କଟକ ରୋଡ୍‌ ନିକଟ ୩୩ ନମ୍ବର ୱାର୍ଡ ଅନ୍ତର୍ଗତ ଏହି ଅଞ୍ଚଳରେ କେବଳ କ୍ଷୀର ଗାଡ଼ିକୁ ଛାଡ଼ିଦେଲେ ୩ ଦିନ ହେଲା ଅନ୍ୟ କୌଣସି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଆସିନାହିଁ। ଶ୍ରୀ ନନ୍ଦ କହିଛନ୍ତି ଯେ ମୁଁ ଶ୍ବାସ ରୋଗୀ ହୋଇଥିବାରୁ ନିୟୋଜିତ ଡାକ୍ତରଙ୍କୁ ଫରେମୋନାଇଡ୍‌ ଇନହେଲର ଯୋଗାଇ ଦେବା ପାଇଁ ନିବେଦନ କଲି। ମାତ୍ର ସେ ଅନ୍ୟ ଜଣଙ୍କ ନମ୍ବର ଦେଲେ। ସମ୍ପୃକ୍ତ ବ୍ୟକ୍ତିଙ୍କ ନମ୍ବରରେ କଲ୍‌ କରିବାରୁ ସେ ମଧ୍ୟ ଉଠାଇଲେ ନାହିଁ। ଇନ୍‌ହେଲର ଯୋଗୁଁ ମୁଁ ୫୦ ବର୍ଷ ହେଲା ବଞ୍ଚିଛି। ଏହା ମୋ ପାଇଁ ଅତ୍ୟନ୍ତ ଆବଶ୍ୟକ। ଏହା ସରି ଆସିଥିବାରୁ ମୁଁ ଏହା ମଗାଇବା ପାଇଁ ଚେଷ୍ଟା କରି ବିଫଳ ହେଲି। ଶେଷରେ ରାତିରେ କାଳେ ଇନହେଲରର ଆବଶ୍ୟକ ପଡ଼ିବ ସେଥିପାଇଁ ମୋ ପତ୍ନୀ ଅଢ଼େଇ କିଲୋମିଟର ଚାଲିଚାଲି ଯାଇ କଟକ ରୋଡ୍‌ସ୍ଥିତ ଏକ ମେଡିସିନ ଷ୍ଟୋରରୁ ଇନହେଲର ଆଣିଲେ। ଯିବା ବାଟରେ ବାଡ଼ ପଡ଼ିଥିବାରୁ ଏଥିପାଇଁ ବି ତାଙ୍କ ପତ୍ନୀଙ୍କୁ ବହୁତ ଦହଗଞ୍ଜ ହେବାକୁ ପଡ଼ିଥିଲା। କେବଳ ସେତିକି ନୁହେଁ, ଘରେ ଅତ୍ୟାବଶ୍ୟକ ଖାଦ୍ୟ ପହଞ୍ଚାଯିବା କଥା କୁହାଯାଉଥିଲେ ହେଁ ଏହା ପହଞ୍ଚି ପାରୁନାହିଁ। ଏନେଇ ଆମେ ସମ୍ପୃକ୍ତ ଅତ୍ୟାବଶ୍ୟକ ଜିନିଷ ଯୋଗାଣ ଅଧିକାରୀଙ୍କୁ ଫୋନ କଲେ ସେ କଲ୍‌ ଉଠାଉ ନାହାନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି।

ଶ୍ରୀ ନନ୍ଦ ଏକଥା ବି କହିଛନ୍ତି ଯେ, ଯେଉଁ କ୍ଷୀର ଆସୁଛି ତାହା କିଣିବା ବେଳେ ଟଙ୍କା ଦେଣନେଣ ହେଉଛି। ସେଥିରେ ବି ସଂକ୍ରମଣ ନ ବ୍ୟାପିବ ତାହାର ଗ୍ୟାରେଣ୍ଟି କିଏ ଦେବ? ଯଦି କ୍ଷୀର ଗାଡ଼ି ଆସୁଛି, ତେବେ ପାଖରେ ଥିବା ଗଉଡ଼ମାନଙ୍କୁ କ୍ଷୀର ଦେବାକୁ କାହିଁକି ମନା କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଖାଲି ସେତିକି ନୁହେଁ, ଏ ଅଞ୍ଚଳରେ ଧୂଳି ସଫା ମେସିନ ବୁଲିବା ସହ ଦୁଇ ଓଳି ସଫେଇ ହେଉଥିବା କଥା କୁହାଯାଉଥିଲେ ହେଁ ଏହା ଏପର୍ଯ୍ୟନ୍ତ ହୋଇନଥିଲା। ବାରମ୍ବାର ମୁଖ୍ୟମନ୍ତ୍ରୀ, ବିଏମ୍‌ସି, ସ୍ବାସ୍ଥ୍ୟ ବିଭାଗକୁ ଟ୍ବିଟ କରିବା ପରେ ଏହାକୁ ଏବେ ସଫେଇ କରାଯାଇଛି ବୋଲି ସେ କହିଛନ୍ତି। ସ୍ଥାନୀୟ ଅଞ୍ଚଳର ଅନ୍ୟତମ ବରିଷ୍ଠ ନାଗରିକ ମଥୁରି ଚରଣ ସାହୁ କହିଛନ୍ତି, ଗ୍ରୋସରି ଓ ପରିବା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି ବୋଲି କୁହାଯାଉଥିଲେ ହେଁ ଏହା କେବଳ ମିଛ ପ୍ରଚାର। ସେପରି କୌଣସି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉନାହିଁ। ବିଶେଷକରି ବହୁ ବରିଷ୍ଠ ନାଗରିକଙ୍କର ଔଷଧର ଆବଶ୍ୟକତା ରହିଥିଲେ ମଧ୍ୟ ତାହା ଏବେ ଆଣିବାକୁ ଯିବା ଅସମ୍ଭବ ହୋଇପଡ଼ିଛି। ଔଷଧ ନିତାନ୍ତ ଆବଶ୍ୟକ ଥିବାରୁ ଏହି ସଂକ୍ରମଣ ଅବରୋଧ ଅଞ୍ଚଳରେ ଯେପରି ବୟସ୍କ ଲୋକଙ୍କ ପାଇଁ ଔଷଧ ମିଳିବ ସେ ଦିଗରେ ଧ୍ୟାନ ଦେବାକୁ ସେ କହିଛନ୍ତି।

ସମ୍ବନ୍ଧିତ ଖବର