ମୋ ସାଇକେଲ୍‌ ଯୋଜନା ଖତ, କେଜି ୪୦ ଟଙ୍କାରେ କବାଡ଼ିଆକୁ ବିକିଦେଲେ

ଗୋଟାକୁ ୨୫ ହଜାରରେ କିଣିଥିଲେ, ବିକିଲେ ୬୦୦ରେ, କମିସନର କହିଲେ, କିଏ ବିକିଛି ମୁଁ ଜାଣିନି

ଭୁବନେଶ୍ବର: ୨୦୧୮ ମସିହା, ନଭେମ୍ବର ୨୬ ତାରିଖ। ନୂଆ ବିମାନବନ୍ଦର ଛକରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ହଲାଇ ରାଜଧାନୀରେ (ପବ୍ଲିକ୍ ବାଇସାଇକେଲ୍‌ ସେୟାରିଂ ସିଷ୍ଟମ) ‘ମୋ ସାଇକେଲ୍‌’ ଯୋଜନାର ଶୁଭାରମ୍ଭ କରିଥିଲେ। ଉଦ୍ଦେଶ୍ୟ ଥିଲା ରାଜଧାନୀରେ ପ୍ରଦୂଷଣ କମିବ, ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିବ। ସେଦିନ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଆରମ୍ଭ କରିବା ବେଳେ କଳ୍ପନା କରି ନ ଥିବେ ଯେ, କିଣା ହୋଇଥିବା ହଜାର ହଜାର ଦାମୀ ସାଇକଲ ଅଢ଼େଇ ବର୍ଷ ପରେ କବାଡ଼ିଆକୁ ଲୁହାଦରରେ ବିକ୍ରି ହୋଇଯିବ। କିନ୍ତୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ଓ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଅପାରଗତା ଯୋଗୁଁ ଆଜି ଏଭଳି ପରିସ୍ଥିତି ଉପୁଜିଛି। ଯେଉଁ ମୋ ସାଇକେଲ୍‌କୁ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ଗୋଟା ପିଛା ୨୫ହଜାର ଟଙ୍କା ଦେଇ କିଣିଥିଲେ ଏବଂ ଯାହାର ମରାମତି ପାଇଁ ବର୍ଷକୁ ସାଇକେଲ୍‌ ପିଛା ୫ହଜାର ଟଙ୍କା ଲେଖାଏଁ ଦେଇଥିଲେ; ତାକୁ ଏବେ କବାଡ଼ିଆକୁ କେଜି ୪୦ଟଙ୍କାରେ ବିକ୍ରି କରାଯାଉଛି। ଅର୍ଥାତ ସାଇକେଲ ପିଛା ମିଳୁଛି ମାତ୍ର ୬୦୦ ଟଙ୍କା। ଏମ୍‌ସ ନିକଟବର୍ତ୍ତୀ ରେହମତନଗର ବସ୍ତିରେ ଶତାଧିକ ମୋ ସାଇକେଲ୍‌ ଗଦା ହୋଇଥିବାବେଳେ ଏବେ ଏହାକୁ ଗ୍ୟାସ୍‌ କଟର୍‌ରେ କଟା ଚାଲିଛି। ସାଇକେଲ୍‌ରୁ ପ୍ରଥମେ ଏହାର ଲକ୍‌ କଟାଯାଇ ଅଲଗା ରଖାଯିବା ପରେ ଟାୟାର ଖୋଲାଯାଉଛି। ଏହାପରେ ପ୍ରତି ସାଇକେଲ୍‌କୁ ୪ଖଣ୍ଡ କରି କଟାଯାଉଛି।

ସାଇକେଲ୍‌ କିଏ ବିକିଛି, କେତେ ଦାମ୍‌ରେ ବିକିଛି ପଚାରିବାରୁ ଉତ୍ତର ମିଳିଲା ଯେ ଆମେ କେଜି ୪୦ଟଙ୍କା ହିସାବରେ କିଣିଛୁ। ଗୋଟିଏ ସାଇକେଲ୍‌ ଓଜନ ୧୫କେଜି ହୋଇଥିବାରୁ ଆମେ ୬୦୦ଟଙ୍କା ଦେଇଛୁ। ଏଥିରେ ଲାଗିଥିବା ଲକ୍‌କୁ ବାବୁ ନେଇଯିବେ ବୋଲି କହିଛନ୍ତି। ତେଣୁ ଆମେ ସବୁ ଲକ୍‌ କାଟି ଅଲଗା ରଖିଛୁ। ସବୁ ସାଇକେଲ୍‌ର ସିରିଏଲ୍‌ ନମ୍ବର ଟିପିକି ନେଇଛନ୍ତି। ତେଣୁ ଆମେ ସେହି ଅନୁଯାୟୀ ତାଙ୍କୁ ଲକ୍ ଫେରାଇବୁ। ଏଥିରୁ ଗୋଟିଏ ସାଇକେଲ୍‌ କିଣିହେବ କି ପଚାରିବାରୁ ଜଣେ କବାଡ଼ିଆ କହିଲେ; ସାଇକେଲ୍‌ ନେଲେ କ’ଣ ଚଲାଇପାରିବେ? ଯଦି ରଙ୍ଗ କରି ଚଲାଇବେ ନିଅନ୍ତୁ। ଏହାପରେ ହଠାତ୍ ଆଉ ଜଣେ ବ୍ୟକ୍ତି ଆସି କହିଲେ; ନା..ନା.. କାହାକୁ ସାଇକେଲ୍‌ ଦେଇହେବନି। ଆମେ କିଣିଛୁ ଏହାକୁ କାଟିକି ଏଥିରୁ ଲୁହା ଓ ଆଲୁମିନିୟକ ଅଲଗା କରିବୁ। ଆଲୁମିନିୟମକୁ ଅଧିକ ଦାମ୍‌ରେ ବିକିବୁ। ଟାୟାର ବି ବିକ୍ରି ହେବ। ଏହି ଟାୟା‌ରରେ ଟ୍ୟୁବ୍ ନଥିବାରୁ ଅଧିକ ଦାମ୍‌ରେ ବିକ୍ରି ହେବ।

ଏଠାରେ ପ୍ରଶ୍ନ ଉଠୁଛି ଏମିତି କ’ଣ ହେଲା ଯେ, ଏତେ ସ୍ବପ୍ନ ଦେଖାଇଥିବା ବାବୁମାନେ ଶହଶହ ମୋ ସାଇକେଲ୍‌କୁ କବାଡ଼ିଆକୁ ବିକିଦେଲେ? ଏହା କେଉଁ ଅଧିକାରୀଙ୍କ ମୁଣ୍ଡକୁ ଜୁଟିଲା? କର୍ତ୍ତୃପକ୍ଷ ୫କୋଟି ଟଙ୍କାର ସାଇକେଲ୍‌ କିଣିଥିଲେ। ମରାମତି ପାଇଁ ବର୍ଷକୁ କୋଟିଏ ଟଙ୍କା ଖର୍ଚ୍ଚ କଲେ। ହେଲେ ରାସ୍ତାକଡ଼‌, ଡ୍ରେନ୍‌, ପୋଖରୀ ଭିତରେ ସାଇକେଲ୍‌ ମାସାଧିକକାଳ ଭଙ୍ଗାଦଦରା ଅବସ୍ଥାରେ ପଡ଼ିରହିବା ପରେ ଏବେ ସେଗୁଡ଼ିକୁ ମରାମତି ନକରି କବାଡ଼ିଆକୁ ବିକିଦେଲେ?

