କଟକରେ ବସ୍‌ ପୋର୍ଟ ପାଇଁ କେନ୍ଦ୍ରର ସବୁଜ ସଙ୍କେତ

ଭୁବନେଶ୍ବର(ତଥ୍ୟ): ଓଡ଼ିଶାରେ ବିଶ୍ବସ୍ତରର ବସ୍‌ ଟର୍ମିନାଲ୍‌ ପ୍ରତିଷ୍ଠା ଲାଗି କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଛନ୍ତି। ପ୍ରସ୍ତାବିତ ଏହି ‘ବସ୍‌ ପୋର୍ଟ’ରେ ଏୟାର୍‌ପୋର୍ଟ ଭଳି ସମସ୍ତ ସୁବିଧା ଉପଲବ୍ଧ ହେବ ବୋଲି ପରିବହନ ଓ ରାଜପଥ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ୍‌ ଗଡ଼କରୀ କଟକ ନିକଟସ୍ଥ ‌ଗୋପାଳପୁରଠାରେ ପ୍ରସ୍ତାବିତ ଏହି ଆନ୍ତର୍ଜାତିକସ୍ତରର ବସ୍‌ ପୋର୍ଟ ସପକ୍ଷରେ ଅଛନ୍ତି। ପ୍ରସ୍ତାବିତ ଏହି ବସ୍‌ ପୋର୍ଟ ୪୨ ଏକର ଜମି ଉପରେ ପ୍ରତିଷ୍ଠା ହେବାକୁ ଥିବା ବେଳେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମକୁ ଏହି ପ୍ରକଳ୍ପ କାର୍ଯ୍ୟାନ୍ବୟନ ଲାଗି ନୋଡାଲ୍‌ ଏଜେନ୍ସି ଭାବେ ମନୋନୀତ କରାଯାଇଛି। ଏଥିରେ ଉଭୟ ପୁରୁଷ ଓ ମହିଳାଙ୍କୁ ଆନ୍ତର୍ଜାତିକସ୍ତରର ସୁବିଧା ମିଳିବ। ପ୍ରକଳ୍ପ ସରକାରୀ ଘରୋଇ ସହଭାଗିତା(ପିପିପି) ମୋଡ୍‌ରେ ପ୍ରତିଷ୍ଠା ହେବ। ଏଥିରେ ଏକ ଶହ କୋଟି ଟଙ୍କା ବିନିଯୋଗ ହେବ ବୋଲି ଜାତୀୟ ରାଜପଥ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ୍‌ର ପ୍ରାରମ୍ଭିକ ଅନୁଧ୍ୟାନ ରିପୋର୍ଟରୁ ଜଣାପଡ଼ିଛି।ପ୍ରତିଦିନ ବାଦାମବାଡ଼ି ବସ୍‌ଷ୍ଟାଣ୍ଡରୁ ୬ଶହ ବସ୍‌ ଯାତାୟାତ କରୁଥିବା ବେଳେ ରାଜ୍ୟର ଏହି ପ୍ରମୁଖ ବସ୍‌ଷ୍ଟାଣ୍ଡକୁ ନୂତନ ଭାବେ ପ୍ରତିଷ୍ଠା ହେବାକୁ ଥିବା ବସ୍‌ପୋର୍ଟକୁ ସ୍ଥାନାନ୍ତର କରାଯିବ। ଗୋପାଳପୁର-ବାଲିକୁଦା ‌ରେଳ ଷ୍ଟେସନ୍‌ କଡ଼ରେ ଥିବା ଜମିକୁ ବସ୍‌ ପୋର୍ଟ ପାଇଁ ଉପଯୁକ୍ତ ସ୍ଥାନ ଭାବେ ଚିହ୍ନଟ କରାଯାଇଛି। ପ୍ରସ୍ତାବିତ ବସ୍‌ ପୋର୍ଟକୁ ଜାତୀୟ ରାଜପଥ ୧୬ ଏବଂ ୫୫ ସଂଯୋଗ କରୁଛି। ବସ୍‌ ପୋର୍ଟ ନିର୍ମାଣ ଲାଗି ଭୁବନେଶ୍ବର ପ୍ରଥମ ପସନ୍ଦ ଥିବା ବେଳେ ଦ୍ବୈତନଗରୀର ଅଂଶ ଭାବେ କଟକ ସହର ରହୁଥିବାରୁ ଏହ ଉପରେ ବିଚାର ହୋଇଥିଲା। କଟକ ଭୁବନେଶ୍ବର ଦ୍ବୈତନଗରୀରେ ବିକାଶ ଲାଗି ରାଜ୍ୟ ସରକାର ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି। ଭବିଷ୍ୟତରେ ଗୋପାଳପୁର-ବାଲିକୁଦା ରେଳ ଷ୍ଟେସନର ବିକାଶ ହେଲେ ଏହି ଅଞ୍ଚଳଟି ବହୁମୁଖୀ ଯାତ୍ରୀ ଗମନାଗମନର ହବ୍‌ ପାଲଟିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର