ଭୁବନେଶ୍ୱର: ଆବର୍ଜନା ସୃଷ୍ଟି ହେଉଥିବା ପ୍ରମୁଖ ଜାଗା ହେଉଛି ବଜାର। ତେଣୁ ବିଏମ୍‌ସି ଏବେ ଏହାକୁ ଗୁରୁତ୍ବ ଦେଇଛି। ଏଥର ବଜାରରୁ ଦିନକୁ ଦୁଇଥର ଆବର୍ଜନା ଉଠାଇବାକୁ ନିଷ୍ପତ୍ତି ନେଇଛି। ରାତି ୧୧ଟା ଯାଏ ଗାଡ଼ି ବୁଲିବୁଲି ଆବର୍ଜନା ସଂଗ୍ରହ କରିବ। ଏଥିପାଇଁ ୫୭ଟି ଗାଡ଼ି ନିୟୋଜିତ କରାଯାଇଛି। ବ୍ୟାବସାୟିକ ସଂଘଗୁଡ଼ିକ ସହ ଏ‌‌ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ଗାଡ଼ି ଆସିବା ପୂର୍ବରୁ ଆବର୍ଜନା(ଓଦା ଓ ଶୁଖିଲା)କୁ ଅଲଗାଅଲଗା କରି ରଖିବେ ବୋଲି ସଂଘଗୁଡ଼ିକ ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ଲାଗିଲା ୫୭ ଗାଡ଼ି, ପ୍ରତି ଘରୁ କେବେ?

ଦକ୍ଷିଣ-ପୂର୍ବ ଜୋନ୍ ପାଇଁ ୩୧ଟି ଗାଡ଼ି ଯୋଗାଇ ଦିଆଯାଇଥିବା ବେଳେ ଦକ୍ଷିଣ-ପଶ୍ଚିମ ଜୋନ୍ ପାଇଁ ୯ ଓ ଉତ୍ତର ଜୋନ୍ ପାଇଁ ୧୭ଟି ଯୋଗାଇ ଦିଆଯାଇଛି। ଆବଶ୍ୟକ ପଡ଼ିଲେ, ଅଧିକ ଗାଡ଼ି ଯୋଗାଇ ଦିଆଯିବ। ଅପରାହ୍ଣ ୩ଟା‌ରୁ ରାତି ୧୧ଟା ପର୍ଯ୍ୟନ୍ତ ବଜାର ଅଞ୍ଚଳଗୁଡ଼ିକୁ ସଫେଇ କରାଯିବା ସହ ଆବର୍ଜନା ସଂଗ୍ରହ କରାଯିବ। ସମ୍ପୃକ୍ତ ଜୋନ୍ ଅଧିକାରୀଙ୍କ ତତ୍ତ୍ବ‌ାବଧାନରେ ଏହି କାର୍ଯ୍ୟ ସମ୍ପାଦିତ ହେବ। ସାନିଟାରି ଇନିସ୍‌ପେକ୍ଟରମାନେ ରାତ୍ରୀକାଳୀନ ସଫେଇ ଲଗ୍‌ ବୁକ୍ ତଦାରଖ କରିବେ। ଯେଝାଯେଝା ୱାର୍ଡର କର୍ପୋରେଟର୍‌ମା‌ନେ ମଧ୍ୟ ଯେପରି ଏଥିରେ ସହଯୋଗ କରିବେ, ସେଥିପାଇଁ ସେମାନଙ୍କୁ ଅନୁରୋଧ କରାଯାଇଥିବା କହିଛନ୍ତି ଡେପୁଟି କମିସନର(ପରିମଳ) ଶୁଭେନ୍ଦୁ କୁମାର ସାହୁ।

ଅନ୍ୟପଟେ ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ କରିବା ପାଇଁ ବିଏମ୍‌ସି ଆଉ ୪୦ଟି ଗାଡ଼ି (ଏଲ୍‌ସିଭି) କିଣିଛି। କିନ୍ତୁ ଏହା ସତ୍ତ୍ବେ ଘରଘର ବୁଲି ଦିନକୁ ଦୁଇଥର ଆବର୍ଜନା ସଂଗ୍ରହ କରିବା ସମ୍ଭବ ହେବ ନାହିଁ ବୋଲି କୁହାଯାଉଛି। ପ୍ରତି ୱାର୍ଡରୁ ଦିନକୁ ଥରେ ଅଳିଆ ଉଠାଇବା ପାଇଁ ୩୫୦ରୁ ଅଧିକ ଗାଡ଼ି ଦରକାର। କିନ୍ତୁ ବିଏମ୍‌ସି ପାଖରେ ନୂଆ ପୁରୁଣାକୁ ମିଶାଇ ମୋଟ ୩୧୫ଟି ଗାଡ଼ି ରହିଛି। ଏଥିପାଇଁ କିଛି ସ୍ଥାନରେ ଦିନକୁ ଥରେ ବି ଅଳିଆ ଉଠି ପାରୁନାହିଁ। ବେଳେବେଳେ ଗଳିକୁ ଗାଡ଼ି ଆସୁନାହିଁ। ତେଣୁ ସେଭଳି ଜାଗାରେ ଦିନକୁ ଦୁଇଥର ଆବର୍ଜନା କେମିତି ସଂଗ୍ରହ ହେବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା‌ଯୋଗ୍ୟ, ନିକଟ ଅତୀତରେ ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ ଘୋଷଣା କରିଥିଲେ ଯେ ଏଥର ଘରୁଘରୁ ଦୁଇଥର ଆବର୍ଜନା ସଂଗ୍ରହ ହେବ। କିନ୍ତୁ ନିକଟ ଭବିଷ୍ୟତରେ ଏହା ସଫଳ ରୂପ ନେବାର ସମ୍ଭାବନା ଦେଖାଯାଉନାହିଁ।