ଏ ନେଇ ବିଏସ୍‌ସିଏଲ୍‌ର ସିଇଓ ତଥା ବିଏମ୍‌ସି କମିସନର ସଂଜୟ ସଂହଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସାଇକେଲ୍‌ କବାଡ଼ିଆକୁ ବିକ୍ରି ହୋଇଥିବା ନେଇ ମୁଁ ଜାଣିନି। ମୋ ସାଇକେଲ୍‌ ଦାୟିତ୍ବରେ ଥିବା ବିଏସ୍‌ସିଏଲ୍‌ର କମଲଜିତ୍‌ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଆମେ ମୋ ସାଇକେଲ୍‌ ବିକିନୁ। ହେକ୍ସି କର୍ତ୍ତୃପକ୍ଷ କାହିଁକି ସାଇକେଲ୍‌ ବିକିଲେ ଆମେ ଜବାବ୍ ମାଗିବୁ। ହେକ୍ସିକୁ କଳା ତାଲିକାଭୁକ୍ତ କରିବାକୁ ଆମେ ପଦକ୍ଷେପ ନେଇଛୁ। ସାଇକେଲ୍ ବିକିବା ନେଇ ଏଫ୍‌ଆଇଆର୍‌ ଦିଆଯିବ। ସେହିପରି ମୋ ସାଇକେଲ୍‌ ବିଏସ୍‌ସିଏଲ୍ କିଣିନଥିଲା। ଏହାକୁ କ୍ରୁଟ୍ କିଣିଥିଲା।
ଅପରପକ୍ଷେ କ୍ରୁଟ୍ କର୍ତ୍ତୃପକ୍ଷ କହିଛନ୍ତି ଯେ, ବିଏସ୍‌ସିଏଲ୍‌ ସାଇକେଲ୍‌ କିଣିବା ପରେ ଏହାର ପରିଚାଳନା ଦାୟିତ୍ବ ଆମକୁ ଦେଇଥିଲା। ସେମାନେ ଆମଠୁ ୧୮୦୦ରୁ ଅଧିକ ସାଇକେଲ୍‌ ନେଇଥିଲେ। କିନ୍ତୁ ଏବେ ୧୨୨୦ ସାଇକେଲ୍‌ ଦେଖାଉଛନ୍ତି।

ସୂଚନାଯୋଗ୍ୟ ଯେ, ‌ ଏହି ମହାତ୍ବାକାଂକ୍ଷୀ ଯୋଜନାରେ ରାଜଧାନୀବାସୀଙ୍କ ପାଇଁ ମୋଟ ୨ହଜାର ସାଇକେଲ କିଣାଯାଇଥିବାବେଳେ ହେକ୍ସି କଂପାନିକୁ ହଜାରେ, ୟେନୋ ଓ ୟୁଲୁ ସଂସ୍ଥାକୁ ୫୦୦ ଲେଖାଏଁ ସାଇକେଲର ପରିଚାଳନା ଦାୟିତ୍ବ ଦିଆଯାଇଥିଲା। ଏବେ ସେଥିରୁ ୧୨୨୦ଟି ସାଇକେଲ୍‌ ଥିବା ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ଦର୍ଶାଇଛନ୍ତି। ବାକି ୭୮୦ଟି ସାଇକେଲ୍‌ କୁଆଡ଼େ ଗଲା ସେନେଇ ଜୁନ୍‌ ୩ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଏହି ୭୮୦ ସାଇକେଲ୍‌ ଏବେ କବାଡ଼ିଆଙ୍କୁ ବିକ୍ରି ହୋଇଯାଇଛି ବୋଲି ଉତ୍ତର ମିଳିଯାଇଛି।
ମୋ ସାଇକେଲ୍‌ ଯୋଜନାର ସବୁଠୁ ବିଡ଼ମ୍ବନା ହେଲା, ଏହା କିଣା ହେଲା ବେଳେ କେହି ଟେର୍ ପାଇନଥିଲେ। ଏବେ ଏହା କବାଡ଼ିଆକୁ ବିକ୍ରି ହୋଇଯାଇଥିଲେ ବି କେହି ଟେର୍ ପାଇଲେନି।

ସମ୍ବନ୍ଧିତ ଖବର