ବିଏମ୍‌ସିର କଡ଼ା ଆଭିମୁଖ୍ୟ, ସେସ୍‌ପୁଲ୍‌ ଗାଡ଼ିରେ ଲାଗିବ ଜିପିଏସ୍

ଭୁବନେଶ୍ୱର: ବାହାରେ ତରଳ ବର୍ଜ୍ୟବସ୍ତୁ ପକାଇଲେ ସେସ୍‌ପୁଲ ଗାଡ଼ି ଅପରେଟରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ଗାଡ଼ି ଅଟକ ସହ ଜରିମାନା ଆଦାୟ କରାଯିବ ବୋଲି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ନିଷ୍ପତ୍ତି ହୋଇଛି। ବିଏମ୍‌ସି କମିସନର ସମର୍ଥ ବର୍ମା କହିଛନ୍ତି ଯେ ସ୍ମାର୍ଟ ସିଟି ଅଞ୍ଚଳରେ ତରଳ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ନିୟମ କଡ଼ାକଡ଼ି ଲାଗୁ କରିବାକୁ ଏହି ପଦକ୍ଷେପ ନିଆଯାଇଛି। ଆସନ୍ତା ସପ୍ତାହକ ଭିତରେ ଘରୋଇ ସେସ୍‌ପୁଲ ଗାଡ଼ି ଅପରେଟର୍‌ଙ୍କ ବୈଠକ ବସିବ। ଏଣିକି ସହରରେ ବୁଲୁଥିବା ସମସ୍ତ ସେସ୍‌ପୁଲ ଗାଡ଼ିରେ ଜିପିଏସ୍ ଲାଗିବ। ଏହାଦ୍ବାରା ଗାଡ଼ିଗୁଡ଼ିକ କେଉଁଠିକୁ ଯାଉଛି, ତାହା ଜଣାପଡ଼ିବ। ନୂଆ ନିୟମ ଅନୁଯାୟୀ ପ୍ରତ୍ୟେକ ଘରର ମାଲିକ ନିଜର ପାଇଖାନା ସେପ୍ଟିକ୍ ଟାଙ୍କି କିମ୍ବା ପିଟ୍ ‌‌େସ୍ବରେଜ୍‌ ସହ ସଂଯୋଗ କରିବା ବାଧ୍ୟତାମୂଳକ ହେବ। ଘର ମାଲିକମାନେ ପାଇଖାନାରୁ ନିର୍ଗତ ମଳ ପଦାକୁ ଯାଉ ନାହିଁ ବୋଲି ବିଏମ୍‌ସିକୁ ସୁନିଶ୍ଚିତ କରାଇବେ। ଏଥିସହ ନିୟମିତ ଭାବେ ପାଇଖାନା ଟାଙ୍କି ସଫା କରିବାକୁ କୁହାଯିବ। ନିୟୋଜିତ କର୍ମଚାରୀମାନେ ତରଳ ପଦାର୍ଥ ନ ଭେଦିବା ଭଳି ଗ୍ଲୋବ୍ସ, ଗନ୍ ବୁଟ୍, ହେଲମେଟ୍, ଚଷମା ଆଦି ପିନ୍ଧିବେ। ମଳ ପରିବହନ କେବଳ ବିଏମ୍‌ସି ଦ୍ବାରା ନିର୍ଦ୍ଧାରିତ ଓ ପଞ୍ଜୀକୃତ ଗାଡ଼ିରେ କରାଯିବ। ସୁରକ୍ଷା ପୋଷାକ ପିନ୍ଧିବା ଦ୍ୱାରା କର୍ମୀ ସୁରକ୍ଷିତ ରହିବେ। ନିୟମର ଉଲ୍ଲଘଂନ ହେବ ନାହିଁ। ୨୦୧୮ ଏଫ୍ଏସ୍ଏସ୍ଏମ୍ ନିୟମ ୮(୧) ଅନୁଯାୟୀ ସେପ୍ଟେଜ୍ ଟ୍ରାନ୍ସପୋର୍ଟ ଗାଡ଼ି ଭାବେ ପଞ୍ଜୀକୃତ ହୋଇ ନଥିବା କୌଣସି ଯାନ ତରଳ ବର୍ଜ୍ୟବସ୍ତୁ ପରିବହନ କରିବା ନିଷେଧ କରାଯାଇଛି।

ସମ୍ବନ୍ଧିତ ଖବର