ଭୁବନେଶ୍ବର: ଅମରେଶ ଗୌଡ଼ଙ୍କ ପ୍ରୋ-ମହୋତ୍ସବ ଇଭେଣ୍ଟ ପକ୍ଷରୁ ମିଷ୍ଟର ଓ ମିସ୍ ଦକ୍ଷତା ମଡେଲ୍-୨୦୨୧ର ଗ୍ରାଣ୍ଡ ଫାଇନାଲ୍ ମେଣ୍ଢାଶାଳସ୍ଥିତ ଗୁରୁକୁଳ ଟେନିସ୍ ରିସୋର୍ଟ ଠାରେ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାର ରଞ୍ଜନା ନାୟକ ମିସ୍ ଦକ୍ଷତା ମଡେଲ୍-୨୦୨୧ ବିଜେତା ହୋଇଥିବା ବେଳେ କୁନିଲତା ବାରିକ ରନର୍ସ ଅଫ୍‌ ହୋଇଛନ୍ତି। ସେହପରି ପୁରୀ ଜିଲ୍ଲା ବ୍ରହ୍ମଗିରିର କମଳାକାନ୍ତ ନାଏକ ମିଷ୍ଟର ଦକ୍ଷତା ମଡ‌େଲ୍-୨୦୨୧ ବିଜେତା ହୋଇଥିବା ବେଳେ ଅଙ୍କିତ ଗୌଡ଼ ରନର୍ସ ଅଫ୍ ହୋଇଛନ୍ତି। ଉକ୍ତ ମହୋତ୍ସବ ପାଇଁ ହୋଇଥିବା ଅନ୍‌ଲାଇନ୍ ପ୍ରତିଯୋଗିତାରେ ୧୫୦ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ୧୦ ଜଣ ଗ୍ରାଣ୍ଡ୍‌ ଫାଇନାଲ୍‌ରେ ପହଞ୍ଚି ପାରିଥିଲେ।

Advertisment

ଅକ୍ଟୋବର ୪ ତାରିଖ ଦିନ ଏହି ୧୦ଜଣ ପ୍ରତିଯୋଗୀଙ୍କୁ ଗୁରୁକୁଳ ଟେନିସ୍ ରିସୋର୍ଟରେ ଦକ୍ଷତା ପ୍ରଦର୍ଶନ ତାଲିମ ଦିଆଯାଇଥିଲା। ଏଥିରେ ବୃତ୍ତିଗତ ମେଣ୍ଟରିଂ, କଥାବାର୍ତ୍ତା ଶୈଳୀ, ହ୍ବିଲ୍‌ଚେୟାରରେ ରାମ୍ପକୁ ଯିବା, ଚେୟାର ବସି ନାଚିବା, ଗୀତ ଗାଇବା ଆଦି ଦକ୍ଷତା ଉପରେ ତାଲିମ ଦିଆଯାଇଥିଲା। ଗ୍ରାଣ୍ଡ ଫାଇନାଲରେ ମୁଖ୍ୟ ବିଚାରକ ଭାବେ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀ ଯୋଗ ଦେଇଥିବା ବେଳେ ଅତିଥି ଭାବେ ମିସେସ୍ ଓ ମିସ୍ ଇଣ୍ଡିଆ ନୟନ୍ତରା ୟୁନାଇଟେଡ୍ କଣ୍ଟିନେଣ୍ଟ ମନୀଷା ଦାଶ ଓ ସ୍ବଚନା ସ୍ବସ୍ତିକା, ଟଲିଉଡ୍ ଅଭିନେତ୍ରୀ ଶୁଭଙ୍କରୀ ଦେବୀ, ଓଡ଼ିଶୀ ନୃତ୍ୟ ଶିଳ୍ପୀ ସାଗରିକା ମହାନ୍ତି, ମିସ୍ ଟୁରିଜିମ୍ ଆମ୍ବାସଡାର ଲିପ୍ସା ମହାପାତ୍ର ଯୋଗ ଦେଇଥିଲେ।