ଗ୍ରିନ୍‌ କରିଡର୍ : ନୟାପଲ୍ଲୀରୁ ଏୟାରପୋର୍ଟ ୬ ମିନିଟ୍‌, କୃତ୍ରିମ ଫୁସଫୁସ୍ ଲଗାଇ ରୋଗୀଙ୍କୁ ନିଆଗଲା ହାଇଦ୍ରାବାଦ୍

ଭୁବନେଶ୍ୱର : ରାଜଧାନୀରେ ୧୬ ଦିନରେ ୪ ଗ୍ରିନ୍‌ କରିଡର୍। ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର ଲାଗି କମିସନରେଟ୍‌ ପୁଲିସ ପକ୍ଷରୁ ଗ୍ରିନ କରିଡର୍ ତିଆରି କରାଯାଉଛି। ଖୁବ୍ କମ ସମୟ ମଧ୍ୟରେ ହସ୍ପିଟାଲରୁ ଏୟାରପୋର୍ଟକୁ ରୋଗୀମାନଙ୍କୁ ନିଆଯିବା ଲାଗି ପୁଲିସ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି। ଏହି କ୍ରମରେ ଆଜି ଆଉ ଏକ ଗ୍ରିନ୍‌ କରିଡର୍‌ ତିଆରି କରି ନୟାପଲ୍ଲୀରୁ ମାତ୍ର ୬ମିନିଟ୍‌ ମଧ୍ୟରେ ଜଣେ ଗୁରୁତର ରୋଗୀଙ୍କୁ ଏୟାରପୋର୍ଟରେ ପହଞ୍ଚା ଯାଇପାରିଛି। କୃତ୍ରିମ ଫୁସଫୁସ୍(ଇକମୋ) ଲଗାଯାଇ ଏୟାର ଆମ୍ବୁଲାନ୍ସ ଯୋଗେ ସମ୍ପୃକ୍ତ ରୋଗୀଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିପାଇଁ ପୁଲିସ କମିସନର୍‌ କମିସନରେଟ୍‌ ଟ୍ରାଫିକ୍ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଁଳାକୁଦା ଅଞ୍ଚଳର ୫୨ବର୍ଷୀୟ ଅଭୟ କୁମାର ଜେନାଙ୍କୁ ପ୍ରବଳ ଜ୍ବର ସହ ନିଶ୍ବାସପ୍ରଶ୍ବାସ ନେବାରେ ଅସୁବିଧା ହେବାରୁ ଗତ ୩ ତାରିଖରେ ରାଜଧାନୀକୁ ଅଣାଯାଇଥିଲା। ତେବ‌େ ଦୁଇଟି ହସ୍ପିଟାଲରେ ବେଡ୍ ନ ମିଳିବାରୁ ଶେଷରେ ତାଙ୍କୁ ନୟାପଲ୍ଲୀ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପରେ ତାଙ୍କର କୋଭିଡ୍ ପଜିଟିଭ୍ ଥିବା ଜଣାପଡ଼ିଥିଲା। ଅମ୍ଳଜାନ ସ୍ତର ମଧ୍ୟ ଯଥେଷ୍ଟ କମ୍ ଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଅଭୟଙ୍କୁ ଭେଣ୍ଟିଲେଟର୍‌ରେ ଭର୍ତ୍ତି କରାଯାଇଥିଲା। ପ୍ରାୟ ୧୫ ଦିନ ଧରି ଚିକିତ୍ସିତ ହେବା ପରେ କରୋନା ନେଗେଟିଭ୍ ବାହାରିଥିଲା। କିନ୍ତୁ ତାଙ୍କର ଫୁସଫୁସ୍ ଖରାପ ହୋଇ ଯାଇଥିବା ଜଣାପଡ଼ିଥିଲା।

ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ହାଇଦ୍ରାବାଦସ୍ଥିତ କିମସ୍ ହସ୍ପିଟାଲର କ୍ରିଟିକାଲ କେୟାର ବିଭାଗ ମୁଖ୍ୟ ସୁବ୍ରତ କୁମାର ସାହୁଙ୍କ ନେତୃତ୍ବରେ ୫ଜଣିଆ ଏକ ଦଳ ଗତ ୨୧ତାରିଖରେ ଓଡ଼ିଶା ଆସିଥିଲେ। ଅଭୟଙ୍କର କୃତ୍ରିମ ଫୁସଫୁସ୍ ଲଗାଯିବା ପରେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିଲା। କିନ୍ତୁ ସଂକଟାପନ୍ନ ଥିବାରୁ ତାଙ୍କର ଅଧିକ ଚିକିତ୍ସା ଲାଗି ହାଇଦ୍ରାବ୍ରାଦ ଯିବା ଲାଗି ନିଷ୍ପତ୍ତି ହୋଇଥିଲା। ଆଜି ମଧ୍ୟାହ୍ନ ୧୨ଟାରେ ଲାଇଫ ସର୍ପୋଟ୍ ଆମ୍ବୁଲାନ୍ସରେ ଅଭୟଙ୍କୁ ପୁଲିସ୍‌ ଏସକର୍ଟରେ ଏୟାରପୋର୍ଟ ନିଆଯାଇଥିଲା। ନୟାପଲ୍ଲୀର ଉକ୍ତ ଘରୋଇ ହସ୍ପିଟାଲରୁ ଏୟାରପୋର୍ଟ ମାତ୍ର ୬ ମିନିଟ୍‌ ୫ ସେକେଣ୍ଡ ସମୟ ଲାଗିଥିଲା। ଏୟାରପୋର୍ଟ ଭିତରେ ପ୍ରସ୍ତୁତ ହୋଇଥିବା ଏୟାର ଆମ୍ବୁଲାନ୍ସରେ ଅଭୟଙ୍କୁ ପ୍ରାୟ ୧୨ଟା ୨୫ରେ ହାଇଦ୍ରାବାଦ ନିଆଯାଇଥିଲା। ହାଇଦ୍ରାବାଦ ଯିବାକୁ ୧ ଘଣ୍ଟା ୨୦ ମିନିଟ ସମୟ ଲାଗିଥିଲା। ସେଠାରେ ପହଞ୍ଚି ଚିକିତ୍ସା ଆରମ୍ଭ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ୭ ତାରିଖରେ ଅଙ୍ଗ ପ୍ରତିରୋପଣ ପାଇଁ ଜଣେ ରୋଗୀଙ୍କୁ ଆମ୍ରି ହସ୍ପିଟାଲରୁ ଏୟାରପୋର୍ଟ ନିଆଯାଇଥିଲା। ଏହାର ପରଦିନ ୮ ତାରିଖରେ ଆଉ ଜଣେ ରୋଗୀଙ୍କୁ କିମସ ହସ୍ପିଟାଲରୁ ଗ୍ରିନ କରିଡର କରାଯାଇ ଏୟାରପୋର୍ଟ ନିଆଯାଇଥିଲା। ଗତ ୧୭ ତାରିଖରେ ଆର.କେ.ଡି କନଷ୍ଟ୍ରକସନ୍ସର ମୁଖ୍ୟ ରୋହିତ ଦାଶଙ୍କୁ ମଧ୍ୟ ଗ୍ରିନ କରିଡର୍‌ ମାଧ୍ୟମରେ ଏୟାରପୋର୍ଟ ନିଆଯାଇଥିଲା।

ସମ୍ବନ୍ଧିତ ଖବର