ଚନ୍ଦ୍ରଶେଖରପୁର: ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ସାରା ବିଶ୍ବବାସୀଙ୍କ ପାଇଁ ବଡ଼ ଆହ୍ବନ ଭାବେ ଉଭା ହୋଇଛି। ଏହାର ମୁକାବିଲା କରିବାକୁ ତୃଣମୂଳସ୍ତରରୁ ପଦକ୍ଷେପ ନେବାକୁ ପଡ଼ିବ। ବ୍ୟାପକ ବୃକ୍ଷରୋପଣ ଦ୍ବାରା ହିଁ ଏହା ସମ୍ଭବ। ଏକ ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମ ପରିବେଶକୁ ସବୁଜ ସୁନ୍ଦର କରିବାକୁ ପଡ଼ିବ। ଏକ୍ଷେତ୍ରରେ ସମସ୍ତଙ୍କ ସହଯୋଗ ଲୋଡ଼ା। ‘ସମ୍ବାଦ’, ‘ସମ୍ବାଦ ସାହିତ୍ୟଘର’ ଓ ନ୍ୟୁ ଭୁବନେଶ୍ବର ପ୍ରେସ୍ କ୍ଲବର ମିଳିତ ସହଯୋଗରେ ଜାଭିୟର ଛକରୁ ଲୟୋଲା ସ୍କୁଲ ରାସ୍ତା ଡ଼ିଭାଇଡ଼ରରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଏହା କହିଛନ୍ତି।
କାର୍ଯ୍ୟକ୍ରମରେ ସାଲିଆସାହି, ହାତୀଆସୁଣି, ମୈତ୍ରୀବିହାର, ବାଜପେୟୀ ନଗର, ବିର୍ସାମୁଣ୍ଡା ବସ୍ତିବାସିନ୍ଦା ସାମିଲ ହୋଇ ପଣସ, ଜାମୁ, ଅଶୋକ, କରଞ୍ଜ, ଶିଶୁ, ବଉଳ, ବେଲ, ସ୍ବର୍ଣ୍ଣ ଚମ୍ପା ପରି ବୃକ୍ଷରୋପଣ କରିଥିଲେ। କାର୍ଯ୍ୟକ୍ରମରେ ନାରୀନେତ୍ରୀ ଜ୍ୟୋତ୍ସ୍ନାମୟୀ ପରିଡ଼ା, ସ୍ଥାନୀୟ କର୍ପୋରେଟର ପ୍ରେମାନନ୍ଦ ଜେନା, ଭାରତୀ ସିଂ, ସମାଜ ମଙ୍ଗଳ ବୋର୍ଡ ସଦସ୍ୟ ବାସନ୍ତୀ ସିଂ, ସମାଜସେବୀ ପଞ୍ଚାନନ ଦଳେଇ, ତ୍ରିନାଥ ନାଥ, ସୀମାଞ୍ଚଳ ପାତ୍ର ପ୍ରମୁଖ ଯୋଗଦେଇଥିଲେ। ନ୍ୟୁ ଭୁବନେଶ୍ବର ପ୍ରେସ୍ କ୍ଲବ ସଭାପତି ସ୍ମରଜିତ୍ ଆର୍ଯ୍ୟ, ଉପଦେଷ୍ଟା ରଶ୍ମିତା ଖଟୁଆ, ସଦସ୍ୟ ଦୁଷ୍ମନ୍ତ କୁମାର ଜେନା ପ୍ରମୁଖ ଅତିଥିମାନଙ୍କୁ ସ୍ବାଗତ କରିବା ସହ ‘ବୃକ୍ଷଟିଏ ମଣିଷ ଟିଏ’ ପରି ସଚେତନତା ବାର୍ତା ଦେଇଥିଲେ। ‘ସମ୍ବାଦ’ର ବରିଷ୍ଠ ସମ୍ବାଦିକ କେଶବ ପାଣି ଓ ବିଦ୍ୟାଧର ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ସ୍ଥାନୀୟ ୱାର୍ଡର ସଫେଇ କର୍ମଚାରୀମାନେ ମଧ୍ୟ ସାମିଲ ହୋଇଥିଲେ।