ଆନ୍ତଃରାଜ୍ୟ ବନ୍ଧୁକ ବେପାରୀ ଗିରଫ ମାମଲାରେ ନୂଆ ମୋଡ଼ : ଚୋରାରେ ବିକ୍ରି ହେଉଛି ସରକାରୀ ଯୋଗାଣ ଗୁଳି

ଭୁବନେଶ୍ବର : ରାଜଧାନୀରୁ ଦୁଇ ଆନ୍ତଃରାଜ୍ୟ ବନ୍ଧୁକ ବେପାରୀ ଗିରଫ ମାମଲା ଏବେ ନୂଆ ମୋଡ଼ରେ। ଜବତ ହୋଇଥିବା ଜୀବନ୍ତ ଗୁଳି ବିଭିନ୍ନ ସରକାରୀ ବିଭାଗକୁ ଯୋଗାଯାଉଥିବା ଗୁଳି ସହ ସମାନ ବୋଲି ସ୍ପଷ୍ଟ ହୋଇଛି। କିନ୍ତୁ ଏହା ସରକାରଙ୍କର ସ୍ବୀକୃତିପ୍ରାପ୍ତ ଦୋକାନ(ଆର୍ମୋରି)ରୁ ଆସିନାହିଁ। ଜବତ ଗୁଳିକୁ ଏସ୍‌ଟିଏଫ୍‌ ନିର୍ମାଣକାରୀ ସଂସ୍ଥା ଓ ସ୍ବୀକୃତିପ୍ରାପ୍ତ ଆର୍ମୋରିକୁ ପଠାଇ ଯାଞ୍ଚ ପରେ ଏହା ସ୍ପଷ୍ଟ କରିଛି। ତେବେ ସରକାରୀ ସଂସ୍ଥାକୁ ଯୋଗାଣ ହେଉଥିବା ଗୁଳି କିଭଳି ଚୋରା ବଜାରକୁ ଆସିଲା ସେ ନେଇ ଚିନ୍ତାରେ ପଡ଼ିଛି ଏସ୍‌ଟିଏଫ୍‌। ଏବେ ଏ ଦିଗରେ ତନାଘନା ଆରମ୍ଭ ହୋଇଛି। ପ୍ରକୃତ ରହସ୍ୟ ଖୋଜି ବାହାର କରିବା ପାଇଁ ଉଭୟ ବେପାରୀଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି ପଚରା ଉଚରା କରିଥିବା ଏସ୍‌ଟିଏଫ୍ କ’ଣ ସୂଚନା ପାଇଛି ସେ ନେଇ ସ୍ପଷ୍ଟ କରିନାହିଁ। ଗୋଟିଏ ପଟେ ବନ୍ଧୁକ ଚୋରାରେ ମିଳି ଯାଉଥିବା ବେଳେ ସରକାରୀ ସଂସ୍ଥାକୁ ଯୋଗା ଯାଉଥିବା ଗୁଳି ମଧ୍ୟ ବଜାରରେ ସହଜ‌‌ରେ ଉପଲବ୍ଧ ହେଉଥିବାରୁ ସମସ୍ତଙ୍କର ଚିନ୍ତା ବଢ଼‌ି ଯାଇଛି।

ପ୍ରକାଶ ଥାଉକି ଗତ ମାସ ୧୦ ତାରିଖରେ ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମି ଜିଲ୍ଲା ଜଗନ୍ନାଥପୁର ଜୟନ୍ତଗଡ଼ର ସାନୁ ପୋଦ୍ଦାର ଓ ଆଇଟିଇଆର କଲେଜ୍‌ ନିକଟ ଲେକ୍‌ ଭ୍ୟାଲି-୨ରେ ରହୁଥିବା ଗଞ୍ଜାମର ସୁରେଶ କୁମାର ପାଣିଗ୍ରାହୀ ଓରଫ୍ ଲିପୁନ୍‌କୁ ଏସ୍‌ଟିଏଫ୍‌ ଗିରଫ କରିଥିଲା। ସେମାନଙ୍କ ଠାରୁ ୩ ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ ହୋଇଥିଲା।

ଯେଉଁ ଜୀବନ୍ତ ଗୁଳି ଜବତ ହୋଇଥିଲା। ସେଥିରେ ନିର୍ମାତାଙ୍କ ନାମ କେ.ଏଫ୍‌ ରହିଥିଲା। ଏହାକୁ ନେଇ ଏସ୍‌ଟିଏଫ୍‌ ଖୋଳତାଡ଼ କଲା ବେଳେ ଏହା ପୁଣେର ସ୍ବୀକୃତିପ୍ରାପ୍ତ ଗୁଳିଗୋଳା କାରଖାନା ‘କିର୍‌କି’ର ବୋଲି ଜଣାପଡ଼ିଥିଲା। ସମ୍ପୃକ୍ତ ସଂସ୍ଥାକୁ ଏହି ଗୁଳିର ଫଟୋ ପଠାଯାଇଥିଲା। ତେବେ ରାଜ୍ୟରେ ଯେତେ ଜଣଙ୍କ ପାଖରେ ବନ୍ଧୁକ ବା ଗୁଳି ରହିଛି ତାହା ନିର୍ବାଚନ ପୂର୍ବରୁ ଜିଲ୍ଲାପାଳଙ୍କ ପାଖରେ ଜମା ହେବା ନିୟମ ରହିଛି। ନିୟମ ମୁତାବକ ଜିଲ୍ଲାପାଳଙ୍କ ପାଖରେ ଏସବୁର ତଥ୍ୟ ବି ରହିଥିବ। ଅର୍ଥାତ୍‌ କେଉଁ ଜିଲ୍ଲାରେ କେତେ ବନ୍ଧୁକ ଓ କେତେ ଗୁଳି ରହିଛି ତାହାର ହିସାବ ଜିଲ୍ଲାପାଳମାନଙ୍କ ପାଖରେ ରହିଛି। ଏହି ଜବତ ଗୁଳି କେଉଁଠୁ ଆସିଲା ଓ ଜିଲ୍ଲାପାଳଙ୍କ ପାଖରେ ତଥ୍ୟ ଠିକ୍‌ ରହିଛି କି ନାହିଁ ସେ ନେଇ ଏସ୍‌ଟିଏଫ୍‌ ଖୋଳତାଡ଼ କରିନାହିଁ। ଏସବୁର ତଦନ୍ତ ହେଲେ ପ୍ରକୃତ କଥା ଲୋକଲୋଚନକୁ ଆସି ପାରିବ।

ସମ୍ବନ୍ଧିତ ଖବର