ଭୁବନେଶ୍ବର: ବର୍ତ୍ତମାନ ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ଉତ୍ତାପ ବୃଦ୍ଧି, ଅଦିନିଆ ଝଡ଼, ଅତିବୃଷ୍ଟି, ଅନାବୃଷ୍ଟି ଆଦି ସମସ୍ୟା ବିଶ୍ବବାସୀଙ୍କ ସମ୍ମୁଖରେ ଏକ ବିରାଟ ସମସ୍ୟା ଭାବେ ଠିଆ ହୋଇଛି। ଏ ସଂପର୍କରେ ଜନସଚେତନତା ସୃଷ୍ଟି କରିବା ସହ ବ୍ୟାପକ ବୃକ୍ଷରୋପଣ ପାଇଁ ପରିବେଶ ବିଜ୍ଞାନୀମାନେ ପରାମର୍ଶ ଦେଇଛନ୍ତି। ଏନେଇ ତୁରନ୍ତ ପଦକ୍ଷେପ ନିଆ ନଗଲେ ପୃଥିବୀପୃଷ୍ଠରେ ଜୀବଜଗତ ତିଷ୍ଠିବା କଷ୍ଟକର ହୋଇପଡ଼ିବ। ଏପରି ସଂକଟ ସ୍ଥିତିରେ ପ୍ରତ୍ୟେକ ସ୍କୁଲ, ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟରେ ଗ୍ରିନ୍‌ ଆର୍ମିର ଶାଖା ଖୋଲିବାକୁ ପ୍ରେରଣା ଗ୍ରିନ୍‌ ଆର୍ମି ପକ୍ଷରୁ ଦାବି କରାଯାଇଛି। ପ୍ରେରଣାର ମୁଖ୍ୟ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ନେତୃତ୍ବରେ ଏକ ପ୍ରତିନିଧିମଣ୍ତଳୀ ପ୍ରକାଶ ଶ୍ରୀଚନ୍ଦନ, ପ୍ରଫେସର ବଳଦେବ ମହାରଥା, ସ˚ଜୟ ପଟ୍ଟନାୟକ, ଋଷି ପଟ୍ଟନାୟକ ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ପ୍ରମୁଖ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ଓ ଜଙ୍ଗଲ ତଥା ପରିବେଶ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ଦର୍ଶାଯାଇଛି ଯେ ଫିଲ୍‌ପାଇନ୍‌ସ୍ ଆଦି ଅନେକ ଦେଶରେ ଜଣେ ଡିଗ୍ରିଧାରୀ ଛାତ୍ର କିମ୍ବା ଛାତ୍ରୀ ଅଧ୍ୟୟନ ସମୟରେ ଦଶଗୋଟି ଗଛ ଲଗାଇ ତା’ର ଯତ୍ନ ନନେଲେ ସେ ଡିଗ୍ରି ପ୍ରମାଣପତ୍ର ପାଇପାରିବ ନାହିଁ। ଅନୁରୂପ ଭାବେ ଆମ ଦେଶର ପାଠ୍ୟକ୍ରମରେ ପରିବେଶ ଶିକ୍ଷାକୁ ବାଧ୍ୟତାମୂଳକ କରିବା ସହ ବୃକ୍ଷରୋପଣ ଓ ଜଙ୍ଗଲ ସୁରକ୍ଷା ପାଇଁ ପ୍ରତି ସ୍କୁଲ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଗ୍ରିନ୍‌ ଆର୍ମି ଶାଖା ଖୋଲିବାକୁ ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଛି।