କମିସନରେଟ୍ ପୁଲିସରେ ବଡ଼ଧରଣର ଅଦଳବଦଳ, ବିଦାହେଲେ ବିବାଦୀୟ ଅଫିସର୍‌

ଭୁବନେଶ୍ବର: କମିସନରେଟ୍ ପୁଲିସ ଅଫିସର୍‌ ରୢାଙ୍କ‌୍‌ରେ ଆଜି ବଡ଼ଧରଣର ଅଦଳବଦଳ ହୋଇଛି। ପାଖାପାଖି ୨୦ ଅଫିସରଙ୍କୁ ଏପଟ ସେପଟ କରାଯାଇଛି। ଏଥିରେ କିଛି ବିବାଦୀୟ ଇନ୍ସପେକ୍ଟର୍‌ଙ୍କ ନାମ ଥିବା ବେଳେ ପଦୋନ୍ନତି ପାଇଥିବା କିଛି ଅଫିସର୍‌ଙ୍କୁ ନୂଆ ସ୍ଥାନରେ ନିଯୁକ୍ତି ମିଳିଛି। କମିସନରେଟ୍‌ ପୁଲିସରେ ଏଭଳି ହଠାତ୍ ବଦଳିକୁ ନେଇ ପୁଲିସ ମହଲରେ ଜୋରଦାର ଚର୍ଚ୍ଚା ହେଉଛି। କୁହାଯାଉଛି, ଦୁଇଜଣ ଆଇପିଏସ୍ ଅଫିସର୍‌ଙ୍କ ମଧ୍ୟରେ ଥିବା ବିବାଦରୁ ଏଭଳି ଅଦଳବଦଳ କରାଯାଇଛି।

ମିଳିଥିବା ସୂଚନାନୁଯାୟୀ, ସହିଦନଗର ଇନ୍ସପେକ୍ଟର୍‌ ଦାୟିତ୍ବରେ ଥିବା ଏସିପି ହିମାଂଶୁ ସ୍ବାଇଁଙ୍କୁ ସ୍ପେସାଲ୍ ସ୍କ୍ବାଡ୍‌ ଏସିପି ଭାବେ ନିଯୁକ୍ତି ମଳିଥିବା ବେଳେ ଚନ୍ଦ୍ରଶେଖରପୁର ଇନ୍ସପେକ୍ଟର୍‌ ଦାୟିତ୍ବରେ ଥିବା ଏସିପି ପ୍ରଦୀପ ରାଉତଙ୍କ ବଦଳି ଭୁବନେଶ୍ବର ଡିସିପିଙ୍କ କାର୍ଯ୍ୟାଳୟକୁ ହୋଇଛି। କମିସନରେଟ୍‌ ମୁଖ୍ୟାଳୟରେ ଥିବା ଏସିପି ବିଶ୍ବରଂଜନ ସେନାପତିଙ୍କୁ ସ୍ପେସାଲ୍ କ୍ରାଇମ ୟୁନିଟ୍‌, ଏସିପି କେପି ଦାସଙ୍କୁ କଟକ ଡିସିପିଙ୍କ ଗୁଇନ୍ଦା ବିଭାଗ ଓ ଏସିପି ଅଞ୍ଜନା ଟୁଡ଼ୁଙ୍କୁ ପୁଲିସର ଗୁଇନ୍ଦା ବିଭାଗକୁ ବଦଳି କରାଯାଇଛି।

ସେହିପରି ମୁଖ୍ୟାଳୟରେ ଥିବା ଏସିପି ଅମିତାଭ ମହାପାତ୍ର ଓ ସୁଶାନ୍ତ ସିଂହଙ୍କ ବଦଳି ଯଥାକ୍ରମେ ଏସିପି ଜୋନ୍‌-୨ କଟକ, ଏସିପି ଟ୍ରାଫିକ୍ କଟକକୁ ହୋଇଛି। କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଥିବା ଏସିପି କୃଷ୍ଣଚନ୍ଦ୍ର ସେଠୀଙ୍କୁ କଟକ ଜୋନ୍-୫ ଏସିପି କରାଯାଇଛି। ମୁଖ୍ୟାଳୟରେ ଥିବା ମନୋଜ ଶତପଥୀ ସହିଦନନଗର ଥାନା ଇନ୍ସପେକ୍ଟର ନିଯୁକ୍ତି ପାଇଛନ୍ତି। ପି. ଶ୍ୟାମସୁନ୍ଦର ରାଓ ଲକ୍ଷ୍ମୀସାଗର ଇନ୍ସପେକ୍ଟର୍‌ ଭାବେ ନିଯୁକ୍ତି ପାଇଥିବା ବେଳେ ସେଠାରେ ଥିବା ଓମ୍‌ ପ୍ରକାଶ ମହାନ୍ତିଙ୍କୁ ବାଲିପାଟଣା ଇନ୍ସପେକ୍ଟର୍‌ ଭାବେ ବଦଳି କରାଯାଇଛି। ଏୟାରଫିଲ୍ଡ ଇନ୍ସପେକ୍ଟର୍‌ ରାଧାକାନ୍ତ ସାହୁଙ୍କ ବଦଳି ଚନ୍ଦକା ଓ ଚନ୍ଦକା ଇନ୍ସପେକ୍ଟର ସୁରେନ୍ଦ୍ର ବଳଙ୍କୁ ଭୁବନେଶ୍ବର ଟ୍ରାଫିକ୍ ଡିସିପିଙ୍କ କାର୍ଯ୍ୟାଳୟକୁ ହୋଇଛି।

ସେହିପରି କଟକ ଦରଘାବଜାର ଥାନା ଇନ୍ସପେକ୍ଟର୍‌ ପ୍ରଦୀପ ଜେନାଙ୍କ ବଦଳି କ୍ୟାଣ୍ଟନମେଣ୍ଟ ଥାନାକୁ ହୋଇଥିବା ବେଳେ ସହିଦନଗର ଥାନାରେ ଥିବା ଅତିରିକ୍ତ ଇନ୍ସପେକ୍ଟର୍‌ ଚିନ୍ତେଶ୍ବର ମୁଣ୍ଡାଙ୍କ ବଦଳି କଟକ ଦରଘାବଜାର ଥାନାକୁ ହୋଇଛି। କମିସନରେଟ ପୁଲିସ ମୁଖ୍ୟାଳୟରେ ଥିବା ଇନ୍ସପେକ୍ଟର ଅଶୋକ କୁମାର ନାୟକଙ୍କ ବଦଳି ଏୟାରଫିଲଡ୍ ଥାନାକୁ ହୋଇଛି। ମହିଳା ଥାନା ଇନ୍ସପେକ୍ଟର୍‌ ସନ୍ତୋଷିନୀ ବେହେରାଙ୍କୁ ବାଲିଅନ୍ତା ଥାନା ଅତିରିକ୍ତ ଇନ୍ସପେକ୍ଟର ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଡିସିପିଙ୍କ କାର୍ଯ୍ୟାଳୟରେ ଥିବା ଇନ୍ସପେକ୍ଟର ଶୁଭଶ୍ରୀ ପଣ୍ଡାଙ୍କୁ ମହିଳା ଥାନା ଦାୟିତ୍ବ ମିଳିଛି। ବାଲିପାଟଣା ଇନ୍ସପେକ୍ଟର କୃପାସିନ୍ଧୁ ବରାଡ଼ଙ୍କ ବଦଳି କଟକ ସିଆରଆରଆଇ ଥାନାକୁ ହୋଇଛି। ପୁଲିସର ମୁଖ୍ୟାଳୟରେ ଥିବା ଏଏସ୍ଆଇ ନୃସିଂହନାଥ ଦ୍ବିବେଦୀଙ୍କୁ ବ୍ୟକ୍ତିଗତ ବିଭାଗକୁ ବଦଳି କରାଯାଇଛି।

କମିସନରେଟ ପୁଲିସରେ ବଦଳି ହୋଇଥିବା କେତେକ ଇନ୍ସପେକ୍ଟରଙ୍କ ବିରୋଧରେ ଦୀର୍ଘ ଦିନ ଧରି ବିଭିନ୍ନ ଅଭିଯୋଗ ହୋଇ ଆସୁଥିଲା। ତେଣୁ ସେମାନେ ବିଭିନ୍ନ ସମୟରେ ବିବାଦରେ ଥିଲେ। କିନ୍ତୁ ଜଣେ ଆଇପିଏସଙ୍କର ସେମାନଙ୍କ ମୁଣ୍ଡ ଉପରେ ହାତ ଥିବା କାରଣରୁ ସେମାନେ ଗାଦି ମାଡ଼ି ବସିଥିଲେ। ତେଣୁ କମିସନରେଟ ପୁଲିସର ଇନ୍ସପେକ୍ଟର ସ୍ତରରେ ଏଭଳି ବଦଳିକୁ ଅନେକ ସ୍ବାଗତ କରିଛନ୍ତି।

ସମ୍ବନ୍ଧିତ ଖବର