ଶପଥ ନେଲେ ପ୍ରେରଣା ଗ୍ରିନ୍ ଆର୍ମି କମାଣ୍ଡାଣ୍ଟ, ପରିବେଶର ଶତ୍ରୁ ହିଁ ଆମର ବଡ଼ ଶତ୍ରୁ

ଖଣ୍ଡଗିରି: ଏ ଦୁନିଆର ପାଣି, ପବନ ଓ ମାଟି ହେଉଛି ଆମ ଜୀବନ। ଏମାନଙ୍କୁ ନେଇ ଗଢ଼ି ଉଠିଥିବା ଆମ ପରିବେଶ ହେଉଛି ଆମ ଜୀବନ। ଏହା ବଞ୍ଚିଲେ, ଆମେ ବଞ୍ଚିବା। ପରିବେଶର ମୃତ୍ୟୁ, ଆମ ମଣିଷ ସମାଜ ପାଇଁ ବିନାଶର କାରଣ ହେବ। ତେଣୁ ପରିବେଶର ଶତ୍ରୁ ହେଉଛି ଆମର ବଡ଼ ଶତ୍ରୁ। ଶନିବାର ହୋଟେଲ ଚନ୍ଦନ ପରିସରରେ ପ୍ରେରଣା ଇଣ୍ଟରନାସ୍‌ନାଲ୍‌ ଗ୍ରିନ୍ ଆର୍ମି ପକ୍ଷରୁ ଆୟୋଜିତ କାମଣ୍ଡାଣ୍ଟ ଶପଥ ଗ୍ରହଣ ଉତ୍ସବର ମୁଖ୍ୟ ଅତିଥି ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି। ଗ୍ରିନ୍‌ କମାଣ୍ଡାଣ୍ଟମାନଙ୍କୁ ପରାମର୍ଶ ଦେବାକୁ ଯାଇ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ କହିଲେ ଯେ ଯୁଦ୍ଧ କ୍ଷେତ୍ରରେ ସୈନିକମାନେ ଶତ୍ରୁକୁ ଚିହ୍ନଟ କରିପାରିଲେ ହିଁ ବିପୁଳ ବିଜୟପ୍ରାପ୍ତି ହୋଇଥାଏ। ତେଣୁ ଗ୍ରିନ୍ ଆର୍ମିର ପ୍ରତ୍ୟେକ କମାଣ୍ଡାଣ୍ଟ ପରିବେଶର ଶତ୍ରୁକୁ ଓ ନିଜ ଭିତରେ ଥିବା ଦୁର୍ବଳତାକୁ ଚିହ୍ନଟ କରିପାରିଲେ ଆମ ପରିବେଶ ସବୁଜ ସୁନ୍ଦର ହୋଇପାରିବ। ଜଙ୍ଗଲ ସୁରକ୍ଷା କରିବା ସହ ବୃକ୍ଷରୋପଣ ଓ ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି କରିବା କମାଣ୍ଡାଣ୍ଟମାନଙ୍କ ବଡ଼ ଲକ୍ଷ୍ୟ ହେବା ଉଚିତ୍ ବୋଲି ସେ କହିଥିଲେ। ପ୍ରେରଣା ଗ୍ରିନ୍ ଆର୍ମି କମାଣ୍ଡର ଇନ୍‌ ଚିଫ୍ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ଜଣ କମାଣ୍ଡାଣ୍ଟ ନିଜେ ଗଛ ଲଗାଇବା ଓ ଗଛ ଲଗାଇବାକୁ ଜନ ସାଧାରଣଙ୍କୁ ସଚେତନ କରାଇବା ପାଇଁ ଶପଥ ନେଇଥିଲେ। ଅକ୍ଟେବାର ୩ ତାରିଖରେ ରାଜ୍ୟର ୩୦ ଜିଲ୍ଲା, ୩୧୪ ବ୍ଲକ ଓ ସମସ୍ତ ପୌରାଞ୍ଚଳ ସମେତ ବିଜ୍ଞାପିତ ଅଞ୍ଚଳରେ ନିଯୁକ୍ତି ପାଇଥିବା ଗ୍ରିନ୍ କମାଣ୍ଡାଣ୍ଟମାନେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଉପସ୍ଥିତିରେ ଶପଥ ନେବେ ବୋଲି ଶ୍ରୀ ଶ୍ରୀଚନ୍ଦନ କହିଥିଲେ। ଏହି ଅବସରରେ ପ୍ରକାଶ ଶ୍ରୀଚନ୍ଦନ, ମହେନ୍ଦ୍ର ଶତପଥୀ, ଡ. ନିରଦ ଖୁଣ୍ଟିଆ, ଜଲିଲ ଖାଁ, ପ୍ରଦୀପ ରାଉତରାୟ ଓ ଅଧ୍ୟାପିକା ଅନୁପମା ଚମ୍ପତ୍ତିରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